ବାରମ୍ବାର ଦାବି ପରେ ବି ଶୁଣିଲେନି କମ୍ପାନୀ କର୍ତ୍ତୃପକ୍ଷ, ଶେଷରେ ରାସ୍ତାରେ ଅଡି ବସିଛନ୍ତି ଗ୍ରାମବାସୀ
24/12/2020 at 1:32 PM

ଅନୁଗୁଳ ୨୪।୧୨ : ଜିନ୍ଦଲ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଥଇଥାନ, କ୍ଷତିପୂରଣ ଆଉ ନିଯୁକ୍ତ ଦାବି ନେଇ ରାସ୍ତା ଉପରେ ବସିଛନ୍ତି ଶତାଧିକ ପୁରୁଷ ଓ ମହିଳା । ଅନୁଗୁଳ ୫୫ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଜରଡ଼ା ଠାରେ ରାସ୍ତା କରିଛନ୍ତି ସେହି ଗାଁର ଗ୍ରାମବାସୀ ।

ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ଜରଡା ଗାଁର ଜମି ନେଇଥିଲେ ।କିନ୍ତୁ ଆଜି ପର୍ଯ୍ୟନ୍ତ କାହାକୁ ନିଯୁକ୍ତି ଆଉ ଥଇଥାନ କରି ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। କିଛି ଲୋକଙ୍କୁ ସେମାନଙ୍କର କ୍ଷତିପୂରଣ ମଧ୍ୟ ମିଳି ନଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ଜିନ୍ଦଲ କ୍ଷତିଗ୍ରସ୍ତ ପାରିପାର୍ଶ୍ବିକ ଗାଁ ଗୁଡିକରେ ଉନ୍ନୟନ ମୂଳକ କାମ ହେଉନାହିଁ । ଏ ସଂପର୍କରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ।

କମ୍ପାନୀ କର୍ତ୍ତୃପକ୍ଷ କୌଣସି ଦାବି ଶୁଣୁନାହାନ୍ତି ବୋଲି ଅଭିଯୋଗ ଆସିଛି । ଆଜିକୁ ପ୍ରାୟ ୧୪ ବର୍ଷ ହେବ, ୨୦୦୬ ମସିହାରୁ କମ୍ପାନୀ ଏମିତି ଠକି ଆସୁଥିବା ଅଭିଯୋଗ ଆସୁଛି । ତେଣୁ ତାକୁ ବିରୋଧ କରି ଗାଁର ଶତାଧିକ ପୁରୁଷ ଏବଂ ମହିଳା ଆନ୍ଦୋଳନରେ ବସିଛନ୍ତି। ସେପଟେ ଆନ୍ଦୋଳନକାରୀ ସହ କୌଣସି ଆଲୋଚନା କରିନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ । ରାସ୍ତାରେ ଆନ୍ଦୋଳନ ଚାଲୁଥିବାର ବହୁ ଗାଡି ଅଟକି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ପୋଲିସ ମୃତୟନ କରାଯାଇଛି ।