୨୬/୧୧ ମୁମ୍ବାଇ ହମଲାକୁ ୧୨ ବର୍ଷ: ମନେପକାଇ ରତନ ଟାଟା କହିଲେ, ‘କେବେ ଭୁଲି ହେବନି ସେ ଦିନ…’
26/11/2020 at 4:03 PM

ମୁମ୍ବାଇ ୨୬/୧୧ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଆତଙ୍କୀ ହମଲା ହୋଇଥିଲା। ମୁମ୍ବାଇ ଆତଙ୍କୀ ହମଲାକୁ ୧୨ ବର୍ଷ ପୁରିଛି। ୧୨ ବର୍ଷ ପୂର୍ବରୁ ଆତଙ୍କବାଦୀ ମୁମ୍ବାଇକୁ ଟାର୍ଗେଟ କରିଥିଲେ। ଆତଙ୍କୀ ହମଲାରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ, ଅନେକ ଯବାନ ଶହୀଦ ହୋଇଥିଲେ। ଆଜିର ଦିନରେ ସାରା ଦେଶ ସେହି ଶହୀଦମାନଙ୍କୁ ମନେପକାଉଚୀ। ଜଣାଶୁଣା ଉଦ୍ୟୋଗପତି ରତନ ଟାଟା ମଧ୍ୟ ଆଜି ଶହୀଦ ଯବାନଙ୍କୁ ମନେପକାଇଛନ୍ତି। ୨୬/୧୧ ହମଲାକୁ ନେଇ ସେ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି। ନିଜ ପୋଷ୍ଟରେ ସେ ମୁମ୍ବାଇବାସୀଙ୍କ ସାହସକୁ ମଧ୍ୟ ପ୍ରଶଂସା କରିଛନ୍ତି।
ଟାଟାର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଟ୍ୱିଟରରେ ଲେଖିଛନ୍ତି, ‘୧୨ ବର୍ଷ ପୂର୍ବରୁ ଆଜିର ଦିନରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ହମଲାକୁ କେବେ ବି ଭୁଲି ହେବନାହିଁ। କିନ୍ତୁ ତା’ଠାରୁ ମଧ୍ୟ ସ୍ମରଣୀୟ ହେଲା ସବୁ ମତଭେଦ ଭୁଲି ମୁମ୍ବାଇବାସୀ ଆତଙ୍କବାଦ ଓ ବିନାଶକୁ ହଟାଇବାକୁ ଏକତ୍ରିତ ହୋଇଥିଲେ। ଆଜି ଆମେ ସେମାନଙ୍କୁ ମନେପକାଇ ଦୁଃଖ ପ୍ରକାଶ କରୁଛି ଯେଉଁମାନଙ୍କୁ ଆମେ ସବୁଦିନ ପାଇଁ ହରେଇ ଦେଇଛୁ, ସେହି ବହାଦୁର ଯବାନଙ୍କ ବଳିଦାନକୁ ସମ୍ମାନ କରୁଛୁ ଯେଉଁମାନେ ଶତ୍ରୁକୁ ହରାଇ ବିଜୟ ଲାଭ କରିଛନ୍ତି। କିନ୍ତୁ ସବୁଠାରୁ ଅଧିକ ପ୍ରଶଂସନୀୟ ହେଲା ଏକତା, ଦୟା, ସମ୍ବେଦନଶୀଳତା। ଏହାକୁ ଆମେ ସମ୍ଭାଳି ରଖିବା ଉଚିତ। ଆଗାମୀ ବର୍ଷରେ ଏହାର ଚମକ ଏମିତି ହିଁ ରହିବ।’

୨୦୦୮ ନଭେମ୍ବର ୨୬ ତାରିଖରେ ଲସ୍କର-ଏ-ତୋଇବାର ୧୦ଜଣ ଆତଙ୍କବାଦୀ ସମୁଦ୍ର ରାସ୍ତାରେ ମୁମ୍ବାଇରେ ପ୍ରବେଶ କରିଥିଲେ। ସାଜିଥିଲେ ମୃତ୍ୟୁର ତାଣ୍ଡବଲୀଳା। ୧୮ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୬୬ଲୋକଙ୍କୁ ହତ୍ୟା କରିବା ସହ ଅନେକ ଲୋକଙ୍କୁ ଆହତ କରିଥିଲେ। ଏହି ସମୟରେ ଏନଏସ୍ଜି ଓ ଅନ୍ୟ ସୁରକ୍ଷାକର୍ମୀମାନେ ୯ଜଣ ଆତଙ୍କବାଦୀଙ୍କୁ ନିହତ କରିବା ସହ ଜଣେ ଜୀବନ୍ତ ଆତଙ୍କବାଦୀ ଅଜମଲ୍ ଆମିର କସାବକୁ ଗିରଫ କରିବାରେ ସଫଳ ହୋଇଥିଲା। ଶେଷରେ ୨୧ ନଭେମ୍ବର ୨୦୧୨ରେ କସାବକୁ ଫାଶୀ ଦିଆଯାଇଥିଲା।