RBIଙ୍କ ବଡ ପଦକ୍ଷେପ: ଆର୍ଥିକ ସ୍ଥିରତା ଲାଗି ବଜାରକୁ ଛାଡିବେ ୩୦ ହଜାର କୋଟି ଟଙ୍କା
22/03/2020 at 1:11 PM

ନୂଆଦିଲ୍ଲୀ ୨୨।୩: ଦେଶରେ କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ତଥା ବଜାରର ଆର୍ଥିକ ସ୍ଥିରତା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଖୋଲା ବଜାରରେ ଆରବିଆଇ ୩୦ ହଜାର କୋଟି ଟଙ୍କା ଛାଡିବେ ବୋଲି ଜଣାପଡିଛି। ନିଷ୍ପତ୍ତି ଅନୁସାରେ ଆରବିଆଇ ଓପନ ମାର୍କେଟ ଅପରେସନ( ଓଏମଓ)ରେ ସରକାରୀ ପ୍ରତିଭୂତି (ସିକ୍ୟୁରିଟିଜ୍) କ୍ରୟ କରିବେ।

୨ଟି ପର୍ଯ୍ୟାୟରେ ଆରବିଆଇ ୩୦ ହଜାର କୋଟି ଟଙ୍କା ଛାଡିବାକୁ ଥିବା ବେଳେ ପ୍ରତି ପର୍ଯ୍ୟାୟରେ ୧୫ ହଜାର କୋଟି ଟଙ୍କା ଲେଖାଏଁ ବଜାରକୁ ଆସିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତ୍ତିରେ କହିଛନ୍ତି। ଏଥିରେ ମାର୍ଚ୍ଚ ୨୪ ଓ ୩୦ ତାରିଖରେ ଆରବିଆଇ ଅକ୍ସନ କରିବେ ବୋଲି କହିଛନ୍ତି ।

ଦେଶରେ ସିଓଭିଆଇଡି-୧୯ ସଂକ୍ରମଣ ଯୋଗୁ ହାତକୁ ନିଆଯାଉଥିବା ସାମାଜିକ ଦୂରତା କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ପଦକ୍ଷେପ ଯୋଗୁ ବଜାର ବ୍ୟବସ୍ଥା ଗୁରୁତର ପ୍ରଭାବିତ ହେବ। ଏଣୁ ଏଭଳି କାର୍ଯ୍ୟକ୍ରମ ଯୋଗୁ ଯେପରି ବଜାରରେ ଶିଥିଳତା ନ ଆସେ ସେଥିଲାଗି ଆରବିଆଇ ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଆରବିଆଇ ଶୁକ୍ରବାର ବଜାରକୁ ୧୦ ହଜାର କୋଟି ଟଙ୍କା ଛାଡିଥିଲେ।

ଏଥିରେ କୁପନ ଦର ୬.୮୪, ୭.୭୨, ୮.୩୩ ଓ ୭.୨୬ ପ୍ରତିଶତ ସୁଧହାରରେ ସିକ୍ୟୁରିଟିଜ୍ କ୍ରୟ କରାଯାଇଛି। ତେବେ କରୋନା ମହାମହାରୀରେ ଅର୍ଥନୀତିକୁ ଯେ କୌଣସି ପ୍ରକାର ସହଯୋଗ ଲାଗି ଆର୍ଥିକ ନିୟନ୍ତ୍ରକଙ୍କ ନିକଟରେ ଅନେକ ବିକଳ୍ପ ଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୂର୍ବରୁ କହିଛନ୍ତି। ଏଥିରେ ଗତ ୬ ଫେବୃଆରୀ ନୀତି ସମୀକ୍ଷା ପରଠାରୁ ଆରବିଆଇ ଏପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ୧୧ ଲକ୍ଷ କୋଟି ଟଙ୍କା ପ୍ରଚଳନ କରିଥିବା ଜଣାପଡିଛି।