ଭାରତୀୟ ଦଳକୁ ଶକ୍ତ ଝଟକା, ଟେଷ୍ଟ ସିରିଜ୍ରୁ ବାଦ୍ ପଡିଲେ ରବୀନ୍ଦ୍ର ଜାଡେଜା
9/01/2021 at 6:12 PM

ନୂଆଦିଲ୍ଲୀ ୦୯।୦୧: ଅଷ୍ଟ୍ରେଲିଆର ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି। ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୂରା ସିରିଜ୍ରୁ ବାଦ୍ ପଡିଛନ୍ତି। ସିଡନୀ ଟେଷ୍ଟର ତୃତୀୟ ଦିନରେ ଆଘାତ ଲାଗିବାରୁ ଜାଡେଜାଙ୍କ ବାମ ହାତ ଆଙ୍ଗୁଠି ଭାଙ୍ଗି ଯାଇଛି। ଜାଡେଜା ଏବେ ଦ୍ଵିତୀୟ ଇନିଂସରେ ବି ବ୍ୟାଟିଂ କରି ପାରିବେ ନାହିଁ। ଅପରପକ୍ଷେ ଋଷଭ ପନ୍ତଙ୍କ ମଧ୍ୟ କହୁଣୀରେ ଆଘାତ ଲାଗିଥିଲା। ହେଲେ ସେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବେ ବୋଲି ଜଣା ପଡିଛି।
ଜାଡେଜାଙ୍କୁ ଭାରତର ପ୍ରଥମ ଇନିଂସର ବ୍ୟାଟିଂ କରିବା ବେଳେ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ଆଘାତ ଲାଗିଥିଲା। ଷ୍ଟାର୍କଙ୍କ ସର୍ଟ ପିଚ୍ ବୋଲିଂ ଜାଡେଜାଙ୍କ ଆଙ୍ଗୁଠିରେ ଲାଗିଥିଲା। ଫଳରେ ଦ୍ଵିତୀୟ ଇନିଂସରେ ବୋଲିଂ ବେଳେ ତାଙ୍କୁ ସମସ୍ୟା ହୋଇଥିଲା। ଏହା ପରେ ଜାଡେଜାଙ୍କୁ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ସୂତ୍ର ଅନୁଯାୟୀ ଜାଡେଜାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଛି। ଫଳରେ ସିଡନୀ ଟେଷ୍ଟ ସହିତ ବ୍ରିସବେନ ଟେଷ୍ଟରୁ ମଧ୍ୟ ସେ ବାଦ୍ ପଡିଛନ୍ତି। ସେହି ପରି ବ୍ୟାଟିଂ ବେଳେ ଋଷଭ ପନ୍ତଙ୍କ କହୁଣୀରେ ଆଘାତ ଲାଗିଥିଲା। କିନ୍ତୁ ତାଙ୍କ ଅବସ୍ଥା ଗମ୍ଭୀର ନୁହେଁ। ଦ୍ଵିତୀୟ ଇନିଂସରେ ସେ ବ୍ୟାଟିଂ କରିବେ ପାରିବେ ବୋଲି ଆଶା ପ୍ରକାଶ କରାଯାଉଛି।
ଜାଡେଜାଙ୍କ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିବା ଭାରତୀୟ ଦଳ ପାଇଁ ବହୁତ ବଡ ଝଟକା। ଜାଡେଜା ବୋଲିଂ ଓ ବ୍ୟାଟିଂରେ ଭଲ ଫର୍ମରେ ଥିଲେ। ମେଲବୋର୍ଣ୍ଣ ଟେଷ୍ଟରେ ଜାଡେଜା ଦମଦାର ଅର୍ଦ୍ଧଶତକ ଲଗାଇଥିଲେ ଏବଂ ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ସେ ୪ ଓ୍ଵିକେଟ୍ ନେଇଥିଲେ। ଫିଲ୍ଡିଂରେ ମଧ୍ୟ ଜାଡେଜା ବହୁତ ଯୋଗଦାନ ଦେଇଥାନ୍ତି। ପ୍ରଥମ ଇନିଂସରେ ତାଙ୍କର ଏକ ଚମତ୍କାର ଥ୍ରୋରେ ଷ୍ଟିଭ୍ ସ୍ମିଥ୍ ରନ ଆଉଟ୍ ହୋଇଥିଲେ।