Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶରୁ ମାନ୍ଦାବସ୍ଥା ଦୂର ପାଇଁ ସରକାଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ଦେବ ଆରବିଆଇ

27/08/2019 at 6:50 PM

ନୂଆଦିଲ୍ଲୀ ୨୭।୮ .-  ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥାରୁ ବାହାରିବା ପାଇଁ ଆରବିଆଇ କେନ୍ଦ୍ର ସରକାରଙ୍କୁ ୧ଲକ୍ଷ ୭୬ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ରାଜି ହୋଇଛି । ହେଲେ ଏହି ଅର୍ଥ ମାନ୍ଦାବସ୍ଥାକୁ ରୋକି ପାରିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଆଣିବା ପାଇଁ ଏହି ଅର୍ଥ କେତେ ସହାୟକ ହେବ ? ସେ ନେଇ ଅର୍ଥନୀତିଜ୍ଞଙ୍କ ମନରେ ନାନା ପ୍ରଶ୍ନ ଉଙ୍କିମାରିଛି । ସେପଟେ ଆରବିଆଇରୁ କେନ୍ଦ୍ର ସରକାର ଆଣୁଥିବା ଅର୍ଥକୁ ନେଇ ବିରୋଧୀ କିନ୍ତୁ ସମାଲୋଚନା କରିଛନ୍ତି । କହିଛନ୍ତି ଦେଶକୁ ସରକାର ଆର୍ଥିକ ଜରୁରୀ ପରିସ୍ଥିତି ଆଡକୁ ଠେଲିଦେଇଛନ୍ତି । ….

ଆରବିଆଇରୁ ଅଣାଯିବାକୁ ଥିବା ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ଦେଶର ମାନ୍ଦାବସ୍ଥାକୁ ସୁଧାରିପାରିବ କି ? ଦେଶର ବିଗିଡିଥିବା ଅର୍ଥ ବ୍ୟବସ୍ଥା ଏହି ଅର୍ଥ ଦ୍ବାରା ଟ୍ରାକ୍‌କୁ ଫେରି ପାରିବ କି ? ଏଭଳି ନାନା ପ୍ରଶ୍ନ ଏବେ ଅର୍ଥନୀତି ବିଶେଷଜ୍ଞ ଓ ଦେଶବାସୀଙ୍କ ମନରେ ଉଙ୍କି ମାରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଲାଭାଂଶ ଓ ବଳକା ପାଣ୍ଠି ବାବଦରେ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି ।୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କୁ ରେକର୍ଡ ୧ ଲକ୍ଷ  ୨୩ ହଜାର ୪୧୪ କୋଟି ଟଙ୍କାର ବଳକା ପାଣ୍ଠି ପ୍ରଦାନ କରିବ ।

ଏହାସହ ୫୨ ହଜାର ୬୩୭ କୋଟି ଟଙ୍କାକୁ ଅତିରିକ୍ତ ବ୍ୟବସ୍ଥା ଭାବେ ଚିହ୍ନଟ କରାଯାଇଛି ଯାହା ସରକାରଙ୍କୁ ହସ୍ତାନ୍ତର କରାଯିବ । ରିଜର୍ଭ ବ୍ୟାଙ୍କ ଠାରୁ ଏହି ଅର୍ଥ ପାଇବା ପରେ ସରକାର ତାକୁ ସାର୍ବଜନୀନ ‌କ୍ଷେତ୍ରର ବିନିଯୋଗ କରିପାରିବେ ଏବଂ ବ୍ୟାଙ୍କଗୁଡ଼ିକର ସ୍ଥିତି ସୁଧାରିବାକୁ ନୂତନ ପାଣ୍ଠି ଦେଇପାରିବେ । ତେବେ ଏହା ଦ୍ବାରା ଅର୍ଥ ବ୍ୟବସ୍ଥା ସୁଧୁରିବ ବୋଲି ବିଶେଷଜ୍ଞ କହୁଛନ୍ତି ।  , ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟମ୍ ଏ କଥା ପ୍ରକାଶ କରିଛନ୍ତି ।

ସେପଟେ ଆରବିଆଇ ଠାରୁ କେନ୍ଦ୍ର ସରକାର ଏହି ଅର୍ଥ ଆଣିବା ଏକପ୍ରକାର ଚୋରି ବୋଲି ଉଲ୍ଲେଖ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରିଜର୍ଭ ବ୍ୟାଙ୍କରୁ ଅର୍ଥ ଆଣିଲେ ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ସୁଧାରି ହେବନି ।ଏହା କେବଳ ଘା କୁ ଭଲ କରିବା ପାଇଁ ଡିସ୍‌ପେନସେରୀରୁ ବ୍ୟାଣ୍ଡ ଏଡ୍‌ ଚୋରି କରିବା ଭଲି ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି । କେନ୍ଦ୍ର ସରକାର ଦେଶକୁ ଆର୍ଥିକ ଜରୁରୀ କାଳୀନ ପରିସ୍ଥିତି ଆଡକୁ ଠେଲି ଦେଇଛନ୍ତି ବୋଲି  ବିରୋଧୀ  କହିଛନ୍ତି ।

ସେପଟେ ମାନ୍ଦାବସ୍ଥାରୁ ବାହାରିବା ପାଇଁ ରାଜ୍ୟ ସରକାର ବାଟ ଖୋଜିବା ଆରମ୍ଭ କଲେଣି । ଖାସକରି ରାଜ୍ୟର ଆୟ ଓ ବିନିଯୋଗ କିଭଳି ଠିକଣା ଭାବରେ ହୋଇପାରିବ ସେନେଇ ଏବେ ତର୍ଜମା କରିବା ଆରମ୍ଭ କରିଛି ଅର୍ଥ ବିଭାଗ । ସରକାର ଏହା ଉପରେ ସତର୍କ ନଜର ରଖିଛନ୍ତି । ରାଜସ୍ବ ଆୟ ଉପରେ ସରକାର ଗୁରୁତ୍ବ ଦେବେ । ବଜାର ଉପରେ ନଜର ରଖାଯାଇଛି ଓ ଅର୍ଥର ସୁବିନିଯୋଗ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା  ଓଡିଶାର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ସରକାର ମାନ୍ଦା ବସ୍ଥାରୁ ବାହାରକୁ ବାହାରିବାକୁ ହେଲେ ଅନେକ ଅର୍ଥନୈତିକ ସଂସ୍କାର ଆଣିବାର ଆବଶ୍ୟକତା ରହିଛି । ସେହିଭଳି ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ବି ତାଳମେଳର ଆବଶ୍ୟକତା ରହିଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

   Related Posts