ମହେନ୍ଦ୍ର ସିଂ ଧୋନୀଙ୍କ ବିକଳ୍ପ କିଏ ? ରବି ଶାସ୍ତ୍ରୀ ଦେଲେ ଏମିତି ଉତ୍ତର

Published By : Prameya-News7 Bureau | November 01, 2020 IST

ନୂଆଦିଲ୍ଲୀ ୦୧/୧୧: ମହେନ୍ଦ୍ର ସିଂ ଧୋନୀ, ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ। ଚଳିତବର୍ଷ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ ପ୍ରଶ୍ନ, ମାହିଙ୍କ ପରେ କିଏ ? ଧୋନୀଙ୍କ ବିକଳ୍ପ ପାଇବ କି ଟିମ୍‌ ?  ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଅବସର ଘୋଷଣା କରିଥିଲେ ଧୋନୀ। ତେବେ ଧୋନୀ ଯେ କେବଳ ଭାରତୀୟ ଟିମ୍‌ ପାଇଁ ଭଲ ଅଧିନାୟକ ଥିଲେ ତାହା ନୁହେଁ ସେ ଜଣେ ସଫଳ ଓ୍ବିକେଟ କିପର ଥିବା ବେଳେ ବିଶ୍ବର ସବୁଠୁ ଭଲ ଫିନିସର ବି ଥିଲେ।

ଟିମ୍‌ ଇଣ୍ଡିଆ ଏବେ ଧୋନୀଙ୍କ ବିକଳ୍ପ ଭାବେ ରିଦ୍ଧିମାନ ଶାହା, ରିଶବ ପନ୍ତ, କେଏଲ ରାହୁଲ ଓ ସଞ୍ଜୁ ସାମସନ୍‌ଙ୍କୁ ଦେଖୁଛି। ସେମାନେ ବର୍ଷେ ହେଲା ଗ୍ଲୋଭ୍‌ସ ସହ ଭାରତୀୟ ଦଳ ପାଇଁ କିପିଂ କରିଆସୁଛନ୍ତି। ତେବେ ଧୋନୀଙ୍କ ଅବସର ଘୋଷଣା ଏବେ କୋଚ୍‌ ରବି ଶାସ୍ତ୍ରୀ ଓ ମ୍ୟାନେଜମେଣ୍ଟକୁ ତାଙ୍କର ବିକଳ୍ପ ଖୋଜିବାକୁ ବାଧ୍ୟ କରିଛି।

ତେବେ ଏନେଇ ରବି ଶାସ୍ତ୍ରୀଙ୍କୁ ପଚରାଯିବାରୁ ସେ କହିଥିଲେ, ଧୋନୀଙ୍କ ବିକଳ୍ପ ଖୋଜିବା କଷ୍ଟ। ବହୁତ ବଡ଼ ଚ୍ୟାଲେଞ୍ଜ। ମହାନ ଖେଳାଳୀଙ୍କ ମଧ୍ୟରେ ଜଣେ ଧୋନୀ ବୋଲି ଏବେ ଇତିହାସ ହୋଇଯାଇଛି। ତେବେ ଧୋନୀ କେବଳ ଜଣେ କିପର କି ବ୍ୟାଟ୍ସମ୍ୟାନ୍‌ ଥିଲେ ତାହା ନୁହେଁ ବରଂ ଜଣେ ଅଧିନାୟକ ଭାବେ ତାଙ୍କର ରେକର୍ଡ ଅନନ୍ୟ। ତେଣୁ ତାଙ୍କର ବିକଳ୍ପ ଖୋଜିବା ମୁସକିଲ। କପିଳ ଦେବ ଗଲା ପରେ କଣ କପିଳ ଦେବଙ୍କ ଭଳି ଖେଳାଳି ମିଳିଲେ ? ଆଜି ପର୍ଯ୍ୟନ୍ତ ମଧ୍ୟ କପିଳ ଦେବଙ୍କ ଭଳି ଖେଳାଳି ମିଳିପାରିନାହାନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି।

ଆମେ କଣ ଆଉ ଜଣେ ତେନ୍ଦୁଲକର ପାଇବା ? ସେମିତି ଖେଳାଳି ଆଉ ମିଳିବେନି। କିନ୍ତୁ ଆଜିର ବହୁ ଯୁବ ପ୍ରତିଭା ଭଲ ଖେଳୁଛନ୍ତି ବୋଲି ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.