ଜୟନାରାୟଣ ମାନିଲେ ବିଷ୍ଣୁ ତେଢିଲେ, ଦୁହେଁ କହିଲେ ହୋଇଛି ଠିକ୍ ; ନିନ୍ଦା କଲେ ନରସିଂହ : ଯାଞ୍ଚ ପରେ ପଦକ୍ଷେପ ବୋଲି କହିଲେ ବାଚସ୍ପତି

Published By : Prameya-News7 Bureau | April 03, 2021 IST

ଭୁବନେଶ୍ବର ୩।୪: ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ବିଜେପି ସଦସ୍ୟ ଚପଲ ଫିଙ୍ଗିବା ଘଟଣା ଆଇନ ତା ବାଟରେ ଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ସମସ୍ତ କଥାକୁ ବିଚାର କରାଯାଉଛି । ଚପଲ କିଏ ଫିଙ୍ଗିଛି ତାର ଫଟୋ କପିର ଯାଞ୍ଚ ହେବ । ଯାଞ୍ଚ ପରେ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କରିଛନ୍ତି ।

ସେପଟେ ବିଜେପି ନେତା ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବିଷ୍ଣୁ ଦାସ କହିଛନ୍ତି ବିନା ଆଲୋଚନାରେ ବିଲ୍ ପାସ୍ କରାଯାଉଥିଲା । ବିରୋଧୀ ସଦସ୍ୟଙ୍କୁ ସୁଯୋଗ ଦିଆଯାଉନଥିଲା । ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ନୋଟିସ୍ ଗ୍ରହଣ କରିନଥିଲେ ବାଚସ୍ପତି । ବାଚସ୍ପତିଙ୍କ ଏଭଳି ଆଚରଣ ଦୁର୍ଭାଗ୍ୟଜନକ । ଏଭଳି ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା କଣ ଅନ୍ୟ କିଛି କରିବା ଉଚିତ୍ ବୋଲି ସେ କହିଛନ୍ତି । ଜୟନାରାୟଣ କହିଛନ୍ତି ବାଚସ୍ପତି ମନଇଚ୍ଛା ଢଙ୍ଗରେ ଗୃହ ଚଳାଉଛନ୍ତି । ବାଚସ୍ପତି ଅଶୋଭନୀୟ କାମ କରୁଛନ୍ତି । ତେଣୁ ତାଙ୍କୁ ଯାହା ଫୋପାଡିଲେ କଣ ଅଛି ବୋଲି ଜୟନାରାୟଣ କହିଛନ୍ତି ।

ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ବିଜେପି ସଦସ୍ୟଙ୍କ ଏଭଳି ଅଶୋଭନୀୟ ଆଚରଣ ଓଡିଶାବାସୀ ଗ୍ରହଣ କରିବେନାହିଁ । ପ୍ରଚାରପ୍ରସାର କରିବାକୁ ବିରୋଧୀ ସଦସ୍ୟ ଏଭଳି କରୁଛନ୍ତି । ସରକାର ସବୁବେଳେ ବିରୋଧୀ ଦଳକୁ ସମ୍ମାନ ଦେଇଆସିଛନ୍ତି । ବିରୋଧୀ ଦଳ ନେତାଙ୍କ ଦାବିକୁ ମଧ୍ୟ ସମ୍ମାନ ଦେଇ ଆସିଛନ୍ତି । ବାଚସ୍ପତି କୌଣସି ପ୍ରକାରର ପକ୍ଷପାତିତା କରିନାହାନ୍ତି । ବିରୋଧୀ ଦଳକୁ ଅଗ୍ରାଧିକାର ଦେଇଛନ୍ତି । ବାଚସ୍ପତି କୌଣସି ଦଳକୁ ସହାନୁଭୂତି ଦେଖାଇନାହାନ୍ତି । ଘଟଣା ସଂପର୍କରେ ବାଚସ୍ପତି ତର୍ଜମା କରୁଛନ୍ତି । ସେ କିଛି ନା କିଛି କାର୍ଯ୍ୟାନୁଷ୍ଠାନ ନେବେ ।  

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାର ନିନ୍ଦା କଲେ ନରସିଂହ ମିଶ୍ର । ଏହା ଗୃହରେ ଭୁଲ୍ ପରମ୍ପରା ସୃଷ୍ଟି କରିଛି । ବିନା ଆଲୋଚନାରେ ବିଲ୍ ପାସ୍ କୁ ନରସିଂହ ନିନ୍ଦା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିଲେ ବିଜେପି ସଦସ୍ୟ । ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଥିଲା । କେବଳ ସେତିକି ନୁହେଁ ବିଜେପି ବିଧାୟକ ମୋହନ ମାଝୀ ମଧ୍ୟ ବାଚସ୍ପତିଙ୍କୁ ଲକ୍ଷ୍ୟ କରି ପୋଡିୟମ୍ ଉପରକୁ ଇୟରଫୋନ୍ ଓ କାଗଜ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.