Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଶ୍ରୀକ୍ଷେତ୍ରେ ରଥ : ୧୬୯୨ରେ ବି ଏପରି ହୋଇଥିଲା

20/06/2020 at 11:54 AM

ପୁରୀ ୨୦।୬: ଶ୍ରୀମନ୍ଦିର ଭିତରେ ରଥଯାତ୍ରା ବିଧି କରିବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ଏହା କି’ଭଳି ହେବ ସେନେଇ ବିଭିନ୍ନ ମହଲରେ ତର୍ଜମା ଚାଲିଛି । ଏହି କଠିନ କାମ ତୁଲାଇବା ପାଇଁ ଅଭିଜ୍ଞତାର ଘୋର ଅଭାବ । ଦସ୍ତାବିଜ୍‌ ନାହିଁ କହିଲେ ଚଳେ । ମାଦଳା ପାଞ୍ଜିରେ ୧୬୯୨ ମସିହାରେ ମନ୍ଦିର ଭିତରେ ବିଧି ହୋଇଥିବା ଉଲ୍ଲେଖ ଅଛି । ମାତ୍ର କି’ଭଳି ହେଲା ବିଶଦ ବିବରଣୀ ନାହିଁ । କିନ୍ତୁ,ବର୍ତ୍ତମାନର ସ୍ଥିତି ସେବେଠାରୁ ଭିନ୍ନ ବୋଲି ମତପ୍ରକାଶ ପାଇଛି । ମାଦଳା ପାଞ୍ଜିରେ ଶ୍ରୀମନ୍ଦିରର ରେକର୍ଡ ରହିଛି କିନ୍ତୁ,ଏଭଳି ବିଷମ ପରିସ୍ଥିତି ପଡ଼ିଲେ କ’ଣ କରାଯିବ ସେସମ୍ପର୍କରେ କିଛି ଲେଖାମିଳୁନି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏକରାମ ଖାଁଙ୍କ ଆକ୍ରମଣ ବେଳେ ଠାକୁରଙ୍କୁ ଶ୍ରୀମନ୍ଦିରରେ ଲୁଚାଇ ରଖାଯାଇଥିଲା । ବିନା ଘଣ୍ଟଘଣ୍ଟାରେ ରଥଯାତ୍ରା ବିଧି ହୋଇଥିଲା । ସେତେବେଳେ ଭୋଗମଣ୍ଡପରେ ଗୁଣ୍ଡିଚା ଯାତ୍ରା ବିଧି ହୋଇଥିଲା । ଗରୁଡ଼ସ୍ତମ୍ଭ ପଛପଟ ଭୋଗ ମଣ୍ଡପରେ ଅସ୍ଥାୟୀ କାଠ ମଞ୍ଚରେ ଠାକୁରଙ୍କ ନବଦିନାତ୍ମକ ଯାତ୍ରା ସମ୍ପନ୍ନ ହୋଇଥିଲା । ସେଇଠି ବାହୁଡ଼ା ଯାତ୍ରାର ନୀତି, ହରିଶୟନ ଏକାଦଶୀ ନୀତି ଏବଂ ଅଧର ନୀତି ସମ୍ପାଦନ ହୋଇଥିଲା । ଏବର୍ଷ ମନ୍ଦିର ଭିତରେ ବିଧିି ପାଳନ ହେଲେ ‘ମାଦଳାପାଞ୍ଜି’ର ୩୨୮ ବର୍ଷ ତଳର ତଥ୍ୟ ମାର୍ଗଦର୍ଶିକା ସାଜିବ ବୋଲି ଚର୍ଚ୍ଚା ଚାଲିଛି । ଆଉ କିଛି ଲୋକ କୋଇଲିବୈକୁଣ୍ଠରେ ନୀତି କରାଯିବା ନେଇ କଥା ଉଠାଉଥିବା ବେଳେ ଏହା ଠାକୁରଙ୍କ ଶ୍ମଶାନ ହୋଇଥିବାରୁ ଖୋଲାଖୋଲି ମତ ଦେବାକୁ ଡରୁଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଠାକୁର ଭଅଣ୍ଡ ଘରେ କି’ଭଳି ନବଦିନାତ୍ମକ ଯାତ୍ରା ସାରିବେ? । ଜଗମୋହନରୁ ବାହାରିବା ପରେ ଠାକୁରଙ୍କୁ ସାତପାହାଚରେ ଟାହିଆ ଲାଗିକରାଯାଏ । ଯଦି ଠାକୁର ଭଅଣ୍ଡ ଘରେ ରହିବେ ତାହେଲେ ଅଣସର ପିଣ୍ଡିରୁ ସିଧା ସେଠାକୁ ଯିବେ । ଟାହିଆ ପିନ୍ଧିବାର ଅବକାଶ ନାହିଁ । ଟାହିଆ ପିନ୍ଧିଲେ ଭଅଣ୍ଡ ଘରକୁ ପ୍ରବେଶ କରିପାରିବେ ନାହିଁ । କାରଣ ପ୍ରବେଶ ପଥର ଉଚ୍ଚତା ଏରୁଣ୍ଡି ଉପରୁ ୧୦ରୁ ୧୧ ଫୁଟ । ଟାହିଆ ପିନ୍ଧିବା ପରେ ଠାକୁରଙ୍କ ଉଚ୍ଚତା ୧୩ ଫୁଟ ଟପିଯିବ । ମନ୍ଦିର ଭିତରେ ସୁନାବେଶ ହୋଇଥିଲା କି’ନା ସେସମ୍ପର୍କରେ ବିଶେଷ ତଥ୍ୟ ନାହିଁ । ସେତେବେଳେ ଲୁଚାଛପାରେ ଏହି ଯାତ୍ରା କରାଯାଇଥିଲା । ତେଣୁ ଭଣ୍ଡାର ଖୋଲାଯାଇନଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ରଥ ଶରଧାବାଲିରେ ଲାଗିବା ପରେ ଠାକୁର ଜନ୍ମବେଦିକୁ ପହଣ୍ଡିରେ ଯାଆନ୍ତି । ଦୁଇ ଥର ପହଣ୍ଡି ପରେ( ଶ୍ରୀମନ୍ଦିରରୁ ରଥ, ରଥରୁ ଗୁଣ୍ଡିଚା ଘର) ଠାକୁରଙ୍କ ଶ୍ରୀମୁଖ ମଳିନ ପଡ଼ିଥାଏ । ଏଥିପାଇଁ ଗୁଣ୍ଡିଚାଘରେ ବନକଲାଗି ନୀତି ହୁଏ । କିନ୍ତୁ, ଯଦି ଠାକୁରେ ଅଣସର ପିଣ୍ଡିରୁ ଭୋଗମଣ୍ଡପକୁ ଯାଆନ୍ତି ଏହି ନୀତିର ଆବଶ୍ୟକତା ପଡ଼ିବନି । ହେରାପଞ୍ଚମୀରେ ଲକ୍ଷ୍ମୀ ମଧ୍ୟ ଗୁଣ୍ଡିଚା ମନ୍ଦିର ଯିବେନି । ଜନ୍ମବେଦିରେ ନବମୀରେ ସନ୍ଧ୍ୟାଦର୍ଶନ ନୀତି ହୋଇପାରିବନି ।

ମନ୍ଦିର ଭିତରେ ବିଧି କି’ଭଳି ହେବ ସେସମ୍ପର୍କରେ କାହାର ବିଶେଷ ଧାରଣା ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ଓ ଅଣସେବାୟତ ସଭ୍ୟମାନେ ମଧ୍ୟ ଅନଭିଜ୍ଞ । ଯାହାର ଅଳ୍ପ କିଛି ବି ଜ୍ଞାନ ଅଛି ଖୋଲାଖୋଲି କହିବାକୁ ଡରୁଛି । ମାଦଳା ପାଞ୍ଜି, ପୋଥି ଚକଡ଼ା, ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏବିଷମ ସ୍ଥିତି ମୁକାବିଲା ସମ୍ପର୍କରେ କିଛି ଉଲ୍ଲେଖ ନଥିବାରୁ ସମସ୍ତେ ଶଙ୍କରାଚାର୍ଯ୍ୟଙ୍କ ପ୍ରଦର୍ଶିତ ମାର୍ଗରେ ଯିବେ ।

ସେତେବେଳ ସିନା ବାହ୍ୟ ଶତ୍ରୁଠାରୁ ଠାକୁରଙ୍କୁ ଲୁଚାଇବା ପାଇଁ ଏଭଳି ହୋଇଥିଲା, ଏବେ ଭଅଣ୍ଡ ଘରେ ସବୁ ରୀତିନୀତି ତୁଲାଯିବା ନେଇ ବିଭିନ୍ନ ମହଲରେ ତର୍ଜମା ଚାଲିଛି । ଏହା ଅତି ସଂକୀର୍ଣ୍ଣ, ଅପେକ୍ଷାକୃତ ଅନ୍ଧକାର । କିଛି ଦଇତାପତି ସେବକ କହିଛନ୍ତି ଯେ ଠାକୁର ରଥକୁ ନଗଲେ ଅଣସର ପିଣ୍ଡିରେ ବର୍ଷେ ରହିବେ । ଆଉ କିଛି ଦଇତା ଏସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ କହିପାରୁନାହାନ୍ତି । ଏସମ୍ପର୍କରେ ଅଧିକ ଦସ୍ତାବିଜ୍‌ କେଉଁଠାରେ ମିଳୁନାହିଁ । ବିଶେଷଜ୍ଞମାନେ ଏସମ୍ପର୍କରେ କିଛି ପଢ଼ିନଥିବା କହିଛନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏସମୟରେ ସେବାରେ ପରିବର୍ତ୍ତନ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ ।
ବିଦେଶୀ ଆକ୍ରମଣ ବେଳେ ଚତୁର୍ଦ୍ଧାମୂର୍ତ୍ତି ୧୬୪ ବର୍ଷ ୪ ମାସ ଶ୍ରୀମନ୍ଦିର ବାହାରେ ରହିଥିଲେ ।

୧୫୫ ବର୍ଷ କାଳ ରଥଯାତ୍ରା ହୋଇନଥିଲା । ୯ଥର ରଥଯାତ୍ରା ପୁରୀ ବାହାରେ ଆୟୋଜନ ହୋଇଥିଲା । ଏଥିରୁ ଆଠ ଥର କୁଜଙ୍ଗ, ଗଡମାଣତ୍ରି,ଚିଲିକା ମହିଷା ବ୍ରହ୍ମପୁର, ଚିଲିକା ନଇରୀଠାରେ ହୋଇଥିଲା । ବାକି ଥରେ ଶ୍ରୀମନ୍ଦିର ଭିତରେ ହୋଇଥିଲା । ଏବେ ଶ୍ରୀମନ୍ଦିର ଭିତରେ ରଥଯାତ୍ରା ହେଲେ ଇତିହାସର ଏକରକମ ପୁନରାବୃତ୍ତି ଘଟିବ । ଏବେ ଏକ ଅସ୍ଥାୟୀ ମଞ୍ଚ କରାଯାଇ ସୁନାବେଶ ଓ ଅଧରପଣା ନୀତି କରାଯିବ ବୋଲି ଆଲୋଚନା ଚାଲିଛି । ତେବେ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନପାଇ ହତାଶ ହେବେ ।

   Related Posts