ଭାରତର ଏହି ଖେଳାଳିଙ୍କୁ ଏବି ଡିଭିଲିୟର୍ସଙ୍କ ସହ ତୂଳନା କଲେ କୋଚ୍ ରବି ଶାସ୍ତ୍ରୀ, ପ୍ରଶଂସାରେ କହିଲେ ବହୁତ ବଡ କଥା

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯।୦୪: ବିଶ୍ଵର ସବୁଠୁ ବଡ କ୍ରିକେଟ୍ ଲିଗ୍‌ ଆଇପିଏଲ୍ କେଇଟା ସମୟ ପରେ ଆରମ୍ଭ ହେବ। ପ୍ରଶଂସକ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବଲ୍‌ ଏବଂ ବ୍ୟାଟ୍‌ ମଧ୍ୟରେ ଦେଖିବେ ରମାଞ୍ଚୋକର ଲଢେଇ। ୧୪ଶ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ମୁହାଁମୁହିଁ ହେବେ ପାଞ୍ଚ ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଦୁଇ ଦଳରେ ଏକରୁ ଆରକେ ବଳି ଖେଳାଳି ଅଛନ୍ତି। ହେଲେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ନଜର ସୂର୍ଯ୍ୟକୁମାର ଯାଦବଙ୍କ ଉପରେ  ରହିଛି। ମୁମ୍ବାଇ-ବେଙ୍ଗାଲୁରୁ ମ୍ୟାଚ୍ ପୂର୍ବରୁ ରବି ଶାସ୍ତ୍ରୀ ସୂର୍ଯ୍ୟକୁମାର ଯାଦବଙ୍କ ତୂଳନା ଏକ ବଡ କ୍ରିକେଟ୍‌ରଙ୍କ ସହ କରିଛନ୍ତି।

ରବି ଶାସ୍ତ୍ରୀ ଫେନକୋଡ୍ ସହ ସ୍ଵତନ୍ତ୍ର ସାକ୍ଷାତକାର ସମୟରେ କହିଛନ୍ତି ଯେ, ଯଦି ଏବିଡିଭିଲିୟର୍ସ ୩୬୦ ଡିଗ୍ରୀ ଖେଳାଳି ତେବେ ସୂର୍ଯ୍ୟକୁମାର ଯାଦବ ମଧ୍ୟ କିଛି କମ ନୁହନ୍ତି। ଶାସ୍ତ୍ରୀଙ୍କ ଅନୁଯାୟୀ, ଯାଦବ ନିକଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ନିଜକୁ ସାବ୍ୟସ୍ତ କରିଛନ୍ତି। ଏହାର ଆତ୍ମବିଶ୍ଵାସ ତାଙ୍କୁ ଆଇପିଏଲ୍ ୨୦୨୧ରେ ବହୁତ କାମରେ ଆସିବ। ଶାସ୍ତ୍ରୀ କହିଛନ୍ତି, ସୂର୍ଯ୍ୟକୁମାର ଯାଦବଙ୍କ ନଜର ଟି-୨୦ ବିଶ୍ଵକପ୍‌ ଉପରେ ମଧ୍ୟ ଥିବ। ଯଦି ସେ ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି ତେବେ ଟି-୨୦ ବିଶ୍ଵକପ୍‌ ଦଳ ଏବଂ ଚୂଡାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିପାରେ।

ଶାସ୍ତ୍ରୀ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସା କରି କହିଛନ୍ତି ଯେ, ସୂର୍ଯ୍ୟକୁମାର ଜଣେ ଭିନ୍ନ ଧରଣର ଖେଳାଳି। ତାଙ୍କ ନିକଟରେ ଚତୁଃପାର୍ଶ୍ଵରେ ସଟ୍ ମାରିବାର କ୍ଷମତା ରହିଛି। ଯଦି ସେ କ୍ରିଜ୍‌ରେ ଜମି ଯାଆନ୍ତି ତେବେ ବୋଲରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିବେ। ରବିଶାସ୍ତ୍ରୀ ମୁମ୍ବାଇ ଇଣ୍ଡିଆନ୍ସର ଆଉ ଜଣେ ଯୁବ ଖେଳାଳି ଇଶାନ କିଷନଙ୍କ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ତାଙ୍କ ଅନୁଯାୟୀ ଇଶାନ କିଷନ ଜଣେ ନିର୍ଭୀକ ବ୍ୟାଟସମ୍ୟାନ। ଯଦି କ୍ଵିଣ୍ଟନ ଡିକକ୍‌ ନଖେଳନ୍ତି ତେବେ ସେ ଓପନିଂ କରି ମୁମ୍ବାଇ ଇଣ୍ଡିଆନ୍ସକୁ ଦମଦାର ଆରମ୍ଭ ଦେଇ ପାରିବେ ବୋଲି ଶାସ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.