ଚଳଚଞ୍ଚଳ ରଥଖଳା, ସରିଲା ୨୬ ଚକ ଓ ୨୧ ଅଖ କାମ

Published By : Prameya-News7 Bureau | June 05, 2021 IST

ପୁରୀ, ୦୫/୦୬: ଚକ-ଅଖ ଡ଼େରା ପରେ ଏବେ ରଥର ଉପରିଭାଗ କାମ ଉପରେ ନଜର । ଦ୍ରୁତ ଗତିରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶୁକ୍ରବାର ରଥତ୍ରୟର ୨୬ ଚକ ଓ ୨୧ ଅଖ କାମ ଶେଷ ହୋଇଛି । ରଥ ଉପରିଭାଗର କାମ ଆରମ୍ଭ ହୋଇଯାଇଛି । ରଥର ଓରା ଓ ଖମ୍ବୀ କାର୍ଯ୍ୟ ଚାଲିଛି । ରଥରେ ଲାଗିବ ୪ଟି ଲେଖାଁଏ ଓରା ଓ ୮ଟି ଲେଖାଁଏ ଖମ୍ବୀ । ଏହା ରଥ ଭୂଇଁ ନିର୍ମାଣରେ ଲାଗିବ ।

ଭଉଁରୀରେ ୩ରଥର ୬ଟି ଚକରେ ୩ଟି ଅଖ ସଂଯୁକ୍ତ ହୋଇଥିଲା । ଶୁକ୍ରବାର ପୁଣି ୫ଟି ଚକ କାର୍ଯ୍ୟ ସରିଲା । ତାଳଧ୍ୱଜର ୮ଟି ଚକ ଓ ୭ଟି ଅଖ, ଦେବଦଳନର ୮ଟି ଚକ ଓ ୬ଟି ଅଖ ଏବଂ ନନ୍ଦିଘୋଷର ୧୦ଟି ଚକ ଓ ୮ ଅଖର କାମ ସରିଛି । ବାକି ୧୬ ଚକ ନିର୍ମାଣ ଶେଷ ହେବା ଉପରେ । ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ା (ଅର ସହିତ ତୁମ୍ବ ସଂଯୁକ୍ତ) ପ୍ରସ୍ତୁତ କରି ରଥଖଳାରେ ପହଞ୍ଚାଉଛନ୍ତି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବକମାନେ ବିଲେଇବାଡ଼ିଆ ମାଧ୍ୟମରେ ସିଙ୍ଗଡ଼ାରେ ପଇ ପିନ୍ଧାଇ ଚକ କାମ ସାରୁଛନ୍ତି । ନନ୍ଦିଘୋଷ ଚାଳିରେ ଆଜି କିଛି ସମୟ ପାଇଁ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏସବୁ କିଛି ନୁହେଁ । କାମ ସମୟରେ ତାଗିଦ୍‌ କରିଥିବାର ମୁଖ୍ୟ ବିଶ୍ୱକର୍ମା କହିଛନ୍ତି ।

ଗୁଜ କାମ ମଧ୍ୟ ଶେଷ ପର୍ଯ୍ୟାୟରେ । ବିଶ୍ୱକର୍ମାମାନେ କାଠ କାଟି ଯୋଗାଇ ଦେବା ପରେ ରୂପକାରସେବକମାନେ ସେଥିରେ ସିଂହବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । ଆଗକୁ ସିଂହାସନ ମୁହାଁଟି ଓ ନାଟଗୋଡ଼ କାର୍ଯ୍ୟ ଆରମ୍ଭ ହେବବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

କରତୀ ସେବକମାନେ ଗୟଳ ତିଆରି ପାଇଁ ପ୍ରସ୍ତୁତ ହେଉଛନ୍ତି । ଓଝା ତଥା କମାର ସେବକମାନେ ଚାରିନାହାକା ପାଇଁ ଚଣାକ କଣ୍ଟା, ଗୟଳ ବାନେ୍ଧଣୀ ପାଇଁ ଯୋଖା ଓ ଦୁଆର ବନ୍ଧ ପାଇଁ ଅଗପାତେଳି କଣ୍ଟା, ଗୟଳ କଣ୍ଟା ଓ ସିଙ୍ଗଡ଼ା କଣ୍ଟା ତିଆରୁଛନ୍ତି । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି ।

wp:heading

ରଥରେ ଲାଗିବ ୪ ଓରା, ୮ ଖମ୍ବୀ

/wp:heading

ଆରମ୍ଭ ହୋଇଛି ରଥର ଉପରିଭାଗ କାମ । ରଥର ଓରା, ଖମ୍ବୀ ତିଆରି ଚାଲିଛି । ପ୍ରତି ରଥର ରହିଛି ୪ଟି ଲେଖାଏଁ ଓରା ଓ ୮ଟି ଲେଖାଏଁ ଖମ୍ବୀ । ରଥର ଭୂଇଁ ନିର୍ମାଣରେ ଖମ୍ବୀ ସବୁ ଖଞ୍ଜା ହେବ । ଓରା ମଧ୍ୟ ରଥର ଉପର ଅଂଶ । ପ୍ରଥମେ ସୂତା ମରାଗଲା ପରେ ବିନ୍ଧ ହେବ । ବିଶ୍ୱକର୍ମାମାନେ ଓରା କାଠ ହାଣୁଛନ୍ତି । ରଥର ଅଖମାନଙ୍କ ଉପରେ ରହିବ ଦଣ୍ଡା । ଦଣ୍ଡା ଉପରେ ରହିବ ଗରଗରା । ଗରଗରା ଉପରେ ଉଠିବ ୪ ନାହାକା । ତା’ ଉପରେ ପ୍ରଥମ ଭୁଇଁ ଉଠିବ । ପ୍ରଥମ ଭୁଇଁ ଉପରେ ରହିବ ଓରା । ଓରା ଉପରେ ତିନି ଥାକ ହୋଇ ରଥର ଉପର ଅଂଶ ନିର୍ମାଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.