ସିଡନୀ ଟେଷ୍ଟ: ହିରୋରୁ ଭିଲିଆନ ସାଜିଲେ ରବୀନ୍ଦ୍ର ଜାଡେଜା, ଦୁଇ ଭାରତୀୟ ବ୍ୟାଟସମ୍ୟାନଙ୍କୁ କଲେ ରନ ଆଉଟ୍

Published By : Prameya-News7 Bureau | January 09, 2021 IST

ସିଡନୀ ୦୯।୦୧: ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପଡିଆରେ ନିଜର ଚପଳତାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଅନେକ ଥର ନିଜର ଚମତ୍କାର ଫିଲ୍ଡିଂ ବଳରେ ବିରୋଧୀ ଦଳର ବ୍ୟାଟସମ୍ୟାନଙ୍କୁ ଅବିଶ୍ଵସନୀୟ ରନ ଆଉଟ୍ କରିଛନ୍ତି। ହେଲେ ବ୍ୟାଟିଂ ସମୟରେ ତାଙ୍କର ଏହି ଆଭିମୁଖ୍ୟ ଦଳକୁ ମହଙ୍ଗା  ସାବ୍ୟସ୍ତ ହେଉଛି। ଦ୍ରୁତ ଗତିରେ ରନ ନେବା ଚକ୍କରରେ ସେ ସର୍ବଦା ସାଥୀ ବ୍ୟାଟସମ୍ୟାନଙ୍କୁ ରନ୍‌ ଆଉଟ୍ କରାଇଥାନ୍ତି। ସିଡନୀ ଟେଷ୍ଟରେ ମଧ୍ୟ ଏମିତି ସେ କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ସେ ଚମତ୍କାର ଥ୍ରୋ କରି ଷ୍ଟିଭ୍ ସ୍ମିଥ୍‌ଙ୍କୁ ଆଉଟ୍ କରି ପ୍ରଶଂସା ସାଉଁଟିଥିଲେ। ହେଲେ ଭାରତର ପ୍ରଥମ ଇନିଂସରେ ସେ ଦୁଇ ଜଣ ବ୍ୟାଟସମ୍ୟାନଙ୍କୁ ରନ ଆଉଟ୍ କରି ପ୍ରଶଂସକଙ୍କ ନିଶାଣକୁ ଆସିଛନ୍ତି।

ଭାରତ ୬ ଓ୍ଵିକେଟ୍ ହରାଇ ୧୯୫ ରନ କରିଥିଲା। ଏହା ପରେ ଦଳ ଜାଡେଜାଙ୍କଠୁ ଆଶା ରଖିଥିଲା ଯେ, ସେ ନିମ୍ନକ୍ରମର ବ୍ୟାଟସମ୍ୟାନଙ୍କ ସହ ଦଳର ଇନିଂସକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇବେ। କ୍ରିଜରେ ରବିଚନ୍ଦ୍ରନ ଅଶ୍ଵିନଙ୍କ ସହ ବ୍ୟାଟିଂ କରୁଥିଲେ, ଯିଏ ଟେଷ୍ଟରେ ୪ ଶତକ ଅର୍ଜନ କରିଛନ୍ତି। ଦ୍ରୁତ ଗତିରେ ଏକ ରନ ନେବା ଚକ୍କରରେ ଜାଡେଜା ଅଶ୍ଵିନ(୧୦ ରନ)ଙ୍କୁ ରନଆଉଟ୍ କରିଥିଲେ। ତାଙ୍କୁ ବେଶ୍ ଭଲ ଭାବେ ଜଣା ଯେ ଅଶ୍ଵିନ ଓ୍ଵିକେଟ୍ ମଧ୍ୟରେ ଦ୍ରୁତ ବେଗରେ ଦୌଡି ପାରନ୍ତି ନାହିଁ। ପୁଣି ଜାଡେଜା ୪ ଓଭର ଭିତରେ ବୁମରାଙ୍କ ସହିତ ସେହି ଭୁଲ୍ ଦୋହରାଇ ଥିଲେ। ଜାଡେଜା ୨ ରନ ନେବା ଚକ୍କରରେ ବୁମରାଙ୍କୁ ରନ ଆଉଟ୍ କରାଇଲେ। ଜାଡେଜାଙ୍କ ଏହି ଦୁଇଟି ଭୁଲ୍ କାରଣରୁ  ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଭାରତଠୁ ୯୪ ରନର ଅଗ୍ରଣୀ ହାସଲ କରିବାରେ ସକ୍ଷମ ହୋଇଛି।

ସେହିପରି ମେଲବୋର୍ଣ୍ଣ ଟେଷ୍ଟରେ ମଧ୍ୟ ଜାଡେଜାଙ୍କ ପାଇଁ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ନିଜର ଓ୍ଵିକେଟ୍ ବଳିଦାନ ଦେବାକୁ ପଡିଥିଲା। ଏହି ମ୍ୟାଚ୍‌ରେ ରାହାଣେ ୧୧୨ ରନ କରି ବଡ ଇନିଂସ ଆଡକୁ ଅଗ୍ରସର  ହେଉଥିଲେ। ମାତ୍ର ଅନ୍ୟ ପାର୍ଶ୍ଵରେ ବ୍ୟାଟିଂ କରୁଥିବା ଜାଡେଜା ଜବରଦସ୍ତି ରନ ନେବାକୁ ଚାହିଁଥିଲେ ଏବଂ ରାହାଣେ ରନ ଆଉଟ୍ ହୋଇଥିଲେ।  ଏହା ପୂର୍ବରୁ ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଜାଡେଜା ପାଣ୍ଡ୍ୟାଙ୍କୁ ରନ ଆଉଟ୍ କରାଇଥିଲେ। ପାଣ୍ଡ୍ୟା ରନ ଆଉଟ୍ ହେବା ପୂର୍ବରୁ ୪୩ ବଲରେ ୪ ଚୌକା ଓ ଛଅ ଛକା ବଳରେ ୭୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଜାଡେଜାଙ୍କ ଏହି ଭୁଲ୍ କାରଣରୁ ସାମାଜିକ ଗଣମାଧ୍ୟମରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.