ରାଜ୍ୟସଭା ପ୍ରାର୍ଥୀ ପ୍ରସଙ୍ଗ : ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ ନିଷ୍ପତ୍ତି – ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
22/06/2019 at 11:16 AM

ଭୁବନେଶ୍ବର ୨୨|୬: ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ । ନବୀନଙ୍କ ଏହି ଘୋଷଣା ପରେ ଏବେ ରାଜ୍ୟ ରାଜନୀତିର ପାଣିପାଗ ବଦଳିଛି । ଫାଙ୍କା ପଡିଥିବା ରାଜ୍ୟସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ରାଜ୍ୟସଭା ପାଇଁ ୨ ଦଳୀୟ ପ୍ରାର୍ଥୀଙ୍କ ନାଁ ବିଜେଡି ଘୋଷଣା କରିଥିବା ବେଳେ ଆଉ ଗୋଟିଏ ଆସନ ପାଇଁ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ଦଳ ସମର୍ଥନ କରିବ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ ଅଶ୍ବିନୀଙ୍କ ସମର୍ଥନ ପ୍ରସ୍ତାବରେ ନିଜର ସମ୍ମତି ଜଣାଇଥିବା କହିଛନ୍ତି ନବୀନ । ନବୀନଙ୍କ ଏଭଳି ନିଷ୍ପତି ଦ୍ବାରା କେବଳ ବିଜେଡି ଗୋଟିଏ ଆସନ ହରାଇବ ନାହିଁ ବରଂ ରାଜ୍ୟସଭାରେ ବିଜେପି ଗୋଟିଏ ଆସନ ଲାଭରେ ରହିବ ।
ଫାଙ୍କା ପଡିଥିବା ୩ ରାଜ୍ୟସଭା ଆସନ ବିଜେଡି ହାତକୁ ଆସିବା ଏକପ୍ରକାର ସ୍ପଷ୍ଟ ହୋଇସାରିଥିଲା । ଏହି ୩ଟି ଆସନ ପାଇଁ ବିଧାନସଭାରେ ବିଜେଡିର ଆବଶ୍ୟକୀୟ ସଂଖ୍ୟା ମଧ୍ୟ ଥିଲା । କିନ୍ତୁ ଏସବୁ ପରିବର୍ତ୍ତେ ବିଜେପି ପ୍ରାର୍ଥୀଙ୍କୁ କାହିଁକି ସମର୍ଥନ କଲା ବିଜେଡି । ଏପରିକି ବିଜେପି ପାଖରେ ରାଜ୍ୟସଭା ସାଂସଦ ନିର୍ବାଚିତ କରିବାକୁ ଆବଶ୍ୟକୀୟ ସଂଖ୍ୟା ନଥିଲେ ମଧ୍ୟ ଏହାର ପ୍ରାର୍ଥୀଙ୍କୁ କାହିଁକି ସବୁଜ ସଂକେତ ଦେଲା ବିଜେଡି । ଏଭଳି ଅନେକ ପ୍ରଶ୍ନ ଉଠୁଛି । ଏହାସହ ରାଜ୍ୟସଭା ପାଇଁ ପ୍ରସନ୍ନ ପାଟ୍ଟଶାଣୀଙ୍କ ଆସନ ପକ୍କା ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଥମିଯାଇଛି । ପ୍ରସନ୍ନଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ ବି ପ୍ରତିଶ୍ରୁତି ପାଳି ନାହାନ୍ତି ନବୀନ ।
ସେପଟେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ନିରାଶ ହୋଇଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳୀୟ ସୁପ୍ରିମୋ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଟିକେଟ୍ ପାଇଲି ନାହିଁ । ସେଥିପାଇଁ କିନ୍ତୁ ଦୁଃଖିତ ନୁହେଁ ।ଦଳୀୟ ସୁପ୍ରିମୋ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ୍ ନିଷ୍ପତ୍ତି । ଦଳର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଦଳ ପାଇଁ କାମ କରିବି । ଦଳ ଯାହା ନିଷ୍ପତ୍ତି ନେବ ଏବଂ ଯେଉଁ ଦାୟିତ୍ଵ ଦେବ ନିଷ୍ପତ୍ତିକୁ ସମ୍ମାନ ଜଣାଇ କାମ କରିବି । ଆଗାମୀ ଦିନରେ ଦଳୀୟ ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ରଖିବେ ବୋଲି ସେ କହିଛନ୍ତି ।