ସାର୍ ଜାଡେଜାଙ୍କ ରକେଟ୍ ଥ୍ରୋରେ ଚିତପଟାଙ୍ଗ୍ ସ୍ମିଥ୍, ଭାଇରାଲ ହେଉଛି ରନ୍ ଆଉଟ ଭିଡିଓ
8/01/2021 at 2:51 PM

ନୂଆଦିଲ୍ଲୀ ୦୮/୦୧ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ଜାରି ରହିଛି। ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪୫ ଓଭରରେ ୨ ଓ୍ୱିକେଟ୍ ହରାଇ ୯୬ରନ୍ କରିଛି । ଭାରତ ପକ୍ଷରୁ ୨ୟ ଦିନ ଖେଳ ଶେଷ ସୁଦ୍ଧା ଶୁଭମନ୍ ଗିଲ୍ ସର୍ବାଧିକ ୫୦ରନ୍ ଏବଂ ରୋହିତ ଶର୍ମା ୨୬ ରନ୍ କରି ପାଭିଲିୟନ ଫେରିଛନ୍ତି । ଚେତେଶ୍ବର ପୂଜାରା ୯ ରନ ଏବଂ ଅଜିଙ୍କ୍ୟ ରାହାଣେ ୫ ରନ କରି ଅପରାଜିତ ଅଛନ୍ତି ।
ତେବେ ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ସମୟରେ ଜାଡେଜା ଉଭୟ ବୋଲିଂ ଏବଂ ଫିଲଡିଂରେ ଦବଦବା ଦେଖାଇଥିଲେ । ଜାଡେଜା ଘାତକ ବୋଲିଂ କରି ୧୮ ଓଭରରେ ୬୨ ରନ ଦେଇ ୪ ଟି ଓ୍ବିକେଟ୍ ହାସଲ କରିଥିଲେ । କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହେଉଛି ଜାଡେଜାଙ୍କ ଥ୍ରୋ । ଏହା ସହ ନିଜ ରକେଟ୍ ଥ୍ରୋ ମାଧ୍ୟମରେ ଷ୍ଟେଭ୍ ସ୍ମିଥ୍ଙ୍କୁ ରନ୍ ଆଉଟ୍ କରି କଙ୍ଗାରୁ ଟିମକୁ ଏକ ବଡ ବ୍ରେକ୍ ଥ୍ରୁ ଦେଇଥିଲେ ଜାଡେଜା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଜାଡେଜାଙ୍କ ଡାଇରେକ୍ଟ ଥ୍ରୋ ଦ୍ବାରା ସ୍ମିଥ୍ ୧୩୧ ରନ କରି ଆଉଟ ହୋଇଥିଲେ । ଅଷ୍ଟ୍ରେଲିଆ ପାଳିର ୧୦୬ ତମ ଓଭରରେ ଜସପ୍ରୀତ ବୁମରାହଙ୍କର ଏକ ବଲକୁ ଡିପ୍ ସ୍କୋୟାର ଲେଗ୍କୁ ଖେଲିଥିଲେ ସ୍ମିଥ୍ । ଏହା ପରେ ଉଭୟ ବ୍ୟାଟ୍ସମ୍ୟାନ୍ ଏକ ରନ ପୁରା କରି ଦ୍ବିତୀୟ ରନ ନେଉଥିବା ବେଳେ ସାର ଜାଡେଜାଙ୍କ ରକେଟ୍ ଥ୍ରୋ କିନ୍ତୁ ସ୍ମିଥ୍ଙ୍କୁ ପ୍ୟାଭିଲିୟନ ଫେରାଇଦେଇଥିଲା ।