ସାରାବିଶ୍ୱରେ କରୋନା ରୋଗୀଙ୍କ ପାଇଁ ନୂଆ ଆଶାର କିରଣ : ୨ ଘଣ୍ଟା ଭିତରେ ମିଳିବ ସ୍ୱାବ ରିପୋର୍ଟ, ଶସ୍ତାରେ ଉପଲବ୍ଧ ହେବ କିଟ୍‌

Published By : Prameya-News7 Bureau | April 18, 2020 IST

ଥିରୁଅନନ୍ତପୁରମ ୧୮।୦୪ : ସାରାଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ ୩ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କରୋନା ନେଇ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । ତେବେ ଏହିଭଳି ସମୟରେ କେରଳରୁ ଆସିଛି ଏକ ଖୁସି ଖବର । ମାତ୍ର ୨ ଘଣ୍ଟା ଭିତରେ ମିଳିଯିବ କରୋନା ପରୀକ୍ଷାର ରିପୋର୍ଟ । କେରଳର ଶ୍ରୀ ଚିତ୍ରା ତିରୁନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ଟେକ୍ନୋଲୋଜି (ଏସ୍‌ସିଟିଆଇ) ଏଭଳି ଏକ ଡାଏଗ୍ନୋଷ୍ଟିକ୍‌ ଟେଷ୍ଟ କିଟ୍‌ର ବିକାଶ କରିଛି । ସେହିଭଳି ମାତ୍ର ୧,୦୦୦ ଟଙ୍କା ମୂଲ୍ୟରେ ଏହି ଟେଷ୍ଟ କିଟ୍‌ ଉପଲବ୍ଧ ହେବ । କେରଳ ଇନ୍‌ଷ୍ଟିଚ୍ୟୁଟ୍‌ର ଏହି ଟେଷ୍ଟ କିଟ୍‌ ବିଶ୍ୱର କୋଟି କୋଟି ରୋଗୀଙ୍କ ପାଇଁ ନୂଆ ଆଶାର କିରଣ ଆଣିଛି ।

‘ଚିତ୍ରା ଜିନ୍‌ ଲାମ୍ପ-ଏନ୍‌’ ନାମକ ଏହି ଟେଷ୍ଟ କିଟ୍‌ ସ୍ୱତନ୍ତ୍ର ଭାବେ ସାର୍ସ-କୋଭ୍‌-୨ ବା ନୋଭେଲ କରୋନା ଭୂତାଣୁ ପରୀକ୍ଷଣ ପାଇଁ ଡିଜାଇନ ହୋଇଛି । ଏପରିକି ଭୂତାଣୁ ସଂକ୍ରମଣ ସମୟରେ ମ୍ୟୁଟେସନ୍‌ କଲେ ମଧ୍ୟ ଏହା ଠିକ୍‌ ଭାବେ ତାହାର ଫଳାଫଳ ଦେଇପାରିବ ବୋଲି ଦାବି କରାଯାଉଛି । ଏହି ନୂଆ ଟେଷ୍ଟ କିଟ୍‌ର ବିକାଶକର୍ତ୍ତାଙ୍କ କହିବା ମୁତାବକ, ଟେଷ୍ଟିଂ କିଟ୍‌ଟି ମାତ୍ର ୧୦ ମିନିଟ୍‌ ଭିତରେ ଭୂତାଣୁକୁ ଚିହ୍ନଟ କରିପାରିବ । ନମୁନା ସଂଗ୍ରହଠାରୁ ଆରମ୍ଭ କରି ଟେଷ୍ଟର ରିପୋର୍ଟ ଆସିବା ପର୍ଯ୍ୟନ୍ତ ମାତ୍ର ୨ ଘଣ୍ଟାରୁ କମ୍‌ ସମୟ ନେବ । ଗୋଟିଏ ବ୍ୟାଚ୍‌ରେ ୩୦ଟି ନମୁନା ପରୀକ୍ଷା ହୋଇପାରିବ । ସେହିଭଳି ଏହାର ମେସିନ ମୂଲ୍ୟ ୨.୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ଆଇସିଏମ୍‌ଆର୍‌ ଅଧିକୃତ ଏନ୍‌ଆଇଭି ଆଲାପୁଝାରେ ଏହି ଟେଷ୍ଟ କିଟ୍‌ର ପରୀକ୍ଷା କରାଯାଇଛି । ପରୀକ୍ଷାରୁ ଜଣାପଡ଼ିଛି ଯେ, ନୂଆ ଟେଷ୍ଟିଂ କିଟ୍‌ ୧୦୦% ଠିକ୍‌ ତଥ୍ୟ ପ୍ରଦାନ କରୁଛି । ଏପରିକି ଏହାର ଫଳାଫଳ ଆର୍‌ଟି-ପିସିଆର୍‌ ଦ୍ୱାରା ପରୀକ୍ଷା ହୋଇଥିବା ଫଳ ସହ ସମାନ ରହୁଛି । ଆଇସିଏମ୍‌ଆର୍‌ ଏହି ପରୀକ୍ଷାକୁ ଅନୁମୋଦନ କରିବା ପରେ ଏହି ଟେଷ୍ଟିଂ କିଟ୍‌ ମାନୁଫାକ୍‌ଚର ପାଇଁ ସିଡିଏସ୍‌ସିଓ ନିକଟରୁ ଲାଇସେନ୍ସ ପାଇଁ ଆବେଦନ କରାଯିବ ବୋଲି ଏହାର ବିକାଶକର୍ତ୍ତା କହିଛନ୍ତି ।

ଏସ୍‌ସିଟିଆଇ ନିର୍ଦ୍ଦେଶକ ଡ. ଆଶା କିଶୋର କହିଛନ୍ତି, ବିକଶିତ ହୋଇଥିବା ଏହି ଡାଏଗ୍ନୋଷ୍ଟିକ୍‌ କିଟ୍‌ ସାର୍ସ-କୋଭ୍‌୨ ଏନ୍‌ ଜିନ୍‌କୁ ଠିକ୍‌ ଭାବେ ଚିହ୍ନଟ କରିପାରୁଛି । ରିଭର୍ସ ଟ୍ରାନ୍ସକ୍ରପ୍‌ଟେସ୍‌ ଲୁପ୍‌-ମେଡିଏଟେଡ୍‌ ଆମ୍ପ୍ଲିଫିକେସନ ଅଫ୍‌ ଭାଇରାଲ ନ୍ୟୁକ୍ଲିକ୍‌ ଏସିଡ୍‌ (ଆର୍‌ଟି-ଲ୍ୟାମ୍ପ) ବ୍ୟବହାର କରି କରୋନା ଭୂତାଣୁକୁ ଚିହ୍ନଟ କରୁଥିବା ଏହି କିଟ୍‌ ବିଶ୍ୱର ଫାଷ୍ଟ-ଅଫ୍‌-ଇଟ୍‌ସ କାଇଣ୍ଡ ଟେଷ୍ଟିଂ କିଟ୍‌ ଅଟେ । ଏହାକୁ ଫାଷ୍ଟ-ଟ୍ରାକ୍‌ ମୋଡ୍‌ରେ ଏସ୍‌ସିଟିଆଇ ବିକାଶ କରିଛି ବୋଲି ଡ. କିଶୋର କହିଛନ୍ତି । ପ୍ରତିଷ୍ଠାନର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସେକ୍ରେଟାରୀ ପ୍ରଫେସର ଆଶୁତୋଷ ଶର୍ମା କହିଛନ୍ତି, ଏହି ଟେଷ୍ଟିଂ ଫେସିଲିଟିକୁ ବେଶ ସହଜରେ ଜିଲ୍ଲା ହସ୍ପିଟାଲ ଲାବୋରେଟୋରିରେ ସ୍ଥାପନା କରାଯାଇପାରିବ । ଏପରିକି ଏଥିପାଇଁ ସୀମିତ ଫେସିଲିଟି ଓ ପ୍ରଶିକ୍ଷିତ ଲାବ୍‌ ଟେକ୍ନିସିଆନ ମଧ୍ୟ ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.