ଆସନ୍ତାକାଲି ରଥଯାତ୍ରା : ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ସକାଳ ୯ଟା ୩୦ରେ ପହଣ୍ଡି

Published By : Prameya-News7 Bureau | July 03, 2019 IST

ପୁରୀ ୩|୭: ରାତି ପାହିଲେ ରଥକୁ ଆସିବେ କାଳିଆ ଠାକୁର । ଭାଇ ଭଉଣୀଙ୍କୁ ସାଥୀରେ ନେଇ ବଡ଼ଦାଣ୍ଡକୁ ଓହ୍ଲାଇବେ । ଭକ୍ତମୟ ହୋଇଉଠିଲାଣି ଶ୍ରୀକ୍ଷେତ୍ର । ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସିଂହଦ୍ବାର ସାମ୍ନା ରଥ ଚକଡ଼ାକୁ ଟଣା ହୋଇଥିଲେ ୩ରଥ ।

{"id":130117}

ରଥ ପସ୍ତୁତ । ପଥ ପ୍ରସ୍ତୁତ । ଅପେକ୍ଷା କେବଳ ମହାବାହୁଙ୍କ ଆଗମନକୁ । ରାତି ପାହିଲେ ରଥକୁ ଆସିବେ କାଳିଆ ଠାକୁର । ଭାଇ ଭଉଣୀଙ୍କୁ ସାଥୀରେ ନେଇ ନବଦିନାତ୍ମକ ଘୋଷଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ବାହାରିବେ ମହାପ୍ରଭୁ ।  ପରମ୍ପରା ମୁତାବକ ଘଣ୍ଟ ଘଣ୍ଟା, ଛତା କାହାଳି ମଧ୍ୟରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥରେ ପର୍ଯ୍ୟାୟ କ୍ରମେ ତାଳଧ୍ବଜ, ନନ୍ଦିଘୋଷ ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ବକର୍ମାଙ୍କୁ ପ୍ରଦାନ କରିଥିଲେ ।   ଏହାପରେ ରଥଖଳାରୁ  ସିଂହ ଦ୍ବାର ସାମ୍ନା ରଥ ଚକଡ଼ାକୁ ଟଣାଯାଇଥିଲା ତିନି ରଥ । ଭୋଇ ସେବକମାନେ ରଥ ଦଉଡ଼ି ଓ ବ୍ରେକ୍‌ ପ୍ରସ୍ତୁତ କରିବା ପରେ ପୋଲିସ ବାହିନୀ ରଥର ଇନର କର୍ଡ଼ନ କରିଥିଲେ । ତେବେ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥ ଟଣା ହୋଇ ସିଂହଦ୍ବାର ସାମ୍ନାରେ ଲାଗିଥିଲେ ।

{"id":130118}

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଆଜି ରାତି ୯ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ, ୧୦ଟା ୪୫ରେ ବାହୁଟ କଣ୍ଟ ଏବଂ ରାତି ୧୧ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି କରାଯିବ । ଆସନ୍ତାକାଲି ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ୯ଟା ୩୦ରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି ।

{"id":130119}

ସେପଟେ ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ୧୫୫ପ୍ଲାଟୁନ୍‌ ଫୋର୍ସ । ରଥ ପରିଚାଳନା ଦାୟିତ୍ବରେ ୨ଜଣ ଏଡିଜି, ୩୫ ଏସପି, ୮୦ ଡିଏସପି, ୬୫୦ ଇନ୍‌ସ୍‌ପେକ୍ଟରଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ସମୁଦ୍ରକୂଳରେ ମୁତୟନ ହୋଇଛନ୍ତି ଲାଇଫ୍‌ଗାର୍ଡ଼, ହୋମଗାର୍ଡ଼ ଓ କନଷ୍ଟେବଲ । ରଥଯାତ୍ରା ସମୟରେ  ଶ୍ରୀକ୍ଷେତ୍ର ଆକାଶରେ କୌଣସି ହେଲିକପ୍‌ଟର କି ଡ୍ରୋନ୍‌ କ୍ୟାମେରା ଉଡ଼ାଣ ଉପରେ ଜାରି ହୋଇଛି କଟକଣା । ବଡ଼ଦାଣ୍ଡ, ସହରର ପ୍ରବେଶ ପଥ, ଶ୍ରୀମନ୍ଦିର ଭିତର ଓ ବାହାର ସବୁ କିଛି ସିସିଟିଭି ନଜରରେ ରହିଛି । ଯାନବାହାନ ଚଳାଚଳ ଗତିପଥ ପରିବର୍ତନ ସହ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

{"id":130120}

ସେହିଭଳି ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଉଚ୍ଚ ଅଟାଳିକା ଉପରୁ କ୍ୟାମେରା ସାହାଯ୍ୟରେ ବଡ଼ଦଣ୍ଡ ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ ।  ସମ୍ପୂର୍ଣ୍ଣ ରଥଯାତ୍ରାକୁ ସିସିଟିଭି ଓ ଇଣ୍ଟିଗ୍ରେଟେଡ୍‌ କନ୍‌ଟ୍ରୋଲ ରୁମ୍‌ ମାଧ୍ୟମରେ ନିୟନ୍ତ୍ରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.