ରାୟଗଡା ଜେକେ ପେପର ମିଲ୍ସରେ ଶ୍ରମିକ ଅଶାନ୍ତି ; ୧୪ ଦଫା ଦାବି ନେଇ ଶ୍ରମିକଙ୍କ ଆନ୍ଦୋଳନ ଜାରି
31/08/2018 at 1:57 AM

ରାୟଗଡା ୩୧/୮ : ରାୟଗଡା ଜିଲ୍ଲା ଜକେପୁର ସ୍ଥିତ ଜେକେ କାଗଜକଳରେ ଲାଗିରହିଛି ଶ୍ରମିକ ଅଶାନ୍ତି । ଗତ ୨୪ତାରିଖ ଠାରୁ ଠିକା ଶ୍ରମିକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ଚଳାଇଛି ସିଟୁ। କାରଖାନାରେ କାର୍ଯ୍ୟ କରୁଥିବା ହଜାର ସଂଖ୍ୟାରେ ଠିକା ଶ୍ରମିକ ଆନ୍ଦୋଳନରେ ସାମିଲ ହୋଇ କାରଖାନାରେ ତାଲା ଠୁଙ୍କି ଦେଇଛନ୍ତି । କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି । ଫଳରେ କାରଖାନାରୁ ଉତ୍ପାଦନ ଠପ ହୋଇପଡ଼ଛି। କୌଣସି କର୍ମଚାରୀ କିମ୍ବା ଶ୍ରମିକ କାରଖାନା ଭିତରକୁ ଯାଇପାରୁ ନାହାନ୍ତି । ଯେତେଦିନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେବନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି। ଏଣେ ଆନ୍ଦୋଳନକୁ ଦୃଷ୍ଟିରେ ରଖି କାରଖାନା ସମ୍ମୁଖ ସହ ଚତୁପାର୍ଶ୍ବରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ୧୪ ଦଫା ଦାବି ସମାଧାନ ନହେବା ପର୍ଯ୍ୟନ୍ତ ଆଜି ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରାଯାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତିପୂର୍ଣ୍ଣ ଧର୍ମଘଟ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ମୁଖ୍ୟତଃ ଠିକା ଶ୍ରମିକଙ୍କ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ, ବାର୍ଷିକ ଦରମା ବୃଦ୍ଧି ସାଙ୍ଗକୁ କାର୍ଯ୍ୟକାଳ ଓ ଦକ୍ଷତାକୁ ଆଧାର କରି ମଜୁରୀ ଉପରେ ୫୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯିବା ନିମନ୍ତେ ଦାବି କରାଯାଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପ୍ରକାରେ ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ କରାଯାଉଥିବା ସୂଚନା ପ୍ରଦାନ ହୋଇଛି। ଗରିବ ଶ୍ରମିକଙ୍କ ମଜୁରୀକୁ ନେଇ ଆନ୍ଦୋଳନ କରାଯାଉଥିବା ଆନ୍ଦୋଳନକାରୀଙ୍କ ତରଫରୁ କୁହାଯାଇଛି। ଏଭଳିକି କାରଖାନାର ଠିକା ଶ୍ରମିକ ସଂଘରେ ଠିକାଦାର ହିଁ ରହିଥିବା ଅଭିଯୋଗ କରାଯାଇଛି । ଉକ୍ତ ଶ୍ରମିକ ସଂଘକୁ କୋୈଣସି ଠିକା ଶ୍ରମିକ ଗ୍ରହଣ କରୁନଥିବା ବେଳେ କାରଖାନା କର୍ତ୍ତୃପକ୍ଷ ଓ ଶ୍ରମ ବିଭାଗ କିଭଳି ମାନ୍ୟତା ପ୍ରଦାନ କରିଛନ୍ତି ବୋଲି ପ୍ରଶ୍ନ ହୋଇଛି ।