ସଫେଇ କର୍ମଚାରୀଙ୍କ ହାତରେ ପତାକା ଉତ୍ତୋଳନ କରାଇଲେ ଉପ-ଜିଲ୍ଲାପାଳ, ସାଉଁଟିଲେ ପ୍ରଶଂସା
15/08/2019 at 6:12 PM

ଗୁଣୁପୁର ୧୫|୮: ରାୟଗଡା ଜିଲ୍ଲା ଗୁଣୁପୁର ପୈାରପରିଷଦ କାର୍ଯ୍ୟାଳୟରେ ଆଜି ୭୩ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ପୈାରପରିଷଦର ପ୍ରଶାସନିକ ଅଧିକାରୀ ତଥା ଉପ-ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦର ଆଜି ଅତିଥି ଭାବେ ପୈାରପରିଷଦରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଆସିଥିଲେ। ଉପ-ଜିଲ୍ଲାପାଳଙ୍କ ସହ ପୈାରପରିଷଦର ଅନ୍ୟାନ୍ୟ କର୍ମଚାରୀ ଓ ସଫେଇ କର୍ମଚାରୀ ମଧ୍ୟ ମାନେ ଉପସ୍ଥିତ ଥିଲେ।

ହଠାତ୍ ଉପ-ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ ନକରି ସେଠାରେ ଉପସ୍ଥିତ ଥିବା ସଫେଇ କର୍ମଚାରୀମାନଙ୍କ ମଧ୍ୟରୁ ରବି ବାଙ୍ଗାରି ନାମକ ଜଣେ କର୍ମଚାରୀଙ୍କୁ ଉପ-ଜିଲ୍ଲାପାଳ ଡାକିଥିଲେ। ତାଙ୍କ ହାତରେ ଜାତୀୟ ପତାକା ଉତ୍ତୋଳନ କରାଇଥିଲେ। ଆଇଏଏସ୍ ଅଫିସରଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ କର୍ମଚାରୀ ଓ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏବେ ସୋସିଆଲ୍ ମିଡିଆରେ କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି । ଫଳରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗୁଣୁପୁର ଉପ-ଜିଲ୍ଲାପାଳ। ଏଭଳି ଘଟଣାକୁ ନେଇ ସାଧାରଣରେ ଉପ-ଜିଲ୍ଲାପାଳଙ୍କୁ ପ୍ରଶଂସା କରାଯାଉଛି ।

ଅନ୍ୟପଟେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୩ତମ ସ୍ବାଧିନତା ଦିବସ ଆଡମ୍ବରରେ ପାଳନ ହୋଇଛି । ଜିଲ୍ଲାସ୍ତରୀୟ ଉତ୍ସବରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ମୁଖ୍ୟ ଅତିତି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସମବେତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ମନ୍ତ୍ରୀ । ଜିଲ୍ଲା ସଦର ମହକୁମାର ଜିସିଡି ପଡିଆଠାରେ ସିଆରପିଏଫ ଏବଂ ଏପିଆର ଯବାନଙ୍କ ପକ୍ଷରୁ ପରେଡ ଅନୁଷ୍ଠିତ ହୋଇଥିଲେ । ଏହି ଅବସରରେ ମନ୍ତ୍ରୀ ସ୍ବାଧିନତା ସଂଗ୍ରାମୀଙ୍କୁ ମନେ ପକାଇବା ସହିତ ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଶ ସ୍ବାଧୀନ ପାଇଁ ବୀର ପୁରୁଷମାନଙ୍କର ବଳିଦାନ କଥା ମନେପକାଇ ଆଦିବାସୀମାନଙ୍କ ଭାଗିଦାରୀ ସେଥିରେ ରହିଥିବା କହିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରେଡ ଅଭିବାଦନ ପରେ ମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପ କାରାଗାର, ବୃଦ୍ଧାଶ୍ରମ, ସେବା ସମାଜ ଇତ୍ୟାଦି ଆଶ୍ରମ ବୁଲିଥିଲେ ।