ଆସିଷ୍ଟାଣ୍ଟ କଲେକ୍ଟର କାହିଁକି କଲେ ଆତ୍ମହତ୍ୟା ? ଜିଲ୍ଲାପାଳଙ୍କୁ ଦାୟୀ କଲେ ସମ୍ପର୍କୀୟ

Published By : Prameya-News7 Bureau | March 24, 2019 IST

ରାୟଗଡା ୨୪|୩: ରାୟଗଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ କଲେକ୍ଟର ଶିବ ପ୍ରସାଦ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଅଭିାଯୋଗ । ଆଜି ସକାଳେ କୌଣସି କାରଣରୁ ମାତ୍ରାଧିକ କୁଇନାଇନ୍ ବଟିକା ଖାଇ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଉପରିସ୍ଥ ଅଧିକାରୀଙ୍କ ଚାପରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ସଂପର୍କୀୟ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଏହାକୁ ଅସ୍ବୀକାର କରିଛନ୍ତି ।

{"id":96542}

କ’ଣ ହୋଇପାରେ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁର କାରଣ ? କେଉଁ କାରଣରୁ ମାତ୍ରାଧିକ କୁଇନାଇନ୍ ଖାଇଲେ ବରିଷ୍ଠ ORS ଅଧିକାରୀ ? କର୍ମ କ୍ଷେତ୍ରର ଚାପ ନା ପାରିବାରିକ ସମସ୍ୟା ? ରାୟଗଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ନେଇ ଏମିତି ପ୍ରଶ୍ନ ଉଠିଛି । ରବିବାର ସକାଳେ ସରକାରୀ ବାସଭବନରେ ମାତ୍ରାଧିକ କୁଇନାଇନ୍ ଖାଇ ଅସୁସ୍ଥ ହୋଇପଡିଥିଲେ ଶିବ ପ୍ରସାଦ । ତାଙ୍କୁ ତୁରନ୍ତ ରାୟଗଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅଫିସ୍ ରେ କାର୍ଯ୍ୟଚାପରେ ଅତିଷ୍ଠ ହୋଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ଦାୟୀ କରାଯାଇଛି ।

{"id":96543}

୩ ବର୍ଷ ହେଲା ରାୟଗଡ଼ାରେ କାର୍ଯ୍ୟରତ ଥିଲେ ୫୬ ବର୍ଷିୟ ଶିବ ପ୍ରସାଦ । ତହସିଲଦାର ଓ ପରେ ସହକାରୀ ଜିଲ୍ଲାପାଳ ହୋଇଥିଲେ । ଏବେ ନିଜାରତ୍, ନିର୍ବାଚନ ସହ ୩ ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିଲେ । ୩ ଝିଅଙ୍କ ମଧ୍ୟରୁ ୨ ଜଣ ବିବାହିତ । ସେମିତି କିଛି ପାରିବାରିକା ଅଶାନ୍ତି ବା ସମସ୍ୟା ନଥିଲା ବୋଲି ସଂପର୍କୀୟ କହିଛନ୍ତି । ସେପଟେ ମାନସିକ ଚାପ କଥାକୁ ଅସ୍ବୀକାର କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଜିଲ୍ଲାପାଳ ପ୍ରମୋଦ କୁମାର ବହେରା ମଧ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

{"id":96544}

ଅତ୍ୟଧିକ କର୍ମଚାପ ବା ଉପରିସ୍ଥ ଅଧିକାରୀଙ୍କ ଚାପ ସହିନପାରି ଆତ୍ମହତ୍ୟା କରିବା ନୂଆ ନୁହେଁ । ପୂର୍ବରୁ ୨୦୧୫ ଫେବୃଆରୀରେ ତତ୍କାଳୀନ ଜିଲ୍ଲା ମଙ୍ଗଳ ଅଧିକାରୀ ଧନେଶ୍ବର ପୃଷ୍ଟି ନିଜ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିଲେ ।ସୁଇସାଇଡ ନୋଟରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ଦାୟୀ କରିଥିଲେ । ତେଣୁ ଶିବପ୍ରସାଦଙ୍କ ସଂପର୍କୀୟ ଆଣିଥିବା ଅଭିଯୋଗର ଉପଯୁକ୍ତ ତଦନ୍ତ ହେଲେ ସତ ପଦାକୁ ଆସିପାରନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.