ସଫଳ ହେଲା ରବୀନ୍ଦ୍ର ଜାଡେଜାଙ୍କ ସର୍ଜରୀ, ହସ୍ପିଟାଲରୁ ଫଟୋ ପୋଷ୍ଟ କରି କହିଲେ- ଧମାକାଦାର ଅନ୍ଦାଜରେ ପଡିଆକୁ ଫେରିବି
12/01/2021 at 10:05 PM

ନୂଆଦିଲ୍ଲୀ ୧୨।୦୧: ଭାରତର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ମଙ୍ଗଳବାର ସଫଳ ସର୍ଜରୀ ହୋଇଛି। ଏହା ପରେ ସେ ହସ୍ପିଟାଲରୁ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ସେ ଖୁବ୍ ଶୀଘ୍ର ଧମାକାଦାର ଶୈଳୀରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ର ତୃତୀୟ ଦିନ ରବୀନ୍ଦ୍ର ଜାଡେଜାଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସ୍କାନ ପରେ ଆଙ୍ଗୁଠି ଭାଙ୍ଗିଥିବା ଜଣା ପଡିଥିଲା।

ଆଘାତ କାରଣରୁ ଜାଡେଜା ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଛନ୍ତି। ତୃତୀୟ ଟେଷ୍ଟ ଶେଷ ହେବା ପରେ ପରବର୍ତ୍ତୀ ଦିନ ଜାଡେଜାଙ୍କ ଆଙ୍ଗୁଠି ସର୍ଜରୀ ହୋଇଛି। ଜାଡେଜା ଫଟୋ ସେୟାର କରି କହିଛନ୍ତି ଯେ, କିଛି ଦିନ ପଡିଆରୁ ବାହାରେ ରହିବି। ସର୍ଜରୀ ସଫଳ ହୋଇଛି। ଶୀଘ୍ର ପଡିଆରେ ଧମାକାଦାର ପ୍ରତ୍ୟାବର୍ତ୍ତନ କରିବି।
ସର୍ଜରୀ ପରେ ଜାଡେଜା ରିହାବିଲିଟେସନ ପାଇଁ ଏନସିଏ ଯିବେ। ଅଷ୍ଟ୍ରେଲିଆ ବିପକ୍ଷରେ ଜାଡେଜା ଦମଦାର ପ୍ରଦର୍ଶନ କରିଛନ୍ତି। ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ସେ ୪ ଓ୍ଵିକେଟ୍ ନେଇଥିଲେ।