କର୍ପୋରେଟ କମ୍ପାନୀଙ୍କ ବ୍ୟାଙ୍କ ପରିକଳ୍ପନାକୁ ଝଟକା, ଲାଇସେନ୍ସ ଦେବାକୁ ମନା କଲେ RBI

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭।୧୧: କର୍ପୋରେଟ କମ୍ପାନୀଙ୍କ ବ୍ୟାଙ୍କିଙ୍ଗ ପରିକଳ୍ପନା ଅଧୁରା ରହିଯାଇଛି। ଦେଶର ବ୍ୟାଙ୍କ କାରବାର କ୍ଷେତ୍ରକୁ ପ୍ରବେଶ ଚାହୁଁଥିବା ଦେଶର ବଡବଡ଼ କର୍ପୋରେଟ ସଂସ୍ଥାଙ୍କ ବ୍ୟାଙ୍କିଙ୍ଗ ଲାଇସେନ୍ସ ସମ୍ପର୍କିତ ସୁପାରିଶକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଗ୍ରାହ୍ୟ କରିଦେଇଛନ୍ତି। ଆରବିଆଇଙ୍କ ଅଭ୍ୟନ୍ତରିଣ ୱାର୍କିଂ ଗ୍ରୁପ କମିଟି ମୋଟ ୩୩ଟି ସୁପାରିଶ କରିଥିଲେ। ଏଥିରୁ ଆରବିଆଇ ୨୧ଟିକୁ ଗ୍ରହଣ କରିଥିବା ବେଳେ ୧୨ଟି ଉପରେ ବିଚାରବିମର୍ଷ ହେବ ବୋଲି କହିଛନ୍ତି।

ଏହି କମିଟି ଟାଟା, ବିର୍ଲାଙ୍କ ଭଳି ବଡ଼ ବଡ଼ କର୍ପୋରେଟ ହାଉସ୍‌ଙ୍କୁ ପୂର୍ଣ୍ଣାଙ୍ଗ ବ୍ୟାଙ୍କ ଲାଇସେନ୍ସ ପ୍ରଦାନ ଲାଗି ସୁପାରିଶ କରିଥିଲେ। ଏପରି ସଂସ୍ଥାମାନଙ୍କ ନିଜସ୍ୱ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫସି) ସବୁ ରହିଥିବାରୁ ବ୍ୟାଙ୍କ ଲାଇସେନ୍ସ ମିଳିଲେ ବ୍ୟାଙ୍କ ଭଳି କାମ କରିପାରିବେ ବୋଲି କୁହାଯାଇଥିଲା। ତେବେ ଆରବିଆଇ ଲାଇସେନ୍ସ ଲାଗି ସୁପାରିଶ ଖାରଜ କରିଦେଇଥିବା ବେଳେ ଦେଶରେ ଏନବିଏଫସି ନିୟମକୁ ଅଧିକ କଡ଼ାକଡି କରିଛନ୍ତି।

ସେହିପରି ୩ ବର୍ଷ ମଧ୍ୟରେ ପେମଣ୍ଟସ୍‌ ବ୍ୟାଙ୍କମାନଙ୍କୁ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ପରିଣତ କରିବା ଲାଗି ସୁପାରିଶ ମଧ୍ୟ ଅଗ୍ରାହ୍ୟ ହୋଇଯାଇଛି। ଏଥି ଯୋଗୁ ଦେଶର ପ୍ରମୁଖ ପେମେଣ୍ଟ ବ୍ୟାଙ୍କ ପେଟିଏମ ବିଶେଷ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଇଛି। ଆରବିଆଇ ଦେଶରେ ବ୍ୟାଙ୍କ ସ୍ଥାପନା ଲାଗି ସର୍ବନିମ୍ନ ପୁଞ୍ଜିକୁ ୧୦୦୦ କୋଟି ଟଙ୍କା କରିଦେଇଛନ୍ତି। ନୂଆ ବ୍ୟାଙ୍କ ଲାଇସେନ୍ସ ଲାଗି ଆବଶ୍ୟକ ହେଉଥିବା ପ୍ରାରମ୍ଭିକ ପୁଞ୍ଜିପରିମାଣ ବୃଦ୍ଧି ସୁପାରିଶକୁ ଆରିବିଆଇ ଗ୍ରହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.