ଓଡ଼ିଶା ପ୍ରତି ବାଙ୍ଗଲାଦେଶୀ ଆତଙ୍କୀ ଭୟ, ହେଲେ ସମସ୍ତ ସମ୍ବେଦନଶୀଳ ଷ୍ଟେସନରେ ସୁରକ୍ଷା ଢିଲା

Published By : Prameya-News7 Bureau | October 16, 2019 IST

ଭୁବନେଶ୍ୱର ୧୬।୧୦ - ଓଡ଼ିଶା ପ୍ରତି ବାଙ୍ଗଲାଦେଶୀ ଆତଙ୍କୀ ଭୟ । ଏନଆଇଏ ଡିଜିଙ୍କ ଚେତାବନୀ ପରେ ରାଜ୍ୟର ୬ ଟି ପ୍ରମୁଖ ରେଳ ଷ୍ଟେସନକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ସବୁ ଷ୍ଟେସନର ସୁରକ୍ଷା କଡାକଡି କରିବାକୁ ବରିଷ୍ଠ ପୋଲିସ ଅଧିକାରୀ ଓ ରେଳଓ୍ବ ସୁରକ୍ଷା ଅଧିକାରୀଙ୍କ ମଧ୍ୟ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଏବେ ଏ ସବୁ ଷ୍ଟେସନ୍ ରେ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା, ରିୟଲିଟି ଚେକ୍ କରିଥିଲା ନ୍ୟୁଜ ସେଭେନ ।

ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର ଓ ଝାରସୁଗୁଡ଼ା । ରାଜ୍ୟର ପ୍ରମୁଖ ଏହି ୬ ରେଳ ଷ୍ଟେସନକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏଠାରେ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା, କେତେ ସକ୍ରିୟ ସୁରକ୍ଷା କର୍ମୀ, ରେଳ ଷ୍ଟେସନର ରିଅଲିଟି ଚେକ୍ କରିଛି ନ୍ୟୁଜ ସେଭେନ । ରାଜ୍ୟର ସବୁଠୁ ବ୍ୟସ୍ଥବହୁଳ ଭୁବନେଶ୍ବର ଷ୍ଟେସନ, ଏଠି ସୁରକ୍ଷା ଏକଦମ ଢିଲା । ନା ପ୍ରବେଶ ପଥରେ ଚେକ୍ ହେଉଛି, ନା ଲଗେଜରେ କିଏ କ’ଣ ଭିତରକୁ ନେଲା ଯାଞ୍ଚ୍ ହେଉଛି । ଯାହାର ଇଛା ହେଲା ଲଗେଜ ସ୍କାନରରେ ସ୍କାନ କରାଇଲା, ନହେଲେ ନାହିଁ । ଏମିତିକି ଗଳା ବାଟ ଦେଇ ଲୋକେ ଷ୍ଟେସନ ଭିତରକୁ ପ୍ରବେଶ କରୁଥିଲେ ବି ବାରଣ ନାହିଁ ।

କଟକ ଷ୍ଟେସନ, ଏଠି ବି ସମାନ ଅବସ୍ଥା । ବିନା ବାଧାରେ ଲୋକେ ଷ୍ଟେସନ ଭିତରେ ପ୍ରବେଶ କରୁଛନ୍ତି, ଆଉ ବାହାରୁଛନ୍ତି । ଏକ ଅଜଣା ପାର୍ସଲକୁ ନେଇ ମଙ୍ଗଳବାର ରାତିରେ କଟକ ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା । ଜଣେ ଯୁବତୀ ପାର୍ସଲ ଅଫିସ ନିକଟରେ ଏକ ପାର୍ସଲ ରଖି କେଉଁଆଡେ ଫେରାର ହୋଇଯାଇଥିଲେ । ବୁଧବାର ବମସ୍କ୍ବାର୍ଡ, ଡଗସ୍କ୍ବାର୍ଡକୁ ଯାଞ୍ଚ୍ କରିବାକୁ ପଡିଥିଲା ।

ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସହର ପୁରୀ ସର୍ବଦା ଆତଙ୍କୀଙ୍କ ଟାର୍ଗେଟରେ ରହିଆସିଛି । NIA ଡିଜିଙ୍କ ଚାଞ୍ଚଲ୍ୟକର ତଥ୍ୟ ପରେ ପୁରୀ ଷ୍ଟେସନର ସୁରକ୍ଷା କିନ୍ତୁ ବଢାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି ।

ଇଏ ଝାରସୁଗୁଡା ଷ୍ଟେସନରେ ରାତିରେ   ବିନା ଚେକିଂରେ ଯାଆସ କରୁଛନ୍ତି ଲୋକେ । ଲଗେଜ୍ ଯାଞ୍ଚ୍ କରାଯାଉନି । ପ୍ରାୟ ଅଧଘଣ୍ଟା ଧରି ଆମ ପ୍ରତିନିଧି ଷ୍ଟେସନରେ ବୁଲିଥିଲେ । ୨/୩ ଜଣ ଆରପିଏଫ କର୍ମଚାରୀ ଏପଟ ସେପଟ ହେଉଥିଲେ । ଜିଆରପି ପୋଲିସଙ୍କ ଦେଖା ମିଳିନଥିଲା ।

ରାଉରକେଲାରେ ବି ସମାନ  ଅବସ୍ଥା । ଏକଦମ ଢିଲା ସୁରକ୍ଷା । ରାତିରେ ସହାୟତା କେନ୍ଦ୍ରରେ କାହାର ଦେଖାମିଳିନଥିଲା । ଯାଞ୍ଚ୍ କଥା ଛାଡନ୍ତୁ ସୁରକ୍ଷା କର୍ମୀଙ୍କ ଦେଖାମିଳିନଥିଲା । ଜିଆରପି ଥାନାରେ ବି କେହି ନାହାଁନ୍ତି ।

ବ୍ରହ୍ମପୁର ଷ୍ଟେସନର ଅବସ୍ଥା ବି ସମାନ । ଏଠି ଜି ଆର୍ ପି ର ୨୦ ଜଣ କର୍ମଚାରୀ କାମ କରୁଥିବା ବେଳେ ରାତିରେ ମାତ୍ର ୩ ଜଣ  ନିୟୋଜିତ ଅଛନ୍ତି । ମଙ୍ଗଳବାର ରାତିରେ ଜଣେ ASI, ଦୁଇଜଣ କନେଷ୍ଟବଲ୍ ଙ୍କ ଡ୍ୟୁଟି ଥିଲା । କିନ୍ତୁ କାହାର ବି ଦେଖା  ନଥିଲା ।

ନ୍ୟୁଜ ସେଭେନର ଏହି ରିୟଲିଟି ଚେକ୍ ପରେ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ରୋଡ ଡିଭିଜନ୍ ଏଡିଆରଏମ୍ । ରିୟଲିଟ୍ ଚେକ୍ କରି ତ୍ରୁଟି ସାମ୍ନାକୁ ଆଣିଥିବାରୁ ନ୍ୟୁଜ ସେଭେନକୁ ସ୍ବାଗତ କରିଛନ୍ତି । ତ୍ରୁଟିକୁ ଖୁବ ଶୀଘ୍ର ସଂଶୋଧନ କରାଯିବ ବୋଲି କହିଛନ୍ତି ।

ଏବେ ଦେଖିବାର କଥା ଆଗକୁ ରେଳ ଷ୍ଟେସନର ସୁରକ୍ଷା କେତେ କଡ଼ା କଡି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.