ଦୁବାଇ ୦୯।୧୧: ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟକାଳ ସରିଲା। ଏବେ ପୁଣି ଥରେ କ୍ରିକେଟ୍ କମେଣ୍ଟ୍ରିକୁ ଫେରି ପାରନ୍ତି ରବି ଶାସ୍ତ୍ରୀ। ଭାରତୀୟ ଦଳର ମୁଖ୍ୟ କୋଚ୍ ହେବା ପୂର୍ବରୁ ଶାସ୍ତ୍ରୀ ଭାଷ୍ୟକାର ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ତାଙ୍କର କାର୍ଯ୍ୟକାଳ ନାମିବିୟା ବିପକ୍ଷ ଟି-୨୦ ବିଶ୍ଵ କପ୍ ମ୍ୟାଚ୍ ସହିତ ସମାପ୍ତ ହୋଇଛି। ନାମିବିୟା ବିପକ୍ଷ ମ୍ୟାଚ୍ ପରେ ସାମ୍ବାଦିକଙ୍କ ସହ ଆଲୋଚନା କରି ଶାସ୍ତ୍ରୀ ନିଜର ଭବିଷ୍ୟତ ଯୋଜନା ବିଷୟରେ ସଙ୍କେତ ଦେଇଛନ୍ତି।
ଶାସ୍ତ୍ରୀ କହିଛନ୍ତି, ଯଦି ମୋ କାର୍ଯ୍ୟକାଳର ବିଶିଷ୍ଟ ଉପଲବ୍ଧି ବିଷୟରେ କୁହାଯିବ ତେବେ ଅଷ୍ଟ୍ରେଲିଆକୁ ତାରି ମାଟିରେ ହରାଇବାଠୁ ବଡ ସଫଳତା ଆଉ ମୋ ପାଇଁ କିଛି ନୁହେଁ। ଇଂଲଣ୍ଡ ମାଟିରେ ମଧ୍ୟ ଆମେ ସିରିଜ୍ରେ ଆଗରେ ରହିଛୁ। ହୋଇପାରେ ଶେଷ ଟେଷ୍ଟ ମ୍ୟାଚ୍ରେ ମୁଁ କମେଣ୍ଟ୍ରି କରୁଥିବି।
ଶାସ୍ତ୍ରୀ ଇଂଲଣ୍ଡ ବିପକ୍ଷ ସେହି ପଞ୍ଚମ ଟେଷ୍ଟର କଥା କହୁଥିଲେ, ଯାହା କରୋନା କାରଣରୁ ସେପ୍ଟେମ୍ବରରେ ସ୍ଥଗିତ ହୋଇଥିଲା। ଆସନ୍ତା ବର୍ଷ ଏହି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହା ମଧ୍ୟ କୁହାଯାଉଛି ଯେ, ରବି ଶାସ୍ତ୍ରୀ ଆଇପିଏଲରେ କୋଚିଂ ଦାୟିତ୍ଵ ସମ୍ଭାଳି ପାରନ୍ତି।
ଶାସ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଟି-୨୦ ବିଶ୍ଵ କପ୍ ପୂର୍ବରୁ ଖେଳାଳିଙ୍କ ପାଇଁ କୌଣସି ପ୍ରକାରର ବିଶ୍ରାମକୁ ନେଇ ଭାରତୀୟ କ୍ରିକେଟ୍ ପ୍ରଶାସକଙ୍କ ସହ କଥା ହେବା ତାଙ୍କର କାମ ନଥିଲା। କାରଣ ଖେଳାଳିଙ୍କ ମଧ୍ୟରୁ ଅନେକ ବାୟୋ ବବଲ୍ କାରଣରୁ ଅତ୍ୟଧିକ କ୍ଳାନ୍ତ ଥିଲେ ବୋଲି ସେ କହିଛନ୍ତି।