ମ୍ୟୁଚୁଆଲ ଫଣ୍ଡ୍ ନିବେଶକାରୀ ଆଶ୍ୱସ୍ତ, ଆର୍‌ବିଆଇ ଦେଲେ ୫୦ହଜାର କୋଟି

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୦୪: କରୋନା ମହାମାରୀ ପ୍ରଭାବରେ ସମଗ୍ର ଭାରତୀୟ ଅର୍ଥବ୍ୟବସ୍ଥା ଚାପ ମଧ୍ୟରେ ରହିିଛି । ଉତ୍କଟ ନଗଦ ସମସ୍ୟା ଦେଇ ଗତି କରୁଛି ମ୍ୟୁଚୁଆଲ ଫଣ୍ଡ୍‌ ଶିଳ୍ପ । ମ୍ୟୁଚୁଆଲ ଫଣ୍ଡ୍‌ ଶିଳ୍ପର ଏହି ଚାପକୁ ଲାଘବ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସର୍ବୋଚ୍ଚ ବ୍ୟାଙ୍କ ପକ୍ଷରୁ ଏ ଶିଳ୍ପ ପାଇଁ ୫୦ ହଜାର କୋଟି ଟଙ୍କାର ବିଶେଷ ଲିକ୍ୱିଡିଟି ସୁବିଧା ଘୋଷଣା କରାଯାଇଛି ।

ଇତିମଧ୍ୟରେ ଆମେରିକାଭିତ୍ତିକ ମ୍ୟୁଚୁଆଲ ଫଣ୍ଡ୍‌ ହାଉସ୍‌ ଫ୍ରାଙ୍କ୍‌ଲିନ୍‌ ଟେମ୍ପଲ୍‌ଟନ୍‌ ଭାରତରେ ଏହାର ୬ଟି ଡେଟ୍‌ ଫଣ୍ଡ୍‌କୁ ବନ୍ଦ କରିଦେଇଥିବାରୁ ଶିଳ୍ପରେ ଲିକ୍ୱିଡିଟି ସମସ୍ୟା ରହିଥିବା ଭୟ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଆର୍‌ବିଆଇ ଆଜି ଏହି ଲିକ୍ୱିଡିଟି ସ୍କିମ୍‌ ଘୋଷଣା କରିଛି । ଆର୍‌ବିଆଇର ଏ ପଦକ୍ଷେପକୁ ପୂର୍ବତନ ଅର୍ଥମନ୍ତ୍ରି ପି. ଚିଦାମ୍ବରମ୍‌ ବି ପ୍ରଶଂସା କରିଛନ୍ତି ।

ଏହି ସ୍କିମ୍‌ ଏପ୍ରିଲ ୨୭ରୁ ଆରମ୍ଭ କରି ମେ’ ୧୧ କିମ୍ବା ସମ୍ପୂର୍ଣ୍ଣ ଲିକ୍ୱିଡିଟି ବ୍ୟବହାର ହେବା ପର୍ଯ୍ୟନ୍ତ(ଉଭୟରୁ ଯେଉଁଟି ପ୍ରଥମେ ହେବ) ଚାଲୁ ରହିବ । ବଜାରର ସ୍ଥିତିକୁ ଦୃଷ୍ଟିରେ ରଖି ଆର୍‌ବିଆଇ ଟାଇମ୍‌ଲାଇନ୍‌ ଏବଂ ଲିକ୍ୱିଡିଟି ରାଶି ଉପରେ ପୁନଃ ସମୀକ୍ଷା କରିବ ବୋଲି ମଧ୍ୟ ପ୍ରକାଶ କରିଛି । କେନ୍ଦ୍ରୀୟ ବ୍ୟାଙ୍କ ପ୍ରକାଶ କରିଛି ଯେ, କୋଭିଡ-୧୯ ଯୋଗୁ ବଜାରରେ ଅସ୍ଥିରତା ବଢ଼ିଯାଇଛି । ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଲିକ୍ୱିଡିଟି ସମସ୍ୟା ଦେଖାଦେଇଛି । ଏଣୁ ଶିଳ୍ପକୁ ୫୦ ହଜାର କୋଟି ଟଙ୍କା ଲିକ୍ୱିଡିଟି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.