ରାୟଗଡା ଜିଲ୍ଲା ସପ୍ତାହେ ସଟ୍ ଡାଉନ୍, ଆଉ ୯୬ ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ

Published By : Prameya-News7 Bureau | July 22, 2020 IST

ରାୟଗଡା ୨୨।୭: ସପ୍ତାହେ ପାଇଁ ରାୟଗଡା ଜିଲ୍ଲା ସଟ୍ ଡାଉନ୍ । ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲିଠାରୁ ଏହି ସଟ୍ ଡାଉନ୍ କାର୍ଯ୍ୟକାରୀ ହେବ । ସଟ୍ ଡାଉନ୍ ନିୟମ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ରାୟଗଡା ଜିଲ୍ଲାରୁ ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକା ସଙ୍ଗେ ୯୬ ଜଣ ଚିହ୍ନଟ ହେବା ପରେ ରାୟଗଡା ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା ହୋଇଛି । ଜିଲ୍ଲାପାଳ ଏହି ଘୋଷଣା କରିବା ସହ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୯୬ ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯ରେ ପହଞ୍ଚିଛି । ଆଜିର ୯୬ ଜଣଙ୍କ ମଧ୍ୟରୁ ୫୧ ଜଣ ପୁରୁଷ ଓ ୪୫ ଜଣ ମହିଳା ରହିଛନ୍ତି ।

ଭୁବନେଶ୍ବର ସ୍ଥିତ ଆରଏମଆରସି ପରୀକ୍ଷାଗାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରୀକ୍ଷାଗାରରେ ପରୀକ୍ଷଣ ପରେ ରାଜ୍ୟ ସରକାର ଟ୍ବିଟ୍ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ସମସ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ ଗୁଣପୁର ବ୍ଲକ୍ ରେଙ୍ଗଲପଦର ଗ୍ରାମରୁ ରହିଛନ୍ତି । ରାୟଗଡା ସହର ଆମ୍ବଗୁଡାରୁ ହୋଇଥିବା ବେଳେ ୩୪ଜଣ ଓ ରାୟଗଡା ବ୍ଲକରୁ ୬ ଜଣ ରହିଛନ୍ତି । ଗୁଡାରୀ ବ୍ଲକରୁ ୧୦, ଗୁଣପୁର ସହରରୁ ୮, ମୁନିଗୁଡା ବ୍ଲକରୁ ଜଣେ ଏବଂ ରାମନାଗୁଡା ବ୍ଲକରୁ ୨ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୯୨ ଜଣ ଗୃହ ସଂଗରୋଧରୁ ରହିଥିବା ବେଳେ ୪ ଜଣ ଟିଏମସି ରହିଛନ୍ତି । ଏଥିରୁ ୬ ଜଣ ବାହାର ରାଜ୍ୟରୁ ଫେରନ୍ତା ଅଛନ୍ତି ।

ସଂକ୍ରମିତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ଆଜି କଣ୍ଟେନମେଣ୍ଟ କରାଯାଇଛି । ଏଥିସହ ଆକ୍ରାନ୍ତଙ୍କୁ ଜେକେପୁର ସ୍ଥିତ କୋଭିଡ୍ ମେଡିକାଲ, ବିଷମକଟକ ସ୍ଥିତ କୋଭିଡ୍ କେୟାର ସେଣ୍ଟର ଓ ଗୁଣପୁର ସ୍ଥିତ କୋଭିଡ୍ କେୟାର ସେଣ୍ଟର ପଠାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୩୩୬ ଜଣ ଚିହ୍ନଟ ହୋଇଥିବା ଜିଲ୍ଲାପାଳ କହିଛନ୍ତ । ସମସ୍ତେ ସତର୍କ ରହିବା ସହ ସଟ୍ ଡାଉନକୁ ପାଳନ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.