ରବିଚନ୍ଦ୍ରନ ଅଶ୍ଵିନ ଟେଷ୍ଟରେ ୭୦୦-୮୦୦ ଓ୍ଵିକେଟ୍ ନେଇ ପାରିବେ, ନାଥନ ଲାୟନଙ୍କ ପାଖରେ ସେହି ଦମ୍ ନାହିଁ: ମୁରଲୀଧରନ
14/01/2021 at 1:11 PM

ନୂଆଦିଲ୍ଲୀ ୧୪।୦୧: ଶ୍ରୀଲଙ୍କାର ମହାନ ଅଫ ସ୍ପିନର ତଥା ଦୁନିଆର ସବୁଠୁ ସଫଳତମ ବୋଲର ମୁଥୈୟା ମୁରଲୀଧରନ ଭାରତୀୟ ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନଙ୍କ ପ୍ରଶଂସା କରିଛନ୍ତି। ମୁରଲୀଧରନ ଆଶା ପ୍ରକଟ କରିଛନ୍ତି ଯେ ଅଶ୍ଵିନ ଟେଷ୍ଟରେ ୭୦୦ ଓ୍ଵିକେଟ୍ ନେଇ ପାରିବେ। ଏପରିକି ସେ ୮୦୦ ଓ୍ଵିକେଟ୍ ମଧ୍ୟ ନେଇ ପାରନ୍ତି।
ନାଥନ ଲାୟନ ବ୍ରିସବେନରେ ନିଜର ୧୦୦ତମ ଟେଷ୍ଟ ଖେଳିବେ। ସେ ଏ ପର୍ଯ୍ୟନ୍ତ ୩୯୬ ଓ୍ଵିକେଟ୍ ନେଇ ସାରିଛନ୍ତି। ଅଶ୍ଵିନ ୭୪ ଟେଷ୍ଟ ଖେଳି ୩୭୭ ଓ୍ଵିକେଟ୍ ନେଇଛନ୍ତି। ଟେଷ୍ଟ କ୍ରିକେଟ୍ରେ ୮୦୦ ଓ୍ଵିକେଟ୍ ନେଇଥିବା ମୁରଲୀଧରନ କହିଛନ୍ତି, ଅଶ୍ଵିନଙ୍କ ପାଖରେ ୭୦୦/୮୦୦ ଓ୍ଵିକେଟ୍ ନେବାର ସୁଯୋଗ ରହିଛି, କାରଣ ସେ ଜଣେ ମହାନ ବୋଲର। ମୋତେ ଲାଗୁନାହିଁ ଯେ କୌଣସି ଯୁବ ବୋଲର ୮୦୦ ଓ୍ଵିକେଟ୍ ନେଇ ପାରିବେ। ନାଥନ ଲାୟନଙ୍କ ପାଖରେ ଏ ସଫଳତା ହାସଲ କରିବାର ପ୍ରତିଭା ନାହିଁ। ସେ ୪୦୦ ଓ୍ଵିକେଟ୍ର ନିକଟତର ଅଛନ୍ତି ମାତ୍ର ୮୦୦ ଓ୍ଵିକେଟ୍ ନେବାକୁ ହେଲେ ତାଙ୍କୁ କଠୋର ପରିଶ୍ରମ କରିବାକୁ ପଡିବ।
ମୁରଲୀଧରନ କହିଛନ୍ତି, ଟେଷ୍ଟ କ୍ରିକେଟ୍ ସହିତ ସମସ୍ୟା ଏହା ଯେ ଟି-୨୦ ଓ ଦିନିକିଆରେ ବହୁତ ନିୟମ ବଦଳି ଯାଇଛି। ଯେବେ ମୁଁ ଖେଳୁଥିଲି ସେହି ସମୟରେ ବ୍ୟାଟସମ୍ୟାନ କଳାତ୍ମକ ଭାବେ ବହୁତ ଭଲ ଥିଲେ। ସେମାନଙ୍କର ବ୍ୟାଟିଂ ଶୈଳୀ ବହୁତ ଚମତ୍କାର ଥିଲା। ଓ୍ଵିକେଟ୍ ମଧ୍ୟ ସମତୁଲ ରହୁଥିଲା। କିନ୍ତୁ ଏବେ ଟେଷ୍ଟ ମ୍ୟାଚ୍କୁ ତିନି ଦିନରେ ସମାପ୍ତ କରିବାକୁ ସମସ୍ତେ ଚାହାନ୍ତି।
ଆମ ସମୟରେ ବୋଲରଙ୍କୁ ବଲ୍ ସ୍ପିନ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡୁଥିଲା। ସଫଳତା ହାସଲ ପାଇଁ କିଛି ଯାଦୁ କରିବାକୁ ପଡୁଥିଲା। ମାତ୍ର ବର୍ତ୍ତମାନ ଆପଣ କିଛି ସମୟ ପାଇଁ ସଠିକ୍ ଲାଇନ୍ ଲେଙ୍ଗ୍ଥରେ ବୋଲିଂ କଲେ ଆପଣଙ୍କୁ ପାଞ୍ଚ ଓ୍ଵିକେଟ୍ ମିଳି ଯାଉଛି। କାରଣ ବ୍ୟାଟସମ୍ୟାନ ଅଧିକ ସମୟ ଆକ୍ରମଣାତ୍ମକ ନଖେଳି ରହି ପାରୁନାହାନ୍ତି। ଫଳରେ ବୋଲରଙ୍କକୁ ସହଜରେ ଓ୍ଵିକେଟ୍ ମିଳି ଯାଉଛି ବୋଲି ମୁରଲୀଧରନ କହିଛନ୍ତି।