‘ବିଜେପିରୁ ପ୍ରାର୍ଥୀ ହେଲିବୋଲି ଲୋକେ ଗ୍ରହଣ କଲେନାହିଁ, ମୁଁ ହାରିଗଲି’ : ଡାକ୍ତର ଦାମୋଦର ରାଉତ

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର୨୪|୫: ‘ଆଉ ନିର୍ବାଚନ ଲଢିବି ନାହିଁ । ପୁଅର ବିଜୟ ମତେ ଖୁସୀ ଦେଇଛି । ମୁଁ ବିଜେପିରେ ଯୋଗ ଦେବା ବୋଧେ ଲୋକ ଗ୍ରହଣ କଲେ ନାହିଁ । ତେବେ ନିଜ ଜନ୍ମ ମାଟିରେ ହାରିବା ପ୍ରଚଣ୍ଡ ଦୁଃଖ ଦେଇଛି’ ବୋଲି କହିଛନ୍ତି ଡାକ୍ତର ଦାମୋଦର ରାଉତ । ସୂଚନାଯୋଗ୍ୟ ଯେ, ବିଜେଡିରୁ ବହିଷ୍କାର ହେବାପରେ ଡାକ୍ତର ଦୋଦର ରାଉତ ନବୀନଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଥିଲେ ।  ନିଜେ କୌଣସି ରାଜନୈତିକ ଦଲ ଗଠନ କରିବେ ବୋଲି ମଧ୍ୟ କହୁଥିଲେ । କିନ୍ତୁ ଶେଷରେ ବିଜେପିରେ ଯୋଗଦେବା ସହ ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ବିଜେଡି ଏଠାରେ ବିଜେପିରୁ ଆସିଥିବା ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ଦାମ ରଘୁନନ୍ଦନ ଦାସଙ୍କଠାରୁ ପରାଜିତ ହୋଇଛନ୍ତି ।

 ଅପରପକ୍ଷରେ ବାପା ବିଜେଡିକୁ ଗଲେ ମଧ୍ୟ ପୁଅ ସମ୍ବିତ ରାଉତରାୟ ବିଜେଡି ଛାଡିନଥିଲେ । ତାଙ୍କୁ ଦଳ ଡାକ୍ତର ଦମୋଦର ରାଉତଙ୍କ ପୂରୁଣା ଆସନ ପାରାଦୀପରୁ ପ୍ରାର୍ଥୀ କରିଥିଲେ । ସମ୍ବିତ କଂଗ୍ରେସ ବାପି ସର୍ଖେଲଙ୍କୁ ୨୦ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।  ବାପା ବିଜେପିରେ ଓ ପୁଅ ବିଜେଡିରେ ପ୍ରାର୍ଥୀ ହେ୍ବା ନେଇ ବହୁ ସମାଲୋଚନା ମଧ୍ୟ ହୋଇଥିଲା ।

ତେବେ ଏବେ ନିର୍ବାଚନ ହାରିଯିବାପରେ ଦାମ ରାଉତଙ୍କ ବୁଦ୍ଧି ପଶିଛି । ସେ କହିଛନ୍ତି ଯେ, ତାଙ୍କ ହାରିବା ପଛରେ ଦୁଇଟି କାରଣ ଥାଇପାରେ । ବିଜୁ ଅନୁଗତଭାବେ ପରିଚିତ ଜଗତସିଂହପୁର ଜିଲ୍ଲାରେ ସେ ବିଜେଡିରୁ ପ୍ରାର୍ଥୀ ହେବାକୁ ଲୋକ ଗ୍ରହଣ କରିପାରିନାହାନ୍ତି । ଅପରପକ୍ଷରେ ତାଙ୍କ ପୁଅ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଥିବାରୁ ଲୋକେ ତାଙ୍କୁ ଭୋଟ ଅଜାଡି ଦେଇଥିଲେ ।

ଭାରତୀୟ ଜନତା ପାର୍ଟିକୁ ଯାଇ ସେ ଭୁଲ କରିଛନ୍ତି କି ଓ ସେଥିପାଇଁ ପଶ୍ଚାତାପ କରୁଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି ଯେ, ତାହା ଭାବିବାର କଥା । ସମଗ୍ର ଦେଶରେ ମୋଦି ଲହର କାମ କରିଥିବା ବେଳେ ଓଡିଶାରେ ମୋଦି ଲହର କାମ କଲାନାହିଁ ବୋଲି ଦାମ ସ୍ବୀକାର କରିବା ସହ ସେ କହିଛନ୍ତି ଯେ, ବିଜୁ ଲହରକୁ ମୋଦି ଲହର ପ୍ରତିହତ କରିପାରିଲା ନାହିଁ ଓ ତାର ସୁଫଳ ନବୀନ ପଟ୍ଟନାୟକ ପାଇଲେ । ତେବେ ସେ ମାନିବାକୁ ନାରାଜ ଯେ, ରାଜ୍ୟରେ ନବୀନ ଲହର ଚାଲିଥିଲା ବୋଲି ।

ବିଜେପିରେ ଯୋଗ ଦେବା ସମ୍ପର୍କରେ ମଧ୍ୟ ସେ ଆହୁରି କହିଛନ୍ତି ଯେ, ଅକାରଣରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯିବାପରେ ସେ ସୂଚନା ଅଧିକାର କର୍ମୀଙ୍କ ସହ ମିଶି ସମଗ୍ର ରାଜ୍ୟ ବୁଲି ଲୋକଙ୍କୁ ନବୀନଙ୍କ ସରକାରରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ବୁଝାଉଥିଲେ । ଲୋକ ବି ତାକୁ ଶୁଣିବାକୁ ଭଲ ପାଉଥିଲେ । ହଠାତ ବିଜେପିର କେନ୍ଦ୍ରୀୟ ଓ ରାଜ୍ୟ ନେତୃମଣ୍ଡଳି ବିଜେପିରେ ଯୋଗ ଦେବାପାଇଁ ତାଙ୍କୁ ନିମନ୍ତ୍ରଣ କଲେ ଓ ସେ ବିଜେପିରେ ଯୋଗ ଦେଲେ । କିନ୍ତୁ ଲୋକେ ତାକୁ ଗ୍ରହଣ କଲେ ନାହିଁ ।

ଯେଉଁ ଆସନରୁ ଅତୀତରେ ସେ ୪ଥର ବିଜୟୀ ହୋଇଛନ୍ତି ସେଠାରେ ସେ ହାରିବା ପ୍ରସଂଗରେ ଆଉ ଏକ କାରଣ କହିଛନ୍ତି ଯେ, ଏହି ଆସନରୁ ମାତ୍ର ୧୬ହଜାର ଭୋଟ ପାଇବା ତାଙ୍କୁ ଚିନ୍ତିତ କରିଛି । ଲୋକ ଗ୍ରହଣ ନକରିବା କାରଣ ସହ ଆଉ ଏକ କାରଣ ହେଲା ଶାସକ ଦଳ ଶାସନକଳର ଅପବ୍ୟବହାର କରିଥାଇପାରେ ବୋଲି ମଧ୍ୟ ସେ ଆଶଂକା କରୁଛନ୍ତି । ତେବେ ପରାଜୟ ପାଇଁ ସବୁ ଦୋଷ ସେ ନିଜ ମୁଣ୍ଡ ଉପରକୁ ନେଇଛନ୍ତି । ସେବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ଲୋକ ତାଙ୍କୁ ଗ୍ରହଣ କରୁନାହାନ୍ତି େକଥା ସେ ନିର୍ବାଚନ ପ୍ରଚାର ସମୟରେ ଜାଣିପାରିଲେ ନାହିଁ ବୋଲି ମଧ୍ୟ ଡାକ୍ତର ରାଉତ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.