ରଥ ଯାତ୍ରାକୁ ଆଉ ମାତ୍ର ୯ ଦିନ;ରଥ କାମ ଶେଷ ପର୍ଯ୍ୟାୟରେ

Published By : Prameya-News7 Bureau | July 04, 2018 IST

ରଥ ଯାତ୍ରାକୁ ଆଉ ମାତ୍ର ୯ ଦିନ । ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ସେବା ଚାଲିଥିବା ବେଳେ ଏପଟେ ରଥ କାମ ମଧ୍ୟ ଶେଷ ପର୍ଯ୍ୟାୟରେ । ରଥଯାତ୍ରାକୁ ସୁରୁଖୁରୁରେ କରିବାକୁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦେବ ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ବରରେ ପଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ। । ଦଇତାପତି ଓ ପତି ମହାପାତ୍ରଙ୍କ ଦ୍ବାରା ଗୁପ୍ତସେବା ଚାଲିଥିବାବେଳେ ଗତକାଲି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରି ତେଲ। ଫୁଲୁରି ତେଲ ଲାଗି ହେବା ପରେ ମହାପ୍ରଭୁ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଆଜି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ସେପଟେ ରଥ ନିର୍ମାଣରେ ନିୟୋଜିତ ବିଶ୍ୱକର୍ମା, ଚିତ୍ରକର, ରୁପକାର, କମାର, ଦର୍ଜୀ ଏବଂ ଭୋଇ ସେବାୟତ କାହାରି ହାତକୁ ଫୁରସତ ନାହିଁ। ରଥ ନିର୍ମାଣର ୮୦ ପ୍ରତିଶତ କାମ ଶେଷ ହୋଇଥିବା ନନ୍ଦିଘୋଷ ରଥର ମୁଖ୍ୟ ମହାରଣା କହିଛନ୍ତି । ଗତକାଲି ତିନିରଥର ଦୁଇଟି ଲେଖାଏଁ ଦୁଆରବେଢା ହିସାବରେ ୬ ଟି ଦୁଆରବେଢା ଉଠାଯାଇଛି । ଆଜି ଅବଶିଷ୍ଟ ୬ ଟି ଦୁଆରବେଢା ଉଠାଯିବ । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଚିତ୍ରକର ସେବକମାନେ ପାର୍ଶ୍ବ ଦେବାଦେବୀ, ଶିଖର ଡ଼ମ୍ୱୁରୁ, ଅଂଳା ବେଢ଼ା, ଶୁଆ, ସଖି ପ୍ରଭୃତିରେ ରଙ୍ଗ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.