ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ବିକେଟ ନେବାରେ ଦ୍ରୁତ ସ୍ପିନର

Published By : Prameya-News7 Bureau | December 04, 2021 IST

ମୁମ୍ବାଇ ୦୪/୧୧ : ଭାରତୀୟ କ୍ରିକେଟ ଟିମର ଭେଟେରାନ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଓ୍ବିକେଟ ନେବାର ଗୌରବ ଅର୍ଜନ କରିଛନ୍ତି । ଅଶ୍ବିନ ଭାରତର ତୃତୀୟ ସଫଳ ବୋଲର ଯିଏକି ପାକିସ୍ତାନର ଶାହୀନ ଶାହ ଆଫ୍ରିଦିଙ୍କୁ ପଛରେ ଛାଡି ଦେଇଛନ୍ତି । ଚଳିତ ବର୍ଷ ଶାହୀନ ଆଫ୍ରିଦି ମୋଟ ୪୪ଟି ଓ୍ବିକେଟ ନେଇଥିବା ବେଳେ ଅଶ୍ବିନ ବର୍ତ୍ତମାନ ସୁଦ୍ଧା ଟେଷ୍ଟ କ୍ରିକେଟରେ ୪୮ଟି ଓ୍ବିକେଟ ନେଇସାରିଲେଣି । ମୁମ୍ବାଇରେ ଜାରି ରହିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ବିନ ୪ଟି ଓ୍ବିକେଟ ନେଇଛନ୍ତି । ଏହା ସହିତ ମାତ୍ର ୮ରନ ବ୍ୟୟ କରିଛନ୍ତି ।

ଟେଷ୍ଟ କ୍ରିକେଟରେ କ୍ୟାରମ୍‌ ବଲ ସ୍ପେଶାଲିଷ୍ଟ ହେଉଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ନିଜ ଚତୁର ବୋଲିଂ ବଳରେ ସେ ବିଶ୍ବର ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଚକ୍‌ମା ଦେବାରେ ସଫଳ ହୋଇଛନ୍ତି । ସ୍ପିନ ବୋଲିଂ ଯାଦୁରେ ପଡିଆରେ କମାଲ କରନ୍ତି ଅଶ୍ବିନ । ତାଙ୍କ ନାଁରେ ଅନେକ ରେକର୍ଡ ମଧ୍ୟ ସାମିଲ ଅଛି । ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି ଅଶ୍ବିନ । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର ମେରୁଦଣ୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିବା ଅଶ୍ବିନ ୮ଓଭର ବୋଲିଂ କରି ମାତ୍ର ୮ରନ ଦେଇ ୪ଟି ଓ୍ବିକେଟ ନେଇଛନ୍ତି ।

ଅଶ୍ବିନ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ୪୮ଟି ଓ୍ବିକେଟ ନେଇ ପ୍ରଥମ ସ୍ଥାନରେ ଥିବା ବେଳେ ପାକିସ୍ତାନର ଶାହୀନ ଆଫ୍ରିଦି ୪୪ଟି ଓ୍ବିକେଟ ନେଇ ଦ୍ବିତୀୟ ସ୍ଥାନରେ, ହସନ୍‌ ଅଲ୍ଲୀ ୮ଟି ଟେଷ୍ଟ ମ୍ୟାଚ ଖେଳି ୩୯ ଓ୍ବିକେଟ ନେଇ ତୃତୀୟ ସ୍ଥାନରେ, ଭାରତର ଅକ୍ଷର ପଟେଲ ୫ ଟେଷ୍ଟ ମ୍ୟାଚ ଖେଳି ୩୫ଟି ଓ୍ବିକେଟ ନେଇ ଚତୁର୍ଥ ସ୍ଥାନରେ, ଇଂଲଣ୍ଡର ଜେମ୍ସ ଆଣ୍ଡରସନ ୩୨ ଓ୍ବିକେଟ ନେଇ ୫ମ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.