କଣ ନୋଟ୍‌ରୁ ବ୍ୟାପୁଛି କରୋନା ? ଉତ୍ତର ରଖିଲା ଆରବିଆଇ, କହିଲା ଏମିତି କଲେ ରକ୍ଷା ମିଳିବ

Published By : Prameya-News7 Bureau | October 04, 2020 IST

ନୂଆଦିଲ୍ଲୀ ୦୪।୧୦: କରୋନା ଭାଇରସ୍‌କୁ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ସ୍ପଷ୍ଟ କରିଛି ଯେ, ନୋଟ୍‌ରୁ ମଧ୍ୟ କରୋନା ବ୍ୟାପିପାରେ। ନୋଟ୍‌ର ଲେନଦେନ କରିବା ସମୟରେ କରୋନା ଭାଇରସ୍‌ ଆପଣଙ୍କ ଶରୀର ଭିତରେ ପହଞ୍ଚିପାରେ। ଯଦି କୌଣସି କରୋନା ସଂକ୍ରମିତ ନୋଟ୍‌ ଛୁଇଁଥିବେ ଏବଂ ପୁଣି ସେହି ନୋଟ୍‌କୁ ଆଉ କେହି ଛୁଇଁବେ ତେବେ କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଆପଣ ଏଥିପ୍ରତି ସାବଧାନ ରୁହନ୍ତୁ।

କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ରବିବାର କହିଛି ଆରବିଆଇ ଅନୁଯାୟୀ ନୋଟ୍‌ରେ କରୋନା ସମ୍ଭାବିତ ବାହକ ଥାଇ ପାରନ୍ତି। ତେଣୁ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କଠାରେ ସିଏଆଇଟି ଦାବି କରିଛି। ଏହା ପୂର୍ବରୁ ମାର୍ଚ୍ଚ ୯ରୁ ସିଏଆଇଟି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରଶ୍ନ କରିଥିଲେ ଯେ କଣ ନୋଟ୍‌ ବ୍ୟାକ୍ଟେରିଆ ଓ ଭାଇରସ୍‌ର ବାହକ କି ନୁହେଁ।

ମନ୍ତ୍ରଣାଳୟ ଏହି ପତ୍ର ଆରବିଆଇକୁ ପଠାଇଥିଲା।  ଆରବିଆଇ ଅନୁଯାୟୀ ନୋଟ୍‌ ବ୍ୟାକ୍ଟେରିଆ ଓ ଭାଇରସ୍‌ର ବାହକ ହୋଇପାରନ୍ତି। ଏଥିରେ କରୋନା ଭାଇରସ୍ ମଧ୍ୟ ସାମିଲ। ତେଣୁ ଏଥିରୁ ବଞ୍ଚିବା ପାଇଁ ଅଧିକରୁ ଅଧିକ ଡିଜିଟାଲ ପେମେଣ୍ଟ କରିବାକୁ ପରାମର୍ଶ ଦିଆଯାଇଛି।

ଆରବିଆଇ କହିଛି, କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ପାଇଁ ଜନତା ବିଭିନ୍ନ ଅନଲାଇନ୍ ଡିଜିଟାଲ ଚ୍ୟାନେଲ ଯେପରି ମୋବାଇଲ ଓ ନେଟ୍ ବ୍ୟାଙ୍କିଙ୍ଗ, କ୍ରେଡିଟ୍ ଓ ଡେବିଟ୍ କାର୍ଡ ଆଦି ଜରିଆରେ ଘରେ ବସି ଟଙ୍କା ପୈଠ କରି ପାରିବେ। ବର୍ତ୍ତମାନ ସ୍ଥିତିରେ ନଗଦ ଅର୍ଥର ବ୍ୟବହାରରୁ ଦୂରେଇ ରହିବା ଭଲ ବୋଲି ଆରବିଆଇ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.