ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ପରେ ମହଙ୍ଗା ହେଲା ସିଏନଜି ଓ ପିଏନଜି

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୨।୩: ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଗ୍ୟାସ୍ ପରେ ସିଏନଜି ମଧ୍ୟ ମହଙ୍ଗା ହୋଇଛି । ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) କହିଛି ଯେ, ମଙ୍ଗଳବାର ସକାଳ ୬ଟାରୁ ଦିଲ୍ଲୀରେ ସିଏନଜି ବର୍ତ୍ତମାନ କିଲୋଗ୍ରାମ ପିଛା ୪୨ ଟଙ୍କା ୭୦ ପଇସା ବଦଳରେ ୪୩ ଟଙ୍କା ୪୦ ପଇସାରେ ମିଳିବ । ସେହିଭଳି ପିଏନଜିର ମୂଲ୍ୟ ୨୮ଟଙ୍କା ୪୧ ପଇସାରେ ମିଳିବ । ଉଲ୍ଲେଖଯୋଗ୍ୟ ଯେ, ପିଏନଜିର ମୂଲ୍ୟ ୦.୯୧ ଟଙ୍କା ବୃଦ୍ଧି ପାଇଛି । ଗାଜିଆବାଦରେ ପିଏନଜି ବର୍ତ୍ତମାନ କିଲୋଗ୍ରାମ ପିଛା ୨୮ଟଙ୍କା ୩୬ ପଇସାରେ ମିଳିବ ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିନ ରନ୍ଧନ ଗ୍ୟାସ୍ ଅର୍ଥାତ୍ LPGରେ ସିଲିଣ୍ଡର ପିଛା ୨୫ଟଙ୍କା ବୃଦ୍ଧି ହୋଇଥିଲା । ଉଜ୍ବଲା ଯୋଜନାର ହିତାଧିକାରୀଙ୍କୁ ଦିଆଯାଇଥିବା ସବସିଡିଯୁକ୍ତ ସିଲିଣ୍ଡର ସମେତ ସମସ୍ତ ବର୍ଗରେ ଏହି ବୃଦ୍ଧି ଘଟିଥିଲା । ମାସକ ମଧ୍ୟରେ ଚତୁର୍ଥ ଥର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । ସାର୍ବଜନୀନ କ୍ଷେତ୍ର ପେଟ୍ରୋଲିୟମ କମ୍ପାନୀଗୁଡିକର ମୂଲ୍ୟ ତଥ୍ୟ ଦର୍ଶାଉଛି ଯେ, ଫେବୃଆରୀଠାରୁ ଏପର୍ଯ୍ୟନ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୨୫ ଟଙ୍କା ବୃଦ୍ଧି ପାଇଛି ।

ଏହା ସହିତ ବିମାନ ଇନ୍ଧନ ଅର୍ଥାତ୍ ଏଟିଏଫର ମୂଲ୍ୟ ମଧ୍ୟ ୬.୫ ପ୍ରତିଶତ ବୃଦ୍ଧି ପାଇଛି । ଆନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି । ଫଳରେ ବିମାନ ଇନ୍ଧନ ମହଙ୍ଗା ହୋଇଛି । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୭୯୪ରୁ ୮୧୯ଟଙ୍କାକୁ ବୃଦ୍ଧି ପାଇଛି । ସମସ୍ତ ବର୍ଗରେ ଏହି ବୃଦ୍ଧି କରାଯାଇଛି । ଉଭୟ ସବସିଡିଯୁକ୍ତ ଏବଂ ଅଣ ସବସିଡିଯୁକ୍ତ ସିଲିଣ୍ଡର ଦର ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.