ITBP ଜବାନ ୫ ସାଥୀଙ୍କୁ କାହିଁକି ମାରିଲେ ଗୁଳି, କିପରି ହେଲା କନଷ୍ଟେବଲଙ୍କ ମୃତ୍ୟୁ ତାର ମିଳୁନି ସୁରାଗ
5/12/2019 at 4:23 PM

ନାରାୟଣପୁର ୫.୧୨: ଛତିଶଗଡ ନାରାୟଣପୁରରେ ମୁତୟନ ଥିବା ଇଣ୍ଡୋ-ତିବ୍ବତ ବର୍ଡ ପୋଲିସ (ଆଇଟିବିପି) କ୍ୟାମ୍ପରେ ବୁଧବାର ଘଟିଥିଲା ଲୋମହର୍ଷକ ଘଟଣା। ଜଣେ ଜବାନ ନିଜର ୫ ସାଥୀ ଜବାନଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ତେବେ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଜଣା ପଡିନି ଏହାର କାରଣ। ଜବାନ ସାଥୀଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଗୁଳି କରିଛି ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ଛୁଟିରେ ଘରକୁ ଯିବାକୁ ପ୍ରସ୍ତୁତ କରୁଥଲେ ଜବାନ
ଆଇଟିବିପି କ୍ୟାମ୍ପରେ ଏତେବଡ ଘଟଣା କନଷ୍ଟେବଲ ରହମାନ ଖାନ କରିଥିବା କୁହାଯାଉଛି। ଛୁଟିରେ ଘରକୁ ଯିବା ଲାଗି ସେ ପ୍ୟାକିଂ କରିବା ବେଳେ ସାଥୀ ଜବାନଙ୍କ ଏକେ-୪୭ ଉଠାଇ ନେଇ ସେମାନଙ୍କୁ ଗୁଳି କରିଥିଲା। ଶେଷରେ ଗୁଳି ଲାଗି ତାର ମଧ୍ୟ ମୃତ୍ୟୁ ହୋଇଛି। ରହେମାନ ଜବାନଙ୍କୁ ଦିଆଯାଉଥିବା ବାର୍ଷିକ ୨ ମାସ ଛୁଟି ଗତବର୍ଷ ନେଇନଥିଲେ। ଏଣୁ ଚଳିତ ବର୍ଷ ତାଙ୍କୁ ଛୁଟିରେ ଯିବାକୁ ବାଧ୍ୟ କରାଯାଇଥିବା ବେଳେ ସେ ମଧ୍ୟ ଛୁଟିରେ ଯିବାକୁ ପ୍ରସ୍ତୁତି ଚଳାଇଥିଲେ।

ଏଥିଲା ସେ ତାଙ୍କର ଡ୍ୟୁଟି ଗନ ଜମା କରିସାରିଥିବା ବେଳେ ବେଡିଂ ମଧ୍ୟ ବାନ୍ଧିସାରିଥିଲେ। ଘଟଣା ବେଳେ ସେ ପ୍ୟାକିଂ କରୁଥିଲେ ଓ ପାଖରେ ୨ ଜଣ ହେଡ କନଷ୍ଟେବଲଙ୍କ ସମେତ ୩ ସାଥୀ କନଷ୍ଟେବଲ ବି ଥିଲେ। ତେବେ ସେମାନଙ୍କ ମଧ୍ୟରେ ଏପରି କ’ଣ ହେଲା ଯେଉଁଥିଲାଗି ଜବାନ ଗୁଳିକରି ସାଥୀଙ୍କୁ ହତ୍ୟା କରିବା ସହ ନିଜେ ଆତ୍ମ ହତ୍ୟା କଲେ ତାହା ଏବେ ତଦନ୍ତ ସାପେକ୍ଷ। ମାତ୍ର କେଇ ସେକେଣ୍ଡରେ ଘଟିଯାଇଥିଲା ସମ୍ପୂର୍ଣ୍ଣ ଘଟଣା। କେହି କିଛି ବୁଝିବା ଆଗରୁ ସବୁ ନିଶେଷ ହୋଇଯାଇଥିଲା। ଘଟଣାକୁ ନେଇ ଆଇଟିବିପି କ୍ୟାମ୍ପରେ ଚାଞ୍ଚଲ୍ୟ ଖେଳିଯାଇଛି।

ଛୁଟି ନୁହେଁ କାରଣ, ଘଞ୍ଚ ଜଙ୍ଗଲରେ ଥିଲା କ୍ୟାମ୍ପ
ଆଇଟିବିପି ୪୫ ବଟାଲିୟନର କ୍ୟାମ୍ପ ନାରାୟଣପୁରର ଘଞ୍ଚ ଜଙ୍ଗଲରେ ଥିବା ନେଇ ବସ୍ତର ଆଇଜି ପି.ସୁନ୍ଦର ରାଜ କହିଛନ୍ତି। ଯେହେତୁ ବର୍ଷେ ହେଲା ସେ ଡ୍ୟୁଟିରେ ଥିଲା ଏଣୁ ତାକୁ ଛଟିରେ ଯିବାକୁ କୁହାଯାଇଥିବା ବେଳେ ସେ ଅଧିକାରୀଙ୍କ ନିର୍ଦ୍ଦେଶ ମଧ୍ୟ ମାନିଥିଲା। ତେବେ ସେ ନିଜକୁ ଗୁଳିମାରିଛି ନା ଅନ୍ୟ ଜବାନ ଆତ୍ମରକ୍ଷା ଲାଗି ତାକୁ ଗୁଳି କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନି। ମାମଲାର ଏବେ ଫରେନସିକ୍ ବାଲିଷ୍ଟିକ ଯାଞ୍ଚ କରାଯାଉଥିବା ଆଇଜି କହିଛନ୍ତି।

ଘଟଣାରେ ହେଡ କନଷ୍ଟେବଲ ମହେନ୍ଦ୍ର ସିଂହ ଓ ଦଲଜିତ ସିଂହ କନଷ୍ଟେବଲ ସୁରଜିତ ସରକାର, ବିସ୍ୱରୂପ ମହାତୋ ଓ ବ୍ରିଜେଶ ପ୍ରାଣ ହରାଇଥିବା ବେଳେ କନଷ୍ଟେବଲ ଏସ.ବି. ଉଲ୍ଲାସ ଓ ସୀତାରାମ ଟୁନ ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ଜବାନଙ୍କ ସମସ୍ୟା ଓ ସେମାନଙ୍କ ଉଦବେଗ ବୁଝିବା ଦରକାର ବୋଲି କହିଛନ୍ତି।