ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ଆରବିଆଇ, କହିଲେ- 'ଲୋନ ମୋରାଟୋରିୟମ ଅବଧି ବଢାଇବା ଆଉ ସମ୍ଭବ ନୁହେଁ'

Published By : Prameya-News7 Bureau | October 10, 2020 IST

ନୂଆଦିଲ୍ଲୀ ୧୦।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଲୋନ ମୋରାଟୋରିୟମ ମାମଲାରେ ସୁପ୍ରିମକୋର୍ଟରେ ନୂତନ ସତ୍ୟପାଠ ଦାଖଲ କରିଛି। ଏଥିରେ ଆରବିଆଇ ନିଜର ପକ୍ଷ ରଖି କହିଛି କରୋନା ଭାଇରସ୍ ମହାମାରୀରେ  ପ୍ରଭାବିତ  କ୍ଷେତ୍ରକୁ ଅଧିକ ରିଲିଫ୍ ଦେବା ସମ୍ଭବ ନୁହେଁ। ବ୍ୟାଙ୍କ ଏହା ମଧ୍ୟ କହିଛି ଲୋନ ମୋରେଟୋରିୟମକୁ ଛଅ ମାସରୁ ଅଧିକ ସମୟ ବଢାଇବା ସମ୍ଭବ ନୁହେଁ। ଛଅ ମାସରୁ ଅଧିକ ଲମ୍ବା ମୋରାଟୋରିୟମ ଲୋନ ନେଇଥିବା ବ୍ୟକ୍ତିଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିପାରେ। ଏହାର ପରିଣାମସ୍ଵରୂପ ସମଗ୍ର ଋଣ ଅନୁଶାସନକୁ ସମାପ୍ତ କରାଯାଇପାରେ। ଏମିତି ହେଲେ ଅର୍ଥବ୍ୟବସ୍ଥାରେ ଋଣ ନିର୍ମାଣର ପ୍ରକ୍ରିୟା ଉପରେ ଗୁରୁତର ପ୍ରଭାବ ପଡିବ। ଏଥିରେ ଛୋଟ ଛୋଟ ଋଣ ନେଇଥିବା ଲୋକଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବ। କାରଣ କ୍ରେଡିଟ୍‌ ସ୍କୋର ଆଧାରରେ ହିଁ ଋଣ ଦେଉଥିବା ସଂସ୍ଥା ସେମାନଙ୍କୁ ପରବର୍ତ୍ତୀ ସମୟରେ ଋଣ ଦେବେ।

ଲୋନ ମୋରାଟୋରିୟମ ମାମଲାରେ ସୁପ୍ରିମକୋର୍ଟରେ ଆଗାମୀ ଶୁଣାଣି ଅକ୍ଟୋବର ୧୩ରେ ହେବ। ସୁପ୍ରିମକୋର୍ଟ ଗତ ସୋମବାର କହିଛନ୍ତି ସୁଧ ଉପରେ ସୁଧ ଛାଡକୁ ନେଇ କେନ୍ଦ୍ର ଦ୍ଵାରା ଦାଖଲ ସତ୍ୟପାଠ ସନ୍ତୋଷଜନକ ନୁହେଁ। କୋର୍ଟ ପୁଣି ଥରେ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନୂତନ ସତ୍ୟପାଠ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ପ୍ରଥମ ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ କରିବ ବୋଲି କହିଥିଲା। ଏହାର ବୋଝ ନିଜେ କେନ୍ଦ୍ର ସରକାର ବହନ କରିବେ। ଏଥିରେ ସରକାରଙ୍କ ଉପରେ ଅତିରିକ୍ତ ୫୦୦୦ ରୁ ୭୦୦୦ କୋଟି ଟଙ୍କା ବୋଝଭାର ପଡିବ।

ସର୍ବୋଚ୍ଚ ନ୍ୟାୟାଳୟ ମାର୍ଚ୍ଚ ଓ ଅଗଷ୍ଟ ୩୧ ମଧ୍ୟରେ ମାସିକିଆ କିସ୍ତି ପୈଠ ଉପରେ ସୁଧ ଛାଡ କରିବା ଦାବିରେ ଦାଖଲ ଆବେଦନ ଉପରେ ଶୁଣାଣି କରିଛି। କୋଭିଡ୍-୧୯ ମହାମାରୀ କାରଣରୁ ଘୋଷିତ ଲକ୍‌ଡାଉନ୍‌କୁ ଆଖି ଆଗରେ ରଖି ଆରବିଆଇ ମୋନେଟୋରିୟମ ଘୋଷଣା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.