ଇନଷ୍ଟାଣ୍ଟ loan app କୁ ନେଇ ସତର୍କତା ଜାରି କଲେ RBI, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) ଫଟାଫଟ (ଇନଷ୍ଟାଣ୍ଟ) ଓ ସହଜ ଋଣ ଉପଲବ୍ଧ କରୁଥିବା ଅନାଧିକୃତ ମୋବାଇଲ ଆପ୍‌କୁ ନେଇ ବୁଧବାର ଲୋକଙ୍କୁ ସତର୍କ କରାଇଛନ୍ତି। ଆରବିଆଇଙ୍କ ଅନୁସାରେ ଏପରି ମୋବାଇଲ ଆପ୍‌ ବା ଡିଜିଟାଲ ପ୍ଲାଟଫର୍ମରୁ ଲୋନ ଉଠାଇ ଲୋକେ ଋଣ ଜାଲରେ ଫଶିପାରନ୍ତି।

ଆରବିଆଇଙ୍କ ଅନୁସାରେ କ୍ଷୁଦ୍ର ବ୍ୟବସାୟୀ ଓ ଅସୁବିଧାରେ ପଡିଥିବା ଲୋକେ ଏପରି ଡିଜିଟାଲ ପ୍ଲାଟଫର୍ମରୁ ସହଜରେ ଋଣ ନେଇ ଅସୁବିଧାର ପଡୁଥିବାର ଅନେକ ଅଭିଯୋଗ ମିଳୁଛି ।  ଏପରି ଋଣ ଦାନ କରୁଥିବା ସଂସ୍ଥା ଋଣ ମଞ୍ଜୁର କରିବା ପରେ ଅଧିକ ସୁଧ ଅସୁଲ କରୁଥିବା ଓ ଋଣୀଙ୍କୁ ଏପରି ଶୁଳ୍କ ପୈଠ କରିବାକୁ ବାଧ୍ୟ କରୁଛନ୍ତି ଯାହା ନେଇ ସେମାନେ ପ୍ରଥମରୁ ସୂଚିତ କରିନଥାନ୍ତି ବୋଲି ଜଣାଇଛନ୍ତି।

ଏହା ଛଡା ଏପରି ଅନାଧିକୃତ ଆପ୍ ଋଣ ଲାଗି ବୁଝାମଣା ସର୍ତ୍ତର ତ୍ରୁଟିପୂର୍ଣ୍ଣ ଉପଯୋଗ କରିବା ସହ ଦେଇଥିବା ଋଣ ଅର୍ଥ ଫେରିପାଇବା ଲାଗି ଅବୈଧ ପଦକ୍ଷେପ ମଧ୍ୟ ନେଉଛନ୍ତି। ଏଣୁ ଏପରି ଆପ୍‌ରୁ ସହଜ ଋଣରୁ ଲୋକଙ୍କୁ ଦୂରେଇ ରହିବା ଲାଗି ଆରବିଆଇ ଲୋକଙ୍କୁ ସତର୍କ କରିଛନ୍ତି। ଅର୍ଥର ଜରୁରି ଆବଶ୍ୟକତା ସ୍ଥଳେ ଆରବିଆଇଙ୍କ ସ୍ୱୀକୃତ ବ୍ୟାଙ୍କ ଅଥବା ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫସି)ଙ୍କୁ ସିଧାଶଳଖ ଯୋଗାଯୋଗ କରି ଋଣ ନେଇ ପାରନ୍ତି ବୋଲି ଆରବିଆଇ ପରାମର୍ଶ ଦେଇଛନ୍ତି।

ସେହିପରି ଯଦି କୌଣସି ମୋବାଇଲ ଆପ୍‌  ଆର୍ଥିକ ସେବା ଯୋଗାଇ ଦେଉଥିବା ଆର୍ଥିକ ସଂସ୍ଥା ଅଥବା ବ୍ୟାଙ୍କଙ୍କୁ ସେବା ଦେଉଥାନ୍ତି ତେବେ ବ୍ୟାଙ୍କ ଓ ଏନବିଏଫସି ପୂର୍ବରୁ ଏ ନେଇ ସୂଚିତ କରନ୍ତୁ ବୋଲି ଆରବିଆଇ କହିଛନ୍ତି। ସାଧାରଣ ଲୋକେ ଆରବିଆଇଙ୍କ ୱେବ୍‌ ସାଇଟ୍‌କୁ ଯାଇ ସମସ୍ତ ମାନ୍ୟ ଏନବିଏଫସିଙ୍କ ସୂଚନା ସଂଗ୍ରହ କରିପାରନ୍ତି ବୋଲି ଆରବିଆଇ ପରାମର୍ଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.