ରବି ଶାସ୍ତ୍ରୀ ଏବେ କ୍ରିକେଟରରୁ ଉଦ୍ୟୋଗପତି, ପାର୍ଟନରସିପରେ ଲଞ୍ଚ୍ କଲେ ପୁରୁଷ ପ୍ରସାଧନ ସାମଗ୍ରୀ ବ୍ରାଣ୍ଡ୍ ୨୩ ୟାର୍ଡସ୍

Published By : Prameya-News7 Bureau | October 10, 2020 IST

ମୁମ୍ବାଇ, ୧୦।୧୦:     ଭାରତୀୟ କ୍ରିକେଟ ଦଳର କୋଚ୍ ରବି ଶାସ୍ତ୍ରୀ ଏବେ ବ୍ୟବସାୟରେ ପ୍ରବେଶ କରିଛନ୍ତି । ସେ ପୁରୁଷଙ୍କ ବିଭିନ୍ନ ପ୍ରସାଧନ କମ୍ପାନୀ ପ୍ରତିଷ୍ଠା କରିଛନ୍ତି ।ଏହି କମ୍ପାନୀର ନାଁ ହେଉଛି ୨୩ ୟାର୍ଡସ୍ । ମୁମ୍ବାଇର ଆଡୋର ମଲଟିପ୍ରଡକ୍ଟସ ସହ ମିଶି ସେ ଏହି କମ୍ପାନୀ ଖୋଲିଛନ୍ତି ।

ଏହି କମ୍ପାନୀ କେବଳ ପୋଷାକ ନୁହେଁ ବରଂ ବିଭିନ୍ନ ପୁରୁଷ ପ୍ରସାଧନ ସାମଗ୍ରୀ ଯଥା ବିଅର୍ଡ ଅଏଲ, ଫେସ ଓ୍ୱାସ୍, ବଡି ଓ୍ୱାସ, ଡିଓଡ୍ରାଣ୍ଟ ଓ ସାନିଟାଇଜର୍ ବିକ୍ରି କରିବ । ଏହା ମୁଖ୍ୟତଃ ଯୁବପୀଢିଙ୍କୁ ବିକ୍ରି କରାଯିବ ।

ଏହି କମ୍ପାନୀରେ ରବି ଶାସ୍ତ୍ରୀଙ୍କର ୪୯ ପ୍ରତିଶତ ଅଂଶଧନ ରହିବ । ଅନ୍ୟ ୫୧ ପ୍ରତିଶତ ଅଂଶଧନ ଆଡୋର ଗ୍ରୁପ୍ ନିକଟରେ ରହିବ ।

ତେବେ ଶାସ୍ତ୍ରୀ କହିଛନ୍ତି ଯେ, ସେ ପୂର୍ବରୁ ଖେଳାଳି ଓ ଏବେ କୋଚ୍ ବାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଏହି ଜୀବନ ୨୨ ୟାର୍ଡ୍ ମଧ୍ୟରେ ରହିଯାଏ । ତେଣୁ ସେ ପୋଷାକ କମ୍ପାନୀର ନାଁ ୨୩ ୟାର୍ଡସ୍ ଦେଇଛନ୍ତି । ତାଙ୍କର ପୂର୍ବରୁ ଇଚ୍ଛା ଥିଲା ଏପରି ଏକ କମ୍ପାନୀ ପ୍ରତିଷ୍ଠା କରିବେ । ଯାହା ବାସ୍ତବତାର ରୂପ ନେଇଛି । ଏହି କମ୍ପାନୀକୁ ନେଇ ସେ ଖୁସି ଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କମ୍ପାନୀରେ ଯେଉଁ ସବୁ ସାମଗ୍ରୀ ମିଳିବ ତାହା କେମିକାଲ ଫ୍ରି ରହିବ । କୌଣସି ଟକ୍ସିନ୍ ଏଥିରେ ନଥିବ । ଏହି ସବୁ ସାମଗ୍ରୀର ଦାମ୍ ୨୯୯ ଟଙ୍କାରୁ ଆରମ୍ଭ ହେବ ।

ଏତତ୍ ବ୍ୟତୀତ ଆଡୋର୍ ଗ୍ରୁପର ଅଧ୍ୟକ୍ଷ ଦୀପ ଲାଲଭାନି କହିଛନ୍ତି ଯେ, କମ୍ପାନୀର ଏବେ ବାର୍ଷିକ ବୃଦ୍ଧି ହାର ୪୫ ପ୍ରତିଶତ ରହିଛି । ରବି ଶାସ୍ତ୍ରୀଙ୍କ ସହ ପାର୍ଟନରସିପକୁ ନେଇ ସେ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.