ଅଷ୍ଟ୍ରେଲିଆରେ ଭେଦଭାବକୁ ନେଇ ରବିଚନ୍ଦ୍ରନ ଅଶ୍ବିନଙ୍କ ବିସ୍ଫୋରକ ବୟାନ, ‘ଭାରତୀୟ ଖେଳାଳିଙ୍କୁ ଲିଫ୍ଟ୍‌ରେ ଯିବାକୁ ଅନୁମତି ମିଳୁନଥିଲା’

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫/୦୧ : ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ, ବିଗତ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ଅଶ୍ବିନ ଖୁଲାସା କରି କହିଛନ୍ତି, ଅଷ୍ଟ୍ରେଲିଆରେ ଏବେ ଏବେ ଶେଷ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫି ଚାଲିଥିବା ସମୟରେ ସିଡନୀରେ ଆୟୋଜକ ଦଳର ସଦସ୍ୟଙ୍କ ସହ ତାଙ୍କୁ ଏକାଠୀ ଲିପ୍ଟ୍‌ରେ ଯିବାକୁ ଅନୁମତି ମିଳିନଥିଲା ।

ଭାରତୀୟ ଦଳର ଫିଲଡିଂ କୋଚ୍‌ ଆର. ଶ୍ରୀଧରଙ୍କ ସହ ୟୁଟୁବ୍‌ ଚ୍ୟାନେଲର ବାର୍ତ୍ତାଳପ ସମୟରେ ଏହା କହିଛନ୍ତି ଆର. ଅଶ୍ବିନ । ସେ କହିଛନ୍ତି, ‘ସିଡନୀରେ ପହଞ୍ଚିବା ପରେ ଭାରତୀୟ କ୍ରିକେଟ୍‌ ଖେଳାଳିଙ୍କ ପାଇଁ କଡା ନିୟମ ପାଳନ କରାଯାଇଥିଲା । ଗୋଟିଏ ରୁମ୍‌ରୁ ବାହାରକୁ ବାହାରିବା ପାଇଁ ଅନୁମତି ମିଳୁନଥିଲା’ ।

ଅଶ୍ବିନ କହିଛନ୍ତି, ସିଡନୀରେ ଆଶ୍ଚର୍ଯ୍ୟ କରିଲା ଭଳି ଏକ ଘଟଣା ଘଟିଥିଲା । ଭାରତ ଓ ଅଷ୍ଟ୍ରେଲିଆ ଉଭୟ ଟିମର ଖେଳାଳିମାନେ ଗୋଟିଏ ବାୟୋବବଲ୍‌ରେ ଥିଲେ । କିନ୍ତୁ ଯେତେବେଳେ ଅଷ୍ଟ୍ରେଲିଆ ଦଳର ସଦସ୍ୟମାନେ ଲିପ୍ଟରେ ଥିଲେ, ​‌ସେତେବେଳେ ଭାରତୀୟ ଟିମ୍‌ର ଖେଳାଳୀମାନଙ୍କୁ ଲିପ୍ଟ୍‌ ମଧ୍ୟକୁ ଯିବା ପାଇଁ ଅନୁମତି ମିଳିନଥିଲା ।

ରବି ଅଶ୍ବିନ କହିଛନ୍ତି, ପ୍ରକୃତରେ ଏହି ସମୟରେ ବହୁତ ଖରାପ ଲାଗିଥିଲା । ଆମେ ସମସ୍ତେ ଗୋଟିଏ ହିଁ ବାୟୋବବଲରେ ଥିଲୁ, କିନ୍ତୁ ଗୋଟିଏ ପକ୍ଷକୁ ଲିପ୍ଟ ବ୍ୟବହାର ପାଇଁ ଅନୁମତି ଦେବା ଏବଂ ସେଠାରେ ଉପସ୍ଥିତ ଅନ୍ୟମାନଙ୍କୁ ଅନୁମତି ନଦେବା ବହୁତ ଦୁଃଖଦାୟକ ଘଟଣା ।

ସୂଚନାଥାଉକି, ଅଷ୍ଟ୍ରେଲିଆ ଗସ୍ତ ସମୟରେ ବୋଲର ମହମ୍ମଦ ସିରାଜ, ଯଶପ୍ରୀତ ବୁମରାହ ଓ ଓ୍ବାଶିଂଟନ୍ ସୁନ୍ଦର ମଧ୍ୟ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ । ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ସିରାଜଙ୍କୁ ବର୍ଣ୍ଣବୈଷମ୍ୟ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ଏହା ପାରେ ତାଙ୍କୁ ଷ୍ଟାଡିୟମରୁ ବିଦା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.