ସମ୍‌ରେ ବିରଳ ଅସ୍ତ୍ରୋପଚାର, ୧୨ ଦିନର ଶିଶୁର ଜୀବନ ବଞ୍ଚାଇଲେ ଡାକ୍ତର

Published By : Prameya-News7 Bureau | May 21, 2021 IST

ଭୁବନେଶ୍ୱର, ୨୧/୫: ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର l ଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା l ଶିଶୁ ଶରୀରର ଛାତି ଓ ପେଟ ମଧ୍ୟରେ ଥିବା ଡାୟାଫ୍ରାମରେ ଏକ ବଡ଼ ଛିଦ୍ର ଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା l

ଏହା ଏକ ଜନ୍ମଗତ ତ୍ରୁଟି ହୋଇଥିବା ବେଳେ ତଳିପେଟରେ ଥିବା ଅନ୍ତ୍ର ଇତ୍ୟାଦି ଛାତିକୁ ଚାଲିଯାଉଥିଲା l ଏନେଇ ଏହି ବିରଳ ଅସ୍ତ୍ରୋପଚାର ସମ୍ପାଦନ କରିଥିବା ହସ୍ପିଟାଲର ପେଡ଼ିଆଟ୍ରିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ସୂଚନା ଦେଇଛନ୍ତି l ଡକ୍ଟର ପ୍ରଧାନ କହିଛନ୍ତି ଯେ, ସମକୁ ଆସିବା ପୂର୍ବରୁ ଶିଶୁଟିର ୧୦ ଦିନ ଧରି ବାହାରେ ଚିକିତ୍ସା ହୋଇଥିଲେ ମଧ୍ୟ ହସ୍ପିଟାଲକୁ ଆସିବା ସମୟରେ ତାର ଅବସ୍ଥା ଖୁବ ସଙ୍କଟାପନ୍ନ ଥିଲା l

ମେ ୧୦ ତାରିଖ ଦିନ ହସ୍ପିଟାଲରେ ଭର୍ତି ହେବା ସମୟରେ ସେ ନିଶ୍ୱାସ ନେବାରେ ଖୁବ କଷ୍ଟ ଅନୁଭବ କରୁଥିଲା ବୋଲି ଡକ୍ଟର ପ୍ରଧାନ କହିଛନ୍ତି l ଶିଶୁଟିର ଅମ୍ଳଜାନ ସ୍ତର ୪୦ ପ୍ରତିଶତକୁ ଖସିଆସିଥିବାରୁ ଏଭଳି ପରିସ୍ଥିତିରେ ଶିଶୁର ଜୀବନ ବଞ୍ଚାଇବା ଏକ ଚାଲେଞ୍ଜ ସୃଷ୍ଟି କରିଥିଲା l ଶିଶୁଟିକୁ ଈଂଟ୍ୟୁବ୍ୱେଟେଡ଼ କରାଯାଇ ତାର ଅବସ୍ଥା ସ୍ଥିର କରାଯିବା ପରେ ମେ ୧୨ ତାରିଖ ଦିନ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଥିଲେ l ଅପରେସନ ଦ୍ୱାରା ଶିଶୁର ଜୀବନ ବଞ୍ଚି ଯାଇଥିବା ବେଳେ ସେ ସୁସ୍ଥ ହୋଇ ଗୁରୁବାର ଦିନ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.