ଏବେ କରୋନା ଭଳି ଅଦୃଶ୍ୟ ଶକ୍ତି, ପୂର୍ବରୁ ବାଧା ଦେଇଥିଲେ ବାହ୍ୟଶତୃ : ୪୨୮ବର୍ଷ ପୂର୍ବେ ଏମିତି ହୋଇଥିଲା…
19/06/2020 at 8:23 AM

ପୁରୀ ୧୯।୦୬: କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ । ସବୁ ନିଶିର ପ୍ରଭାତ ସେ । ସବୁ ପ୍ରତୀକ୍ଷାର ପ୍ରାପ୍ତି । ଭକ୍ତ ପାଇଁ ପ୍ରଭୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସନ୍ତି । ଭକ୍ତର ଆକୁଳ ପ୍ରାର୍ଥନା ଶୁଣି ତରଳିଯାଆନ୍ତି । ମାତ୍ର, ଏବର୍ଷ ଗଡ଼ିବନି ରଥ, କୋଟି କୋଟି ଭକ୍ତ କାଳିଆ ଦର୍ଶନରୁ ହେବେ ବଞ୍ଚିତ । ପୂର୍ବରୁ ମଧ୍ୟ ବାହ୍ୟଶତ୍ରୁ ଆକ୍ରମଣ ବେଳେ ଠାକୁରଙ୍କ ଯାତ୍ରା ବନ୍ଦ ଥିଲା । ବିଧିବିଧାନ ଶ୍ରୀମନ୍ଦିର ଭିତରେ ହୋଇଥିଲା । ଏ ସମ୍ପର୍କରେ ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି । ଏବେ ଯଦିଓ ବାହ୍ୟ ଶତ୍ରୁ ଆକ୍ରମଣ ନାହିଁ ତେବେ କରୋନା ଭଳି ଅଦୃଶ୍ୟ ଶକ୍ତି ଯୋଗୁଁ ବଡ଼ଦାଣ୍ଡରେ ରଥ ଗଡ଼ିବନି ।
ଯେତେବେଳେ ମହାପ୍ରଭୁଙ୍କ ଉପରେ ବାହ୍ୟଶତ୍ରୁର ଆକ୍ରମଣ ହୋଇଛି । ମହାପ୍ରଭୁଙ୍କ ରୀତିନୀତି ବାଧାପ୍ରାପ୍ତ ହୋଇଛି । ୪୨୮ ବର୍ଷ ତଳେ ଏଭଳି ଘଟିଥିଲା । ଶ୍ରୀମନ୍ଦିର ଭିତରେ ବିନା ରଥରେ, ଘଣ୍ଟାଘଣ୍ଟାରେ ରଥଯାତ୍ରା ବିଧି ହୋଇଥିଲା । ‘ମାଦଳାପାଞ୍ଜି’ ଓ ‘ଚକଡ଼ା ପୋଥି’ରେ ଏନେଇ ଉଲ୍ଲେଖ ରହିଛି ।
ଶ୍ରୀମନ୍ଦିର ଭିତରେ ରଥଯାତ୍ରା ବିଧିର କେବଳ ଗୋଟିଏ ଉଦାହରଣ ମାଦଳା ପାଞ୍ଜିରେ ରହିଛି । ୧୬୯୨ରେ ଶ୍ରୀମନ୍ଦିର ଭିତରେ ରଥଯାତ୍ରା ହୋଇଥିଲା । ବିଦେଶୀ ଆକ୍ରମଣ ପରିପ୍ରେକ୍ଷୀରେ ରଥଯାତ୍ରାକୁ ଗୋପନରେ ସେବାୟତମାନେ ଶ୍ରୀମନ୍ଦିର ଭିତରେ ପାଳିଥିଲେ । ବଡ଼ଦାଣ୍ଡରେ ରଥଯାତ୍ରା କିନ୍ତୁ ହୋଇନଥିଲା । ଏବେ କୋର୍ଟ ଆଦେଶ ପରିପ୍ରେକ୍ଷୀରେ ମାଦଳା ପାଞ୍ଜିର ନିଦର୍ଶନ ମୁତାବକ ରଥଯାତ୍ରା ଶ୍ରୀମନ୍ଦିର ପାଳନ ହେବ କି ନାହିଁ ତାହା ଜଣା ପଡିନାହିଁ । ଏନେଇ ରାଜ୍ୟ କ୍ୟାବିନେଟ୍, ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଦର୍ଶନ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବେ । ଏହି ପରିପ୍ରେକ୍ଷୀରେ ମାଦଳା ପାଞ୍ଜିର ତଥ୍ୟ ମାର୍ଗଦର୍ଶିକା ହେବା ଆଶା କରାଯାଉଛି ।
କେଉଁ ପରିସ୍ଥିତିରେ ଏହି ରଥଯାତ୍ରା ବିଧି ୧୬୯୨ରେ ହୋଇଥିଲା ସେସମ୍ପର୍କରେ ଗବେଷକମାନେ କହିଛନ୍ତି ଯେ, ଔରଙ୍ଗ୍ଜେବ ଆଦେଶ ଦେଇଥିଲେ ଶ୍ରୀମନ୍ଦିର ଧ୍ୱସଂ କରିଦେବାକୁ । ଏହି ଆଦେଶ ପାଳନ କରିବାକୁ ଏକରାମ ଖାଁ ଶ୍ରୀମନ୍ଦିର ଆକ୍ରମଣ କରିଥିଲା । ଏହାକୁ ପ୍ରତିହତ କରିବାକୁ ଗଜପତି ମହାରାଜ ଏକରାମ ଖାଁକୁ ୩୦ ହଜାର ଟଙ୍କା ହାତ ଗୁଞ୍ଜା ଦେଇଥିଲେ । କାଠ ନିର୍ମିତ ନକଲି ଚତୁର୍ଦ୍ଧାମୂର୍ତ୍ତି ଦେଇଥିଲେ । ଗଜପତିଙ୍କ କୂଟନୈତିକ ବୁଝାମଣା ମୁତାବକ ଶ୍ରୀମନ୍ଦିର ସିଂହଦ୍ୱାରରୁ ଖଣ୍ଡେ ପଥର ଭାଙ୍ଗି ଏକରାମ୍ ଖାଁକୁ ଦିଆ ଯାଇଥିଲା । ନକଲି ମୂର୍ତ୍ତିଙ୍କୁ ସାଙ୍ଗରେ ନେଇ ଏକରାମ୍ ଖାଁ ଫେରିଗଲା । ଚତୁର୍ଦ୍ଧାମୂର୍ତ୍ତି ସେତେବେଳେ ବ୍ରହ୍ମଗିରି ଗଡକୋକଲରେ ଗୋପନ ବାସ କରୁଥିଲେ । ଏହି ସମୟରେ ରଥଯାତ୍ରା ପଡ଼ିଥିଲା । ଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଅଣାଯାଇଥିଲା । କେବଳ ଦକ୍ଷିଣ ଦ୍ୱାର ଚୋରା କବାଟ ଖୋଲା ଯାଇଥିଲା ।
ଏହି ଆକ୍ରମଣ ବେଳେ ଶ୍ରୀମନ୍ଦିରରେ ରଥଯାତ୍ରା ବିଧି ପାଳନ ହୋଇଥିବାର ତଥ୍ୟ ମାଦଳାପାଞ୍ଜିର ୭୦ ଓ ୭୧ ପୃଷ୍ଠା ତଥା ଚକଡା ପୋଥିର ୨୦ ନମ୍ବର ପୃଷ୍ଠାରେ ସ୍ଥାନିତ ହୋଇଛି । ବିଶେଷ କରି ମାଦଳାପାଞ୍ଜି ଏହି ଦୁଇ ପୃଷ୍ଠାରେ ଦେଉଳି ଭାଷାରେ ତଥ୍ୟ ରେକର୍ଡ ହୋଇଛି । ଉଲ୍ଲେଖ ରହିଛି ଏକ୍ରାମ୍ ଖାଁର ଆକ୍ରମଣ କାରଣରୁ ଠାକୁରଙ୍କୁ ମା ବିମ୍ବଳାଙ୍କ ମନ୍ଦିର ପଛ ପଟେ ଗୋପନ ଭାବେ ରଖାଯାଇଥିଲା । ଏଦିନୁ ଆକ୍ରମଣ କାରଣରୁ ଚନ୍ଦନଯାତ୍ରା ନୋହିଲା । ଆକ୍ରମଣଜନିତ ଭୟାବହ ପରସ୍ଥିତି ଦୃଷ୍ଟିରୁ ପ୍ରଭୁଙ୍କର ବୈଶାଖ ମାସ ଅକ୍ଷୟ ତୃତୀୟା ତିଥିଠାରୁ ୨୧ ଦିନ ବ୍ୟାପି ହେଉଥିବା ଚନ୍ଦନ ଯାତ୍ରା ବନ୍ଦ ହୋଇଥିଲା ।
ଏଦିନୁ ଋକୁଣୀ ହରଣ ନୋହିଲା : ଅର୍ଥାତ ଶ୍ରୀମନ୍ଦିରରେ ଜ୍ୟୋଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ବୈଷ୍ଣବୀୟ ଉପାସନାର ଜଗନ୍ନାଥ ରୂପୀ ଶ୍ରୀକୃଷ୍ଣଙ୍କ ପାଇଁ ରୁକ୍ମଣୀହରଣ ନୀତି ହୋଇଥାଏ । ବିବାହ ଉତ୍ସବ ହୋଇଥାଏ । ତାହା ବନ୍ଦ ରହିଥିଲା । ସେହିବର୍ଷ ରୁକ୍ମିଣୀ ହରଣ ନୀତି ହୋଇ ନଥିଲା । ଘଣ୍ଟିଘଣ୍ଟା ବାଜି ନଥିଲା । ଶ୍ରୀମନ୍ଦିର ବାହାର ପୋଖରିଆରେ (ବର୍ତ୍ତମାନର ଜଗମୋହନ) ସେତେବେଳେ ଅସ୍ଥାୟୀ ପଟା ପକାଇ ମଞ୍ଚ ନିର୍ମାଣ କରିବା ସହ ରାଜା ସ୍ନାନପୂର୍ଣ୍ଣିମା କରିଥିଲେ । ଆକ୍ରମଣ ଆଶଙ୍କା ଯୋଗୁ ଶ୍ରୀମନ୍ଦିର ଲକ୍ ଡାଉନ ହୋଇଗଲା । ଗଜପତି ଏବଂ ପଣ୍ଡିତ ସଭାବସି ନିଷ୍ପତ୍ତି ନେଇଥିଲେ ସ୍ନାନପୂର୍ଣ୍ଣିମା ବିଧି ପରେ ଠାକୁର ଅଣସର ବିଜେ ହୋଇଥିଲେ । ଅଣସର ପିଣ୍ଡିରୁ ଠାକୁର ଭୋଗମଣ୍ଡପକୁ ଗୁଣ୍ଡିଚା ଘର କରି ଦେଇଥିଲେ । ଭୋଗମଣ୍ଡପକୁ ଠାକୁର ପହଣ୍ଡି ବିଜେ କରିଥିଲେ । ଭୋଗ ମଣ୍ଡପରେ କାଠ ନିର୍ମିତ ମଞ୍ଚରେ ପୂର୍ବମୂହାଁ କରି ଠାକୁରଙ୍କୁ ଅଧିଷ୍ଠିତ କରଥିଲେ ।
ଅସ୍ଥାୟୀ କାଠ ମଞ୍ଚରେ ଠାକୁରଙ୍କ ନବଦିନାତ୍ମକ ଯାତ୍ରା ସମ୍ପନ୍ନ ହୋଇଥିଲା । ସେଇଠି ବାହୁଡା ନୀତି, ଏକାଦଶୀ ନୀତି ଏବଂ ଅଧର ନୀତି ସମ୍ପାଦନ ହୋଇଥିଲା । ଯଦି ଚଳିତ ବର୍ଷ ଲକ୍ ଡାଉନ୍ ଜାରି ରହେ ଠାକୁରଙ୍କ ରଥଯାତ୍ରା ନୀତି ଶ୍ରୀମନ୍ଦିର ଭିତରେ ଏଭଳି ହେବାର ସମ୍ଭାବନା ଅଧିକ ।
ଅସ୍ଥାୟୀ ମଞ୍ଚରେ ସ୍ନାନଯାତ୍ରା
ସେହିବର୍ଷ ଋକୁଣୀ ହରଣ ନୀତି ହୋଇ ନଥିଲା । ଘଣ୍ଟିଘଣ୍ଟା ବାଜି ନଥିଲା । ଶ୍ରୀମନ୍ଦିର ବାହାର ପୋଖରିଆରେ (ବର୍ତ୍ତମାନର ଜଗମୋହନ) ସେତେବେଳେ ଅସ୍ଥାୟୀ ପଟା ପକାଇ ମଞ୍ଚ ନିର୍ମାଣ କରିବା ସହ ରାଜା ସ୍ନାନପୂର୍ଣ୍ଣିମା କରିଥିଲେ । ଆକ୍ରମଣ ଆଶଙ୍କା ଯୋଗୁ ଶ୍ରୀମନ୍ଦିର ଲକ୍ ଡାଉନ ହୋଇଗଲା । ଗଜପତି ଏବଂ ପଣ୍ଡିତ ସଭାବସି ନିଷ୍ପତ୍ତି ନେଇଥିଲେ ସ୍ନାନପୂର୍ଣ୍ଣିମା ବିଧି ପରେ ଠାକୁର ଅଣସର ବିଜେ ହୋଇଥିଲେ ।
ଶ୍ରୀମନ୍ଦିରରେ ଭୋଗ ମଣ୍ଡପରେ ଗୁଣ୍ଡିଚା ଯାତ୍ରା ବିଧି
ଆଷାଢ଼ ମାସରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ହୋଇ ଯାଇଥିଲା । ଏହି ଯାତ୍ରାରେ ପ୍ରଭୁ ୩ଟି ରଥରେ ଶ୍ରୀମନ୍ଦିରରୁ ବାହାରକୁ ବାହାରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ତାହା ନହୋଇ ଗରୁଡ଼ସ୍ତମ୍ଭ ପଛପଟ ଭୋଗ ମଣ୍ଡପକୁ ପ୍ରଭୁଙ୍କ ବିଜେ କରାଯାଇ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ପାଳିତ ହୋଇଥିଲା । ଅସ୍ଥାୟୀ କାଠ ମଞ୍ଚରେ ଠାକୁରଙ୍କ ନବଦିନାତ୍ମକ ଯାତ୍ରା ସମ୍ପନ୍ନ ହୋଇଥିଲା । ସେଇଠି ବାହୁଡ଼ା ବିଧିର ନୀତି, ଏକାଦଶୀ ନୀତି ଏବଂ ଅଧର ନୀତି ସମ୍ପାଦନ ହୋଇଥିଲା । ଚଳିତ ବର୍ଷ ଲକ୍ଡାଉନରେ ଠାକୁରଙ୍କ ରଥଯାତ୍ରା ନୀତି ପୁଣି ଥରେ ବନ୍ଦ ହୋଇଯାଇଛି । ଏହି ପୃଷ୍ଠଭୂମିରେ ଶ୍ରୀମନ୍ଦିର ଭିତରେ ଏଥର ରଥଯାତ୍ରା ହେବା ନ ହେବା ନେଇ ଚର୍ଚ୍ଚା ଚାଲିଛି । ମନ୍ଦିର ଭିତରେ ନୀତି ପାଳନ ହେଲେ ‘ମାଦଳାପାଞ୍ଜି’ ତଥ୍ୟ ମାର୍ଗଦର୍ଶିକା ସାଜିବ ବୋଲି ଚର୍ଚ୍ଚା ଚାଲିଛି ।