ବିନା ଭକ୍ତରେ ରଥଯାତ୍ରା : ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

Published By : Prameya-News7 Bureau | June 23, 2020 IST

ପୁରୀ ୨୩।୬:  ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇପଡିଛି । ସମସ୍ତ ନୀତି ସଅଳ ସାରିବାକୁ ଯୋଜନା ରହିଛି । ମହାପ୍ରଭୁ ଖେଚୁଡି ଭୋଗ ଖାଇସାରିବା ପରେ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପୂର୍ବ ନୀତିନିର୍ଘଣ୍ଟ ଅନୁସାରେ ରଥ ପ୍ରତିଷ୍ଠା ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ମୁତାବକ ପହଣ୍ଡି ଆରମ୍ଭ ହୋଇଯାଇଛି । ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ରଥାରୂଢ ହୋଇଛନ୍ତି ।  ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ପରେ ପରେ ପ୍ରଭୁ ବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେ କରି ରଥାରୂଢ ହେବେ । ପୂର୍ବାହ୍ନ ୧୦ଟା ମଧ୍ୟରେ ପହଣ୍ଡି ଶେଷ ହେବ । ଏହାପରେ ମଦନମୋହନ ବିଜେ, ଚିତା ଲାଗି ଓ ବେଶ ହୋଇ ମଧ୍ୟାହ୍ନ ସାଢେ ୧୨ଟା ବେଳକୁ ରଥଟଣା ଯୋଜନା ରହିଛି । ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ହେବ ।

{"id":290219,"sizeSlug":"large"}

ସୋମବାର ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ତାଙ୍କର ଜୁନ୍‌ ୧୮ ତାରିଖରେ ଦେଇଥିବା ରାୟକୁ ପରିବର୍ତ୍ତନ କରିଛନ୍ତି । ରଥଯାତ୍ରା ବନ୍ଦ ରାୟକୁ ବଦଳାଇ ଅଦାଲତ କଟକଣା ଯୁକ୍ତ ରଥଯାତ୍ରା ଅନୁମତି ଦେଇଛନ୍ତି । ନୂତନ ଆଦେଶ ପରେ ପୁରୀରେ ରଥଯାତ୍ରା ଆୟୋଜନ କରାଯାଇଥିଲା। ବିନାଭକ୍ତରେ ତିନି ରଥ ବଡଦାଣ୍ଡରେ ଗଡିବ । କୋଭିଡ୍‌ କଟକଣାକୁ ପ୍ରଶାସନ କଡାକଡି ଭାବେ ପାଳନ କରାଯିବ । ସେବାୟତ, ପୋଲିସ ବାହିନୀ ରଥ ଟାଣିବେ । କଟକଣା ଭିତରେ ରଥଯାତ୍ରା ପାଳନ ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଛି ।

{"id":290220,"sizeSlug":"large"}

ଶ୍ରୀମନ୍ଦିର ଇତିହାସରେ ୨୦୨୦ ରଥଯାତ୍ରା ଏକ ବିରଳ ଫର୍ଦ୍ଦ ଯୋଡ଼ିବ । ବିନା ଭକ୍ତରେ ରଥଯାତ୍ରା ଶ୍ରୀମନ୍ଦିର ନିର୍ମାଣ ପରଠାରୁ କେବେ ବି ଘଟିନାହିଁ । ତେଣୁ ପ୍ରଭୁଙ୍କ ଚଳିତ ରଥଯାତ୍ରା ଶ୍ରୀମନ୍ଦିର ଇତିହାସରେ ନୂତନ ପରମ୍ପରା ସୃଷ୍ଟି କରିଛି । ସୋମବାର ପୂର୍ବାହ୍ନରେ ଶ୍ରୀଜିଉଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା । ତିନି ରଥକୁ ପ୍ରଭୁଙ୍କ ଡାକରା ଆସିଥିଲା । ପ୍ରଭୁଙ୍କ ଠାରୁ ବାର୍ତ୍ତା ପାଇବା ପରେ ତିନି ରଥ ସିଂହଦ୍ବାର ଠାରେ ପହଞ୍ଚିଥିଲା । ଆଜ୍ଞାମାଳ ପାଇବା ପରେ ତିନି ରଥ ସିଂହଦ୍ୱାରେ ପହଞ୍ଚିଥିଲା ।

{"id":290221,"sizeSlug":"large"}

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଛି । ଆଉ କିଛି ଘଣ୍ଟା ମଧ୍ୟରେ ଘୋଷଯାତ୍ରାର ରଥଟଣା ଆରମ୍ଭ ହେବ । ରଥାରୂଢ ବିଗ୍ରହଙ୍କୁ ବିଭିନ୍ନ ଟେଲିଭିଜନ ଜରିଆରେ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଭାବବିନୋଦିଆଙ୍କ ଦର୍ଶନ କରି ମନୋକାମନା ପୂରଣ ହେବ । ବିଗତ ତିନି ମାସ ଧରି ପ୍ରଭୁଙ୍କୁ ଭକ୍ତ ଦର୍ଶନ କରି ପାରିନାହାନ୍ତି । ରଥ ଟଣାରେ ଦୁଲୁକିବ ବଡ଼ଦାଣ୍ଡ, ତିନି ରଥ ଗଡ଼ିଯିବ ଗୁଣ୍ଡିଚା ମନ୍ଦିରକୁ । ଭକ୍ତଙ୍କୁ ବିମୋହିତ କରିବେ ରଥାରୁଢ ବଡ଼ଠାକୁର ପ୍ରଭୁ ବଳଦେବ, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ । ଘୋଷଯାତ୍ରା ବେଳେ ‘ରଥ କହିବ ମୁଁ ଦେବତା, ପଥ କହିବ ମୁଁ ଦେବତା’ ।

{"id":290222,"sizeSlug":"large"}

ଚଳିତ ବର୍ଷ ଏହି ଦୁର୍ଲ୍ଲଭ ଦୃଶ୍ୟକୁ ଭକ୍ତ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିବାର ସୁଯୋଗରୁ ବଞ୍ଚିତ ହେବେ । ବଡଦାଣ୍ଡରୁ କୋଳାହଳ ଶୁଭିବ ନାହିଁ । ମହାପ୍ରଭୁ ଆଉ ଭକ୍ତଙ୍କ ମଧ୍ୟରେ ଅପୂର୍ବ ମିଳନ ହେବ ନାହିଁ । ନିରୋଳାରେ ବଡଦାଣ୍ଡେ ରଥଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ସ୍ପର୍ଶ ଲାଭ ପାଇଁ ରଥ ଆଉ ପଥ ବି ଅପେକ୍ଷା କରିଛନ୍ତି । ବିଜେ କାହାଳୀକୁ ଶୁଣିବାକୁ ତିନି ରଥ ସିଂହଦ୍ବାରରେ କାନେଇ ରହିଛନ୍ତି । ପ୍ରଭୁ ଶ୍ରୀସୁଦର୍ଶନ, ବଡଠାକୁର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ, ମଦନମୋହନ, ପ୍ରଭୁ ରାମକୃଷ୍ଣ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ । ଏମାନଙ୍କ ସହ ପାର୍ଶ୍ବ ଦେବାଦେବୀ ମଧ୍ୟ ଘୋଷଯାତ୍ରାରେ ସାମିଲ ହେବେ ।

{"id":290223,"sizeSlug":"large"}

କୋଭିଡ୍‌ ଟେଷ୍ଟ ହୋଇଥିବା ଅଫିସର, ସେବାୟତ ରଥ ଟାଣିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ରଥଯାତ୍ରା ପାଇଁ ଆସିଥିବା ପୋଲିସ ବାହିନୀର କୋଭିଡ୍‌ ଟେଷ୍ଟ ହୋଇନାହିଁ । ତେଣୁ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ କୋଭିଡ୍‌ ଟେଷ୍ଟ ହୋଇ ନଥିବା ପୋଲିସ ବାହିନୀ, ଅଫିସରମାନେ ରଥ ଟାଣିବେ ନାହିଁ ।

{"id":290224,"sizeSlug":"large"}

ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ରଥଯାତ୍ରାରେ ଗହଳି ନିୟନ୍ତ୍ରଣ ପାଇଁ ୪୦ ପ୍ଳାଟୁନ୍‌ ଏବଂ ଟ୍ରାଫିକ୍‌ କଣ୍ଟ୍ରୋଲରେ ଆଉ ୪୦ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହେଉଥିଲେ । ଚଳିତ ବର୍ଷ ଏହି ୮୦ ପ୍ଲାଟୁନ ପୋଲିସ ଫୋର୍ସକୁ ନିୟୋଜିତ କରାଯିବନି । କେବଳ ୭୫ ପ୍ଲାଟୁନ୍‌ ଫୋର୍ସ ରଥଯାତ୍ରା କଟକଣା ପାଳନରେ ନିୟୋଜିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.