ମୃତ ହିତାଧିକାରୀଙ୍କ ନାଁରେ ରାସନ ଖାଉଛି ଡିଲର, ରାସନ କାର୍ଡ଼ କରାଇଦେବାକୁ କହି ମୋଟା ଅଙ୍କର ଅର୍ଥ ବି କରିଛି ହଡ଼ପ !
31/01/2019 at 6:51 PM

କେନ୍ଦ୍ରାପଡା୩୧|: ମୃତ ହିତାଧିକାରୀଙ୍କ ନାଁରେ ରାସନ ଖାଉଛି ଡିଲର । ଖାଲି ଏତିକି ନୁହେଁ, ରାସନ କାର୍ଡ଼ ଖଣ୍ଡେ କରାଇଦେବାକୁ କହି ମୋଟା ଅଙ୍କର ଅର୍ଥ ବି ହଡ଼ପ କରିଛି । ଅଭିଯୋଗ କଲେ ଖାତାରୁ ନାଁ କାଟି ଦେବାକୁ ଦେଉଛି ଧମକ । କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଗୁହାଳସିଂ ଏବଂ କେଶିଆପାଳ ପଞ୍ଚାୟତରେ ସରକାରଙ୍କ ଅନ୍ତୋଦୟ ଯୋଜନାରେ ଦୁର୍ନୀତି ସାମ୍ନାକୁ ଆସିଛି । ତେବେ କ’ଣ ରହିଛି ଅଭିଯୋଗ ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।

ନାଁ ସୁହାନା ବିବି । ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବାବୁରାମ ପାଟଣା । ଡିରଲକୁ ୬ହଜାର ଟଙ୍କା ଦେଇ ନିଜ ନାଁରେ ଅନ୍ତୋଦୟ କାର୍ଡ଼ ଖଣ୍ଡେ ସିନା କରିଦେଲେ । ହେଲେ ନିଜ ଭାଗର ଚାଉଳ, ଗହମ ଗଣ୍ଡେ ପାଇବାକୁ ତାଙ୍କୁ ବେଶ୍ କସରତ କରିବାକୁ ପଡ଼ୁଛି । ୩୫ କିଲୋ ବଦଳରେ ମିଳୁଛି ମାତ୍ର ୨୦ କିଲୋ ଚାଉଳ । ପ୍ରତିବାଦ କଲେ ନାଲି ଆଖି ଦେଖାଉଛି ଡିଲର । ଖାତାରୁ ନାଁ କାଟିଦେବାକୁ ଧମକ ଦେଉଛି ।

କେବଳ ସୁହାନା ବିବିଙ୍କ କ୍ଷେତ୍ରରେ ଯେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ତା’ ନୁହେଁ ଗାଁର ରୁକେୟା ବେଗମ, ତବସୁମ୍ ବିବି, ରେମତୁନ୍ ବିବି, କମଳିନି ବେହେରା କେହି ବି ନିଜ ଭାଗର ଚାଉଳ ଗହମ ଠିକ୍ ଭାବେ ପାଉନଥିବା ଅଭିଯୋଗ କରିଛନ୍ତି ।

ଯେଉଁ କନ୍ଟ୍ରୋଲ ଡିଲରଙ୍କ ବିରୋଧରେ ଏମିତି ମାଳ ମାଳ ଅଭିଯୋଗ ସେ ମହାଶୟଙ୍କ ପରିଚୟ ଟିକେ ଦେଖିବା । ଡେରାବିଶ ବ୍ଲକର ଗୁହାଳସିଂ ଏବଂ କୋଶିଆପାଳ ପଞ୍ଚାୟତର ପ୍ରାୟ ୫ଶହରୁ ଅଧିକ ହିଦାଧିକାରୀଙ୍କୁ ଅନ୍ତୋଦୟ ଏବଂ ଅଗ୍ରାଧିକାର ପରିବାର କାର୍ଡ଼ ଜରିଆରେ ଚାଉଳ, ଗହମ, କିରୋସିନ୍ ଆଦି ବିତରଣ କରିବାକୁ ଡିଲର ଭାସ୍କର ନାୟକଙ୍କୁ ଦିଆଯାଇଛି ଦାୟିତ୍ବ ।

ହେଲେ ଦୀର୍ଘ ବର୍ଷ ଧରି ସେ ମନମାନି କରି ହିତାଧିକାରୀମାନଙ୍କୁ ହଇରାଣ ହରକତ କରୁଥିଲେ ମଧ୍ୟ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଆକ୍ସନ ନିଆଯାଇନାହିଁ । ଅଭିଯୋଗ ସମ୍ପର୍କରେ ପ୍ରଥମେ ପ୍ରତିକ୍ରିୟା ଦେବାକୁ ରୋକଠୋକ୍ ମନା କରୁଥିବା ଏହି ଡିଲର ଜଣକ ପରେ ଆମ କ୍ୟାମେରା ସାମ୍ନାରେ କ’ଣ ସଫେଇ ରଖିଛନ୍ତି । ….

କୋଶିଆପାଳ ଓ ଗୁହାଳସିଂ ପଞ୍ଚାୟତରେ ହୋଇଥିବା ଏହି ରାସନ କାର୍ଡ଼ ଦୁର୍ନୀତିକୁ ଅତି ନିକଟରୁ ନିରୀକ୍ଷଣ କଲେ ଜଣାପଡ଼ୁଛି ଯେ ଏଥିରେ କେବଳ ଡିଲର ନୁହନ୍ତି ପୂରା ବ୍ୟବସ୍ଥା ସହ ଜଡ଼ିତ ଥିବା ତଳୁ ଉପର ପର୍ଯ୍ୟନ୍ତ ସବୁ ଅଧିକାରୀ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଅଛନ୍ତି । ଆଉ ସମସ୍ତଙ୍କ ମଧୁଚନ୍ଦ୍ରିକାରେ ହଡ଼ପ ହେଉଛି ହିତାଧିକାରୀଙ୍କ ସାମଗ୍ରୀ । ତେବେ ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଭିତରେ ହିତାଧିକାରୀଙ୍କ ନାଁରେ ଖାଦ୍ୟ ସାମଗ୍ରୀ ଖୋଳ କରୁଥିବା ବଡ଼ ମୂଷାଙ୍କୁ ଧରିବ କିଏ ?
