ଆଜି ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା : ଚଳଚଞ୍ଚଳ ବଡଦାଣ୍ଡ

Published By : Prameya-News7 Bureau | July 04, 2019 IST

ପୁରୀ ୪|୭: ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଲୋକମାଳାରେ ଝଲସି ଉଠୁଛି ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ବଡ଼ଦାଣ୍ଡ ଭକ୍ତିରେ ପରିପୂର୍ଣ୍ଣ ହୋଇଯାଇଛି। ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରାରେ ବାହାରିବେ। ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି । ସମସ୍ତେ ଚାତକ ପରି ଅନେଇ ରହିଛନ୍ତି, ଶ୍ରୀଜିଉ ମାନେ କେତେବେଳେ ରଥ ଉପରେ ବିରାଜମାନ କରିବେ। କାରଣ ବିଶ୍ବାସ ଅନୁଯାୟୀ ରଥରେ ୩ ଠାକୁରଙ୍କୁ ଦର୍ଶନ କଲେ ସବୁ ପାପ ଧୋଇ ହୋଇଯାଇ ପୂଣ୍ୟ ମିଳିଥାଏ।

ଶରଧାବାଲି ଅଭିମୁଖେ ରଥ ଗଡ଼ିବା ପୂର୍ବରୁ ସକାଳ ୬ଟାରେ ମଙ୍ଗଳ ଆରତୀ ପରେ ୬ଟା ୧୦ରେ ମଇଲମ ଓ ୬ଟା ୩୦ରେ ତଡପଲାଗି ନୀତି ଅନୁଷ୍ଠିତ ହୋଇଛି । ସେହିଭଳି ୬ଟା ୩୦ରେ ରୋଷ ହୋମ, ୭ଟାରେ ଅବକାଶ, ୭ଟା୧୦ ରେ ସୂର୍ଯ୍ୟପୂଜା ପରେ ୭ଟା ୩୦ରେ ଦ୍ୱାରପାଳ ପୂଜା, ୭ଟା ୩୦ ବେଶ ଶେଷ, ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପରେ ଖେଚୁଡି ଭୋଗ ।

ପୂର୍ବାହ୍ନ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ଭିତରେ ମଦନମୋହନ ବିଜେ କରିବେ ଓ ୧ଟା ୩୦ରୁ ୨ଟାରେ ଚିତା ଲାଗି, ୧ଟା ୩୦ରୁ ୨ଟା ୩୦ରେ ବେଶ ଶେଷ ହେବ। ୨ଟାରୁ ୩ଟା ଭିତରେ ଛେରାପହଁରା କରାଯାଇ ୩ଟାରୁ ଚାରମାଳ ଫିଟା ହେବା ପରେ ଘୋଡା ଓ ସାରଥୀ ଲାଗିବ। ଅପରାହ୍ନ ୪ଟା ପରେ ରଥଟଣା ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.