ଧୋନୀଙ୍କ ପ୍ରଶଂସାରେ ଗଦ୍‌ଗଦ୍‌ ରବି ଶାସ୍ତ୍ରୀ: କହିଲେ, ‘ମାହିଙ୍କ ଭଳି କ୍ରିକେଟର ଦେଖିନାହିଁ, ସଚିନ ବି ଏମ୍‌ଏସ୍‌ଙ୍କ ସାମ୍ନାରେ ଫେଲ୍‌’

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬/୦୧ : ଭାରତୀୟ କ୍ରିକେଟର ଏମିତି ଜଣେ ନାୟକ ଯାହାଙ୍କ ନେତୃତ୍ବରେ ଭାରତ ୩ଟି ICC ଟ୍ରଫି ହାତେଇଥିଲା । ଭାରତୀୟ କ୍ରିକେଟ ଇତିହାସରେ ଏକମାତ୍ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ଯିଏ କି ଏଭଳି ରେକର୍ଡ ହାସଲ କରିଛନ୍ତି । ନିଜ ଶାନ୍ତ ସ୍ବଭାବ ତଥା ବିଚକ୍ଷଣ ରଣନୀତି ବଳରେ ବିପକ୍ଷ ଟିମ୍‌ର ମୁଣ୍ଡ ବିନ୍ଧାର କାରଣ ପାଲଟନ୍ତି ଧୋନୀ । ଖେଳ ଜଗତର ଅନେକ କିମ୍ବଦନ୍ତୀ ତାଙ୍କୁ ତାରିଫ୍‌ କରିବାକୁ ଆଦୈ କୁଣ୍ଠାବୋଧ କରନ୍ତି ନାହିଁ ।

ଏବେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ଧୋନୀଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି । ଶାସ୍ତ୍ରୀ କହିଛନ୍ତି, ‘ଧୋନୀଙ୍କ ଚେହେରାରେ କେବେ ରାଗ ଦେଖିନାହିଁ । ସଚିନ୍‌ ତେନ୍ଦୁଲକର ବି ଧୋନୀଙ୍କ ସାମ୍ନାରେ ଫେଲ୍‌ ମାରିବେ । କାରଣ ତେନ୍ଦୁଲକର ବି ଅନେକ ଥର ରାଗିବାର ନଜର ଆସିଛନ୍ତି । କିନ୍ତୁ ଧୋନୀ ଶାନ୍ତ ସ୍ବଭାବ ଏବଂ ବିଚକ୍ଷଣ ରଣନୀତି ଦ୍ବାରା ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।’

ପାକିସ୍ତାର ପୂର୍ବତନ ସୋଏବ ଅଖତାରଙ୍କ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଏଭଳି କହିଛନ୍ତି ରବି ଶାସ୍ତ୍ରୀ । ସେ କହିଛନ୍ତି, ‘ମହେନ୍ଦ୍ର ସିଂହ ଧୋନୀ ବାସ୍ତବିକତାକୁ ବିଶ୍ବାସ କରୁଥିଲେ । ତାଙ୍କ ଭଳି ବ୍ୟକ୍ତି ମୁଁ ଏ ପର୍ଯ୍ୟନ୍ତ ଦେଖିନାହିଁ । ଜିରୋ ରନ୍‌ କରି ଆଉଟ୍ ହୁଅନ୍ତୁ କିମ୍ବା ଶତକ ହାସଲ କରନ୍ତୁ, ବିଶ୍ବକପ ଜିତନ୍ତୁ କିମ୍ବା ସିରିଜ୍‌ ହାରନ୍ତୁ ତାଙ୍କୁ କିଛି ଫରକ୍‌ ପଡେ ନାହିଁ।’

ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ସଚିନ୍‌ ତେନ୍ଦୁଲକରଙ୍କ ସମେତ ଅନେକ ମହାନ୍‌ ଖେଳାଳିଙ୍କୁ ଅତି ନିକଟରୁ ଦେଖିଛି କିନ୍ତୁ ଧୋନୀଙ୍କ ଭଳି କେହି ନୁହନ୍ତି । ସଚିନଙ୍କ ଟେମ୍ପରମେଣ୍ଟ ଭଲ ଥିଲା ତଥାପି ସେ ବେଳେବେଳେ ରାଗୁଥିଲେ । କିନ୍ତୁ ଧୋନୀ ରାଗ କଣ ଜାଣି ହିଁ ନଥିଲେ ।’

ସୂଚନାଯୋଗ୍ୟ, ମହେନ୍ଦ୍ର ସିଂହ ଧୋନୀ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ୩୯ ବର୍ଷ ବୟସରେ କ୍ରିକେଟକୁ ବାଏ ବାଏ କହିଥିଲେ ବି ଆଇପିଏଲ ଖେଳିବା ଜାରି ରଖିଛନ୍ତି ଧୋନୀ । IPL ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଧୋନୀଙ୍କ ନେତୃତ୍ବରେ ଚାରି ୪ ଥର ଚାମ୍ପିୟନ ହୋଇଛି । ଆସନ୍ତା ସିଜିନ୍ ପାଇଁ ମଧ୍ୟ ଧୋନୀଙ୍କୁ ରିଟେନ୍‌ କରିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଅର୍ଥାତ ଆଇପିଏଲ୍‌ ୨୦୨୨ ସିଜିନ୍‌ରେ ମଧ୍ୟ ଧୋନୀ ସିଏସ୍‌କେରୁ ପ୍ରତିନିଧିତ୍ବ କରିବେ । ଧୋନୀଙ୍କର ଏହା ଶେଷ ଆଇପିଏଲ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.