ଅଶୋକ ଗେହଲଟଙ୍କ ଗୋଷ୍ଠୀରେ ସାମିଲ ହେବେ ପାଇଲଟ୍‌ଙ୍କ ୩ ସହଯୋଗୀ ବିଧାୟକ ! ସେପଟେ ରାଜ୍ୟପାଳଙ୍କୁ ହଟାଇବାକୁ କୋର୍ଟରେ ଆବେଦନ

Published By : Prameya-News7 Bureau | July 27, 2020 IST

ଜୟପୁର ୨୭।୦୭: ରାଜସ୍ଥାନରେ ଜାରି ରାଜନୈତିକ ସଂଗ୍ରାମରେ ଆଜି ୩ଟି ବଡ ଘଟଣା ଘଟିଛି। ବିଏସପି ବିଧାୟକଙ୍କ କଂଗ୍ରେସରେ ବିଲୟକୁ ନେଇ ଦାଖଲ ଯାଚିକା ହାଇକୋର୍ଟରେ ଖାରଜ ହୋଇ ଯାଇଛି। ଅନ୍ୟପଟେ ରାଜସ୍ଥାନ ହାଇକୋର୍ଟରେ ଜଣେ ଜନସ୍ଵାର୍ଥ ମାମଲା ଦାୟର କରି ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ପଦରୁ ହଟାଇବାକୁ ଦାବି କରାଯାଇଛି। ଏହା ବ୍ୟତୀତ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଦାବି କରିଛନ୍ତି ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀର ୩ ବିଧାୟକ କଂଗ୍ରେସକୁ ଫେରୁଛନ୍ତି।

ରାଜ୍ୟପାଳଙ୍କୁ ହଟାଇବାକୁ ଦାବି

ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ପଦରୁ ହଟାଇବା ପାଇଁ ସୋମବାର ରାଜସ୍ଥାନ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର ହୋଇଛି। ଆବେଦନରେ କୁହାଯାଇଛି ରାଜ୍ୟପାଳ କଲରାଜ ମିଶ୍ର ସଚ୍ଚୋଟତାର ସହ ନିଜର ଦାୟିତ୍ଵ ନିର୍ବାହନ କରୁ ନାହାନ୍ତି। ଏହି ଯାଚିକା ଆଡଭୋକେଟ୍‌ ଶାନ୍ତନୁ ପାରିକ ଦାଖଲ କରିଛନ୍ତି। ଉଲ୍ଲେଖନୀୟ ରାଜସ୍ଥାନରେ ଅଶୋକ ଗେହଲଟଙ୍କ ସରକାର ବିଧାନସଭା ଅଧିବେଶନ ଡକାଇବାକୁ ଚାହୁଁଛନ୍ତି, ମାତ୍ର ରାଜ୍ୟପାଳ ଏହାର ଅନୁମତି ଦେଉ ନାହାନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ପାଇଲଟ୍‌ଙ୍କ ଗୋଷ୍ଠୀର ୩ ବିଧାୟକ ଫେରିବେ

ସୂତ୍ର ଅନୁଯାୟୀ ଏହା ଦାବି କରାଯାଉଛି ସଚିନ ପାଇଲଟ୍‌ଙ୍କ ସହଯୋଗୀ ବିଧାୟକଙ୍କ ମଧ୍ୟରୁ ୩ ଜଣ ପୁନର୍ବାର ଅଶୋକ ଗେହଲଟଙ୍କ ଗୋଷ୍ଠୀକୁ ଫେରି ଆସିବେ। ହୋଟେଲ ଫେୟରମାଉଣ୍ଟରେ କଂଗ୍ରେସ ବିଧାୟକଙ୍କୁ ସମ୍ବୋଧିତ କରି କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା କହିଛନ୍ତି ଆଗାମୀ ୪୮ ଘଣ୍ଟାରେ ୩ ବିଧାୟକ ଗେହଲଟଙ୍କ ଗୋଷ୍ଠୀକୁ ଫେରି ଆସିବେ। ମାତ୍ର ଏହା ଉପରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କୁହାଯାଇ ନାହିଁ।

ହାଇକୋର୍ଟରେ ଆବେଦନ ଖାରଜ

wp:html /wp:html

ବିଏସପିର ୬ ବିଧାୟକ କଂଗ୍ରେସରେ ବିଲୟକୁ ନେଇ ଦାଖଲ ଯାଚିକା ହାଇକୋର୍ଟରେ ଖାରଜ ହୋଇ ଯାଇଛି। ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଆଧାରହୀନ ଦର୍ଶାଇଛନ୍ତି। ପୂର୍ବତନ ମନ୍ତ୍ରୀ ମଦନ ଦିଲାଓ୍ଵରଙ୍କ ପକ୍ଷରୁ ଦାଖଲ ଆବେଦନରେ କୁହାଯାଇଥିଲା ଯେ, ବିଧାନସଭା ବାଚସ୍ପତି ସିପି ଯୋଶୀ କଂଗ୍ରେସରେ ବିଲୟ ପାଇଁ ବିଏସପିର ୬  ବିଧାୟକଙ୍କୁ ଅଯୋଗ୍ୟ ବିବେଚିତ କରିବା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଏହି ମାମଲାରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଆବେଦନ ଖାରଜ କରିଛନ୍ତି। ଏହି ମାମଲାରେ ବିଏସପି ମଧ୍ୟ ନିଜେ ପାର୍ଟି ଗଠନ ପାଇଁ ଆବେଦନ ଦାଖଲ କରିଥିଲା। ହେଲେ ହାଇକୋର୍ଟ ତାକୁ ମଧ୍ୟ ଖାରଜ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.