ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଅମ୍ବାତୀ ରାୟଡୁ
3/07/2019 at 3:42 PM

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟସମ୍ୟାନ୍ ଅମ୍ବାତୀ ରାୟଡୁ। ଏ ନେଇ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇଙ୍କୁ ପତ୍ର ଲେଖି ଜଣାଇ ଦେଇଛନ୍ତି। ତେବେ ୩୩ ବର୍ଷ ବୟସ୍କ କ୍ରିକେଟରଙ୍କ ଏଭଳି ଅକସ୍ମାତ ନିଷ୍ପତି ଭାରତୀୟ କ୍ରିକେଟରଙ୍କୁ ଆଚମ୍ବିତ କରିଛି। ଏପର୍ଯ୍ୟନ୍ତ କ୍ରିକେଟରୁ ଅବସର ଘୋଷଣା କରିଥିବା ଖେଳାଳିଙ୍କ ମଧ୍ୟରେ ରାୟଡୁ ସର୍ବ କନିଷ୍ଠ ଖେଳାଳି।

ବିଶ୍ୱକପ୍ ଏକାଦଶରେ ତାଙ୍କୁସ୍ଥାନ ମିଳିବ ବୋଲି ରାୟଡୁ ବିଶେଷ ଆଶାୟୀ ଥିଲେ। ତେବେ ତାଙ୍କୁ ଟିମ୍ ରେ ସ୍ଥାନ ନ ମିଳିବାରୁ ନିରାଶ ହୋଇ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ବିଶ୍ୱକପ୍ ଟିମରେ ରାୟଡୁଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ନିଆଯିବାରୁ ସେ ଅସନ୍ତୁଷ୍ଟ ଥିଲେ। ଏପରିକି ବିଜୟ ଶଙ୍କରଙ୍କ ପ୍ରଦର୍ଶନକୁ ନେଇ କଡା ଟିପ୍ପଣୀ ମଧ୍ୟ କରିଥିଲେ। ତେବେ ଚୟନକର୍ତ୍ତା ବିଜୟ ଶଙ୍କରଙ୍କୁ ଟିମ୍ ରୁ ଆଉଟ୍ କରିଥିଲେ ହେଁ ରାୟଡୁଙ୍କ ପ୍ରତି ଧ୍ୟାନ ଦେଇନଥିଲେ। ଏଣୁ ସେ ବିସିସିଆଇକୁ ଚିଠି ଲେଖି ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି।

ଅନ୍ୟ ଏକସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାୟଡୁଙ୍କୁ ଆଇସ୍ ଲ୍ୟାଣ୍ଡ କ୍ରିକେଟ ବୋର୍ଡ ଜାତୀୟ କ୍ରିକେଟରେ ଖେଳିବା ପାଇଁ ଅଫର ଦେଇଥିବା ଜଣାପଡିଛି। ଆଇସ୍ ଲ୍ୟାଣ୍ଡ କ୍ରିକେଟ ଟ୍ୱିଟ୍ ହ୍ୟାଣ୍ଡଲରେ ରାୟଡୁଙ୍କୁ କରିଥିବା ଅଫରରେ ନାଗରିକତା ପ୍ରଦାନ ନିମନ୍ତେ ମଧ୍ୟ ଆଗ୍ରହୀ ଥିବା ଉଲ୍ଳେଖ କରିଛି। ହାଇଦ୍ରାବାଦ୍ ରଞ୍ଜୀ ଟ୍ରଫିର ପୂର୍ବତନ କ୍ୟାପ୍ଟେନ ଅମ୍ବାତୀ ରାୟଡୁ ୨୪ ଜୁଲାଇ ୨୦୧୩ ମସିହାରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ ମସିହାରେ ତାଙ୍କୁ ପ୍ରଥମେ ଟି-୨୦ ଖେଳିବାର ସୁଯୋଗ ମିଳିଥିଲା। ସେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଖେଳିଛନ୍ତି।

ରାୟଡୁ ପ୍ରଥମରୁ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଥିଲେ। ଏଥି ନିମନ୍ତେ ବିସିସିଆଇ ଅତୀତରେ ତାଙ୍କୁ ସୋ କଜ୍ ନୋଟିସ୍ ମଧ୍ୟ ଜାରି କରିଛି। ତେବେ କ୍ରିକେଟରୁ ରାୟଡୁଙ୍କର ଏହା ପ୍ରଥମ ସନ୍ୟାସ ନୁହେଁ ଏହା ପୂର୍ବରୁ ସେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଟି-୨୦ ଓ ଅନ୍ତର୍ଜାତୀୟ ୧ ଦିବସୀୟ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ। ତେବେ ଜାତୀୟ ଟିମ୍ ରେ ତାଙ୍କୁ ଖେଳିବାକୁ ସୁଯୋଗ ଦେଇଥିବାରୁ ରାୟଡୁ ବିସିସିଆଇ ସମେତ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ଆନ୍ଧ୍ର କ୍ରିକେଟ ଆସୋସିଏସନ, ବରୋଦା କ୍ରିକେଟ ଆସୋସିଏସନ ଓ ବିଦର୍ଭ କ୍ରିକେଟ ଆସୋସିଏସନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।