ଆଇପିଏଲ ୨୦୨୧ : ଆଜି ଚ୍ୟାଲେଞ୍ଜର୍ସକୁ ଟକ୍କର ଦେବ ନାଇଟ୍ ରାଇଡର୍ସ

Published By : Prameya-News7 Bureau | May 03, 2021 IST

ଅହମ୍ମଦାବାଦ ୦୩/୦୫: ଆଇପିଏଲ୍‌ର ୩୦ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ନାଇଟ ରାଇଡର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତବଦ୍ଧ । ଅନ୍ୟ ପଟରେ ୨ଟି ମ୍ୟାଚ୍‌ ପରାଜିତ ହେବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ବ୍ୟାକୁଳ ।

ଉଭୟ ଦଳ ଗତ ମାସ ୧୮ ତାରିଖରେ ପରସ୍ପରକୁ ଭେଟିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ୩୮ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏଥର ନାଇଟ ରାଇଡର୍ସ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ ହେବା ଜରୁରୀ । କେବଳ ସେତିକି ନୁହେଁ, ବ୍ୟାଟିଂ ବିଭାଗ ସୁଦୃଢ ହେବା ନିହାତି ଆବଶ୍ୟକ । ନାଇଟ୍‌ ରାଇଡର୍ସର ଓପନିଂ ବିଭାଗ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ସୋମବାର ଏହି ତ୍ରୁଟି ସୁଧାରିବାକୁ ଦଳ ପ୍ରୟାସ କରିବ। ନିତିଶ ରାଣା ଓ ଶୁଭମନ ଗିଲଙ୍କ ମଧ୍ୟରୁ ଜଣେ ଏକାଦଶରୁ ବାଦ ପଡ଼ିବା ସମ୍ଭାବନା ରହିଛି ।

ଟାଇଟଲ ଦାବିଦାର ରୂପେ ଉଭା ହୋଇଥିଲେ ହେଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳରେ ତ୍ରୁଟି ଦେଖିବାକୁ ମିଳିଛି । ବିଶେଷ କରି ବାମ ହାତି ସ୍ପିନରଙ୍କ ବିପକ୍ଷରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଛନ୍ତି । ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନମାନେ ରବିନ୍ଦ୍ର ଜାଡେଜାଙ୍କ ମୁକାବିଲା କରିପାରି ନଥିଲେ । ସେହିପରି ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ହରପ୍ରୀତ ବ୍ରାରଙ୍କ ସ୍ପିନକୁ ପରଖିବାରେ କୋହଲି ବାହିନୀ ବିଫଳ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.