ଆସନ୍ତା ବର୍ଷ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିବ ଅସଲି ମୁକାବିଲା, ଏହି ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ ୧୩।୦୬: ଚଳିତ ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରି ଯାଇଛି। ହେଲେ ଦେଶର ରାଜନୈତିକ ଉଷ୍ମତା ଏବେ ମଧ୍ୟ ଭରି ରହିଛି। ଆସନ୍ତା ବର୍ଷ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ନିର୍ବାଚନୀ ମଇଦାନରେ ପରସ୍ପରକୁ ମାତ୍ ଦେବା ପାଇଁ ରାଜନୈତିକ ଗଳଗୁଡିକ ପକ୍ଷରୁ ଏବେଠାରୁ ପ୍ରୟାସ ଆରମ୍ଭ ହୋଇ ଯାଇଛି। କେଉଁ ରାଜ୍ୟରେ ପାର୍ଟି-ପାର୍ଟି ହାତ ମିଳାଉଥିବା ବେଳେ ଆଉ କେଉଁଠି ପୁରୁଣା ଶତ୍ରୁକୁ ମିତ୍ର କରାଯାଉଛି ଏବଂ ଆଉ କେଉଁଠି ଶେଷ ମୁହୂର୍ତ୍ତରେ ଝଟକା ଦିଆଯାଉଛି। ଏହି ସବୁ ଖେଳ ପରଦା ପଛରେ ଆରମ୍ଭ  ହୋଇ ଯାଇଛି। ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ କେନ୍ଦ୍ର ସରକାରଙ୍କ ପାଇଁ ସେମି ଫାଇନାଲ୍ ଭାବେ ଚିତ୍ରଣ କରାଯାଉଛି। କାରଣ ଏହାର ଦୁଇ ବର୍ଷ ପରେ ୨୦୨୪ରେ ସାଧାରଣ ନିର୍ବାଚନ ଅଛି। ତେଣୁ ଉତ୍ତର ପ୍ରଦେଶ ପରି ବଡ ରାଜ୍ୟରେ ବିଜୟ ହାସଲ କରିବା କୌଣସି ବି ଦଳ ପାଇଁ କେନ୍ଦ୍ରରେ ସରକାର ଗଠନ କରିବା ଆଶା  ବଢିଯାଇଥାଏ।

ଆସନ୍ତାବର୍ଷ ଯେଉଁ ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ବର୍ତ୍ତମାନ ବିଜେପିର ଦବଦବା ରହିଛି। ପ୍ରଶ୍ନ ଉଠୁଛି କଣ ବିଜେପି ପୁଣି ଥରେ ସେହି ରାଜ୍ୟଗୁଡିକରେ ନିଜର ଗାଦି ବଞ୍ଚାଇ ରଖି ପାରିବ କି ? ଅନ୍ୟପଟେ କଂଗ୍ରେସ କଣ ପାର୍ଟି ଭିତରେ ନୂତନ ଆଶା ଜାଗ୍ରତ କରି ପାରିବ ? ପ୍ରଶ୍ନ ତ ଅନେକ ଯାହାର ଉତ୍ତର ପାଇଁ ଆମକୁ ଆଗାମୀ ଆସନ୍ତା ବର୍ଷ ଅପେକ୍ଷା କରିବାକୁ ପଡିବ। ଏହା ପୂର୍ବରୁ ଆସନ୍ତୁ ଜାଣିବା ୨୦୨୨ରେ କେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ  ବର୍ତ୍ତମାନ ସେଠାରେ କେଉଁ ଦଳର ସରକାର ରହିଛି।

ଉତ୍ତର ପ୍ରଦେଶ

ଦେଶରେ ପ୍ରଧାନମନ୍ତ୍ରୀ ଆସନରେ  ବସିବା ପାଇଁ ହେଲେ ଏହାର ଦ୍ଵାର ଦେଶ ହେଉଛି ଉତ୍ତର ପ୍ରଦେଶ। ଏହି ରାଜ୍ୟରେ ବିନା ସଫଳତାରେ ଲୋକସଭା ନିର୍ବାଚନ ଜିତିବା ମୁସ୍କିଲ। ତେଣୁ ଦେଶର ରାଜନୀତି ଦୃଶ୍ୟପଟ୍ଟରେ ଉତ୍ତର ପ୍ରଦେଶର ଗୁରୁତ୍ଵ  ବହୁତ ଅଧିକ ରହିଛି। ଏହି ରାଜ୍ୟରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୧୭ ନିର୍ବାଚନରେ  ବିଜେପି ରେକର୍ଡ ସଂଖ୍ୟକ ବିଜୟ ହାସଲ କରିଥଲା। ପୁଣି ଥରେ ବିଜେପି କ୍ଷମତାସୀନ ହେବାକୁ ଅଣ୍ଟା ଭିଡିଛି। ଗତ ନିର୍ବାଚନରେ ବିଜେପି ୩୧୨ ଆସନରେ ବିଜୟୀ ହୋଇଥିଲା। ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ପଞ୍ଜାବ

ପଞ୍ଜାବରେ ବର୍ତ୍ତମାନ କଂଗ୍ରେସ ସରକାରରେ ଅଛି। ଗତ ଥର ଏଠାରେ  ବିଜେପି ମେଣ୍ଟକୁ ଶୋଚନୀୟ ପରାଜୟ ଭୋଗିବାକୁ ପଡିଥିଲା। କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଆମ୍ ଆଦମୀ ପାର୍ଟି ଦ୍ଵିତୀୟରେ ରହିଥିଲା। ବିଜେପି ଓ ଶିରୋମଣି ଅକାଳୀ ଦଳ କେବଳ ୧୫ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲେ। ଏଥର ବିଜେପି ଓ ଅକାଳୀ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗି ସାରିଛି।

ପଞ୍ଜାବ ରାଜନୀତିର ଦୃଶ୍ୟ ବଦଳି ଯାଇଛି। କଂଗ୍ରେସର ନିଜର ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ରଖିଛନ୍ତି। ତେଣୁ କଂଗ୍ରେସକୁ ପ୍ରଥମେ ଘରକଳିକୁ ଶାନ୍ତ କରିବାକୁ ପଡିବ। ଅନ୍ୟପଟେ ଅକାଳି ଦଳ ଓ ବିଏସପି ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି। ଆପ୍ ମଧ୍ୟ କ୍ରମାଗତ ନିଜର ସ୍ଥିତି ମଜବୁତ କରିବାରେ ଲାଗି ପଡିଛି। ତେଣୁ ଏଥର ଲଢେଇ ଜମିବ ବୋଲି କୁହାଯାଉଛି।

ଗୁଜରାଟ

ଗୁଜରାଟରେ ମଧ୍ୟ ଆସନ୍ତାବର୍ଷ  ଶେଷ ଆଡକୁ ନିର୍ବାଚନ  ହେବାର ଅଛି। ଗତ ବିଧାନସଭା ନିର୍ବାଚନରେ ବିଜେପି ୯୯ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୭ଟି ଆସନରେ  ଜିତିଥିଲା। ତେଣୁ ୨୦୨୨ରେ ମଧ୍ୟ ଦୁଇ ପାରମ୍ପରିକ ଦଳ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ହେବାର ଆଶା କରାଯାଉଛି।

ଉତ୍ତରାଖଣ୍ଡ

ଚଳିତ ବର୍ଷ ମାର୍ଚ୍ଚରେ ବିଜେପି ଏଠାରେ ନିଜର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା। ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ତୀରଥ ସିଂହ ରାଓ୍ଵତଙ୍କୁ କରାଯାଇଛି। କଣ ଏଠାରେ ବିଜେପି କ୍ଷମତାକୁ ବଜାୟ ରଖି  ପାରିବ ତାକୁ ନେଇ ଆସନ୍ତା ବର୍ଷ ନିର୍ବାଚନକୁ ଅପେକ୍ଷା କରିବାକୁ ପଡିବ। ଗତ ନିର୍ବାଚନରେ ବିଜେପି ୫୭ଟି ଆସନରେ ବିଜୟୀ ହୋଇଥିଲା।

ହିମାଚଳ ପ୍ରଦେଶ

ଏଠାରେ ଆସନ୍ତା ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ନିର୍ବାଚନ ହେବ। ସଂପ୍ରତି ରାଜ୍ୟରେ ବିଜେପି ସରକାରରେ ରହିଛି। ୨୦୧୭ରେ ବିଜେପି ୪୪ଟି ଆସନରେ ବିଜୟୀ ହୋଇ ସରକାର ଗଢିଥିଲା। କଂଗ୍ରେସକୁ କେବଳ ୨୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.