ହାୱଡା-ଜଗଦଳପୁର ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗିବାର ଜଣାପଡିଲା କାରଣ, ଜଣେ ରେଳ କର୍ମଚାରୀ ମୃତ
25/06/2019 at 5:52 PM

ରାୟଗଡା୨୫|୬: ରାୟଗଡା ଜିଲ୍ଲାର ସିଙ୍ଗାପୁର-କେଉଟଗୁଡା ମଝିରେ ହାୱଡା –ଜଗଦଳପୁର ଟସମଲେଶ୍ବରୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ସହ ଟ୍ରେନରେ ନିଆଁ ଲାଗିଯିବା ଘଟଣାର କାରଣ ଜଣାପଡିଛି । ଟ୍ରେନ ଲାଇଲ ମରାମତି କରିବାକୁ ଯାଇଥିବା ଏକ ଟ୍ରେନକୁ ସମଲେଶ୍ବରୀ ଏକ୍ସପ୍ରେସ ଧକ୍କା ଦେବାଫଳରେ ଉଭୟ ଟ୍ରେନ ଲାଇନ ଚ୍ୟୁତ ହୋଇଥିଲେ । ମରାମତି କରିବାକୁ ଆସିଥିବା ଟ୍ରେନର ଜଣେ କର୍ମଚାରୀଙ୍କ ଏଥିରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଟ୍ରେନ ଲାଇନଚ୍ୟୁତ ହେବାପରେ ସର୍ଟସର୍କିଟ ଯୋଗୁଁ ଇଂଜିନକୁ ଲାଗି ରହିଥିବା ବଗିରେ ନିଆଁ ଲାଗିଯାଇଥିଲା ।

ତେବେ ନିଆଁ ଲାଗିବାପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଟ୍ରେନରୁ ଓହ୍ଲାଇପଡିଥିଲେ ବୋଲି ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାଫଳରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ମଧ୍ୟ ପୂର୍ବତଟ ରେଳବାଇ କହିଛି ।

ଅପରାହ୍ନ ୪ଟା ୫୦ମିନିଟରେ ଏହି ଦୁର୍ଘଟଣା ପରେ ରେଳବାଇର କୌଣସି ଉଦ୍ଧାରକାରୀ ଦଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିନଥିଲେ । ତେବେ ବର୍ତ୍ତମାନ ଆମ୍ବୁଲାନ୍ସ, ନିଆଁ ଲିଭାଳି ଦଳ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିଥିବା ସ୍ଥାନଟି ବଣ ଜଙ୍ଗଲ ଘେରା ଓ ଆଖପାଖରେ କୌଣସି ଜନବସତି ନାହିଁ । ଫଳରେ ଯାତ୍ରୀମାନେ ଅଧିକ ଆତଙ୍କିତ ହୋଇପଡିଛନ୍ତି ।
ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଆବଶ୍ୟକ ହୋଇପଡିଛି ।