ଉଦ୍ୟୋଗପତି ହେବ ତ ଏମିତି ! ପୂର୍ବତନ କର୍ମଚାରୀଙ୍କୁ ଭେଟିବାକୁ ପୁଣେ ପହଞ୍ଚିଗଲେ ରତନ ଟାଟା, ସମାଜକୁ ଜଣାଇ ଦେଲେ…
5/01/2021 at 10:29 PM

ମୁମ୍ବାଇ ୦୫।୦୧: ଉଦ୍ୟୋଗପତି ରତନ ଟାଟା ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ରତନ ଟାଟା ନିଜର ଜଣେ ପୂର୍ବତନ କର୍ମଚାରୀଙ୍କୁ ଭେଟିବାକୁ ମୁମ୍ବାଇରୁ ପୁଣେ ପହଞ୍ଚିଛନ୍ତି। ଏହା ପରଠୁ ଲୋକେ ସାମାଜିକ ଗଣମାଧ୍ୟମରେ ତାଙ୍କ ଉପରେ ଆଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। ଯେଉଁ କର୍ମଚାରୀଙ୍କୁ ରତନ ଟାଟା ଭେଟିବାକୁ ଯାଇଥିଲେ, ତାଙ୍କର ଜଣେ ନିକଟତର ଲୋକ ଏହି ସାକ୍ଷାତର କାହାଣୀ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। ରତନ ଟାଟା ଜାଣିବାକୁ ପାଇଥିଲେ ଯେ, ଜଣେ ପୂର୍ବତନ କର୍ମଚାରୀ ଗତ ଦୁଇ ବର୍ଷ ହେବ ଖରାପ ସ୍ଵାସ୍ଥ୍ୟବସ୍ଥା ଦେଇ ଗତି କରୁଛନ୍ତି। ଏହା ପରେ ରତନ ଟାଟା ଉକ୍ତ କର୍ମଚାରୀଙ୍କୁ ଭେଟିବାକୁ ନିଷ୍ପତ୍ତି ନେଲେ ଏବଂ ମୁମ୍ବାଇରୁ ପୁଣେ ବାହାରି ପଡିଥିଲେ।
ପୁଣେର ଫ୍ରେଣ୍ଡ୍ସ ସୋସାଇଟିରେ କର୍ମଚାରୀଙ୍କ ବାସଭବନରେ ରତନ ଟାଟା ତାଙ୍କୁ ଦେଖା କରିଥିଲେ। ଏହି ସାକ୍ଷାତର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଫଟୋରେ ରତନ ଟାଟା କର୍ମଚାରୀଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।
କର୍ମଚାରୀଙ୍କ ନିକଟତର ବ୍ୟକ୍ତି ଯୋଗେଶ ଦେଶାଇ ସାମାଜିକ ଗଣମାଧ୍ୟମରେ ଏହି ଘଟଣାକୁ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ୮୩ ବର୍ଷୀୟ ରତନ ଟାଟା ପୁଣେରେ ନିଜର ସେହି କର୍ମଚାରୀଙ୍କୁ ଭେଟିବାକୁ ଆସିଥିଲେ ଯିଏ ଗତ ୨ ବର୍ଷ ହେବ ରୋଗରେ ପୀଡିତ ଅଛନ୍ତି। ତାଙ୍କ ସହିତ ନା କୌଣସି ମିଡିଆ ଥିଲେ ନା ସୁରକ୍ଷା କର୍ମଚାରୀ। ବିନା କୌଣସି ସୁରକ୍ଷା କର୍ମଚାରୀରେ ରତନ ଟାଟା ନିଜ କର୍ମଚାରୀଙ୍କୁ ଦେଖିବାକୁ ଚାଲି ଆସିଥିଲେ।
ସମସ୍ତ ଉଦ୍ୟୋଗପତି ଏବଂ କର୍ମଚାରୀଙ୍କ ପାଇଁ ଏହା ଏକ ଶିକ୍ଷା ଯେ ଟଙ୍କା ସବୁ କିଛି ନୁହେଁ। ଆପଣଙ୍କୁ ସଲାମ ସାର। ଆପଣଙ୍କ ସମ୍ମାନରେ ମୋର ମୁଣ୍ଡ ନଇଁ ଯାଉଛି। ଏହା ପରଠୁ ଏହି ଷ୍ଟୋରୀ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ବହୁ ସଂଖ୍ୟାରେ ଲୋକ ଏହାକୁ ନେଇ ନିଜର ବିଚାର ଏବଂ ମତାମତ ସାମାଜିକ ଗଣମାଧ୍ୟମରେ ଲେଖୁଛନ୍ତି। ଗୁରମିତ ନାମକ ଜଣେ ବ୍ୟକ୍ତି ଟ୍ଵିଟ୍ କରି ଲେଖିଛନ୍ତି ଯେ, ଆପଣ କେତେ ବିନମ୍ର ସାର। ଆପଣଙ୍କୁ ବହୁତ ସମ୍ମାନ ସାର।
ପ୍ରଶାନ୍ତ ସିଂହ ନାମକ ବ୍ୟକ୍ତି ଟ୍ଵିଟ୍ କରିଛନ୍ତି ଯେ ରତନ ଟାଟା ଥିବାରୁ ଭାରତୀୟ ସମାଜର ପ୍ରତିଟି ସଦସ୍ୟ ଗର୍ବିତ ଏବଂ ଧନ୍ୟ ମନେ କରୁଛନ୍ତି। ମୋ ମତରେ ଆପଣଙ୍କ ବିନମ୍ରତା ଆମକୁ ବହୁତ କିଛି ଶିକ୍ଷା ଦିଏ। ଧନ୍ୟବାଦ ସାର।