ଆସନ୍ତାକାଲି ଦଶହରା : ରାଜଧାନୀର ୫ଟି ସ୍ଥାନରେ ହେବ ରାବଣପୋଡି, କେବଳ ଆଲୋକ ବାଣ ହେବ ବ୍ୟବହାର

Published By : Prameya-News7 Bureau | October 18, 2018 IST

ଭୁବନେଶ୍ବର ୧୮|୧୦: ଆସନ୍ତାକାଲି ଦଶହରା । ଅଧର୍ମ ଉପରେ ଧର୍ମର ବିଜୟକୁ ଦଶହରା ଉତ୍ସବ ରୂପରେ ପାଳନ କରାଯାଏ । ଦଶହରାରେ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ରାବଣଙ୍କ ନିଧନ ହୋଇଥିଲା । ତେଣୁ ଏହି ଦିନ ରାବଣ ପୋଡ଼ି ଉତ୍ସବ ପାଳିତ ହୋଇଥାଏ । ଏହାକୁ ନଜରରେ ରଖି ରାବଣ ପ୍ରତିମୂର୍ତ୍ତିରେ ଶେଷସ୍ପର୍ଶ ଦେଉଛନ୍ତି କାରିଗର । ସେପଟେ ଭୁବନେଶ୍ବରର ୫ଟି ସ୍ଥାନରେ ପାଳିତ ହେଉଥିବା ରାବଣ ପୋଡ଼ି ଉତ୍ସବ ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦଶହରାରେ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ରାବଣଙ୍କ ନିଧନ ହୋଇଥିବାରୁ ଏହି ଦିନ ରାବଣପୋଡ଼ି ଉତ୍ସବ ମଧ୍ୟ ପାଳନ ହୋଇଥାଏ । ଏଥି ପାଇଁ ଟ୍ବିନ୍‌ସିଟିରେ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ିର ଆୟୋଜନ କରାଯାଉଛି । ବୃହତ୍ତକାୟ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏଥିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଏମିତି ଜଣେ କାରିଗର ହେଉଛନ୍ତି ପୁରୁଣା ଭୁବନେଶ୍ବରର ରାଜକିଶୋର ମହାପାତ୍ର । ଯାହାଙ୍କ ହାତ ତିଆରି ରାବଣ ଖୋର୍ଦ୍ଧା, ପୁରୀ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ଗୁଡ଼ିକରେ ଶୋଭା ପାଆନ୍ତି । ଦୀର୍ଘ ୩୦ବର୍ଷ ହେଲାଣି ଏଇ କାମ କରିଆସୁଛନ୍ତି ରାଜକିଶୋର । ସେପଟେ ରାବଣପୋଡ଼ି ଓ ଆତସବାଜି ପ୍ରଦର୍ଶନ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ଏ ନେଇ ସୁପ୍ରିମକୋର୍ଟଙ୍କ କଟକଣା ରହିଛି । ବାଣ ଯୋଗୁଁ ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ପରିବେଶବିତ୍‌ । ଫଳରେ କେବଳ ଆଲୋକିତ ହେଉଥିବା ବାଣ ବ୍ୟବହାର ପାଇଁ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥି ସହିତ ବ୍ୟରିକେଡ ବ୍ୟବସ୍ଥା କରିବା ପାଇଁ ଆୟୋଜକମାନଙ୍କୁ କୁହାଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରାଜଧାନୀର ସହିଦ ନଗର, ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା ଭଳି ବିଭିନ୍ନ ପୂଜା ମଣ୍ଡପରେ ରାବଣପୋଡ଼ିର ଆୟୋଜନ କରାଯାଇଛି । ତେବେ ରାବଣ ପୋଡ଼ି ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ କିଛି କଟକଣା ଲଗାଯାଇଛି । ଜନବସତିଠାରୁ ଦୂରରେ,​‌ ଖୋଲା ପଡ଼ିଆରେ ରାବଣପୋଡି କରିବା ପାଇଁ କଡ଼ା ନିୟମ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.