ରାୟଗଡ଼ାରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ, ୩ଦିନ ପାଇଁ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା

Published By : Prameya-News7 Bureau | August 01, 2020 IST

ରାୟଗଡା ୦୧।୦୮ : ରାୟଗଡା ଜିଲ୍ଲାରୁ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଯାହାକୁ ନେଇ ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ରାୟଗଡା ଜିଲ୍ଲାକୁ ୭୨ ଘଣ୍ଟା ସଟଡାଉନ କରାଯାଇଛି । ଦିନକୁ ଦିନ ପଜିଟିଭ ସଂଖ୍ୟା ବଢୁଥିବାରୁ ୩ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୭୨ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓପିଡିକୁ ଆସନ୍ତାକାଲିଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ରାୟଗଡା ଜିଲ୍ଲାରୁ ଆଜି ୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୮୦ ଜଣ ପୁରୁଷ ଥିବା ବେଳେ ୮୪ ଜଣ ମହିଳା ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣ କରୋନା ଯୋଦ୍ଧା ଥିବା ଜଣାପଡିଛି । ତେବେ ଜିଲ୍ଲାର ୧୭ଟି କଣ୍ଟୋନମେଣ୍ଟ ଅଞ୍ଚଳରୁ ଆଜି ସମସ୍ତ ପଜିଟିଭ ବାହାରିଛି ।

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡା ସହରରୁ ସର୍ବାଧିକ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡା ବ୍ଲକରୁ ୫, ଗୁଣପୁର ସହରରୁ ୧୦, ବ୍ଲକରୁ ୪୦, ପଦ୍ମପୁର ବ୍ଲକରୁ ୧୬, ରାମନଗୁଡାରୁରୁ ୧୫, କୋଲନାରରୁ ୧୪ ଏବଂ ମୁନିଗୁଡାରୁ ୯ ଜଣ ଆକ୍ରାନ୍ତ ଅଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଞ୍ଚିଛି । ୪୫୦ ଜଣ ସୁସ୍ଥ ହୋଇଥିବା ବେଳେ ୪୪୦ ଆକ୍ଟିଭ କେସ ରହିଛି । ଏଥି ସହିତ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.