ସମ୍ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ବାରା ବିରଳ ଅସ୍ତ୍ରୋପଚାର

Published By : Prameya-News7 Bureau | September 30, 2021 IST

ଭୁବନେଶ୍ବର ୩୦।୯: ଜନ୍ମ ସମୟରୁ ଜୀବନ ପ୍ରତି ବିପଦ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରାଯାଇଛି । ଏହି ବିରଳ ଅସ୍ତ୍ରୋପଚାର ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ହୃଦରୋଗ ବିଭାଗର ସର୍ଜନ କରିଛନ୍ତି ।

ସାରଦା ପ୍ରସନ୍ନ ପାତ୍ର ନାମକ ଯୁବକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ କୌଣସି କାମ କରିବାକୁ ସକ୍ଷମ ହୋଇପାରୁନଥିଲେ । ତାଙ୍କୁ ବିଭିନ୍ନ ପରୀକ୍ଷା ନିମନ୍ତେ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ଦ୍ୱାରା ଦୁଇ ହୃଦଯନ୍ତ୍ରର ମଝିରେ ଥିବା ନିଳୟରେ ଏକ ବଡ ଛିଦ୍ର ରହିଥିବା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଫୁସଫୁସକୁ ଯାଇଥିବା ଧମନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

ଏହି ଛିଦ୍ର ଦ୍ୱାରା ଶରୀରର ବିଶୂଦ୍ଧ ରକ୍ତ ଓ ଦୂଷିତ ରକ୍ତ ମିଶି ଯାଉଥିଲା ଏବଂ ଅମ୍ଳଜାନ ସ୍ତର ୭୦ ପ୍ରତିଶତ ରହୁଥିଲା । ସେହିପରି ଧମନୀର ଆକାର ମଧ୍ୟ ଖୁବ୍ କମ୍ ଥିଲା ବୋଲି ସିଟିଭିଏସ ବିଭାଗର ସିନିୟର କନସଲଟାଣ୍ଟ ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି । ଏହିଭଳି ଅବସ୍ଥାକୁ ଡାକ୍ତରୀ ଶବ୍ଦରେ ଟେଟ୍ରାଲୋଜି ଅଫ୍ ଫାଲଟ୍ ବୋଲି କୁହାଯାଏ ଯାହାକି ଏକ ଜନ୍ମଗତ ତ୍ରୁଟି ବୋଲି ସେ କହିଛନ୍ତି ।

ସମ୍ପୃକ୍ତ ରୋଗୀ ଜଣଙ୍କ ପ୍ରଥମେ କାର୍ଡିଓଲୋଜି ବିଭାଗର କନସଲଟାଂଟ ଡ. ଦିବ୍ୟରଞ୍ଜନ ବେହେରାଙ୍କ ପାଖରେ ଚିକିତ୍ସିତ ହୋଇଥିବା ବେଳେ ସେ ସର୍ଜରୀ ନିମନ୍ତେ କାଥଲାବରେ କଏଲ ଇନବୋଲିଜାଇସନ କରିଥିଲେ । କାର୍ଡିଆକ୍ ଆନାସ୍ଥେସିସ ଡ. ସୁକାନ୍ତ କୁମାର ଭୋଇ ଏହି ସର୍ଜରୀରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି ଯେ, ସର୍ଜରୀ ହେବା ପୂର୍ବରୁ ରୋଗୀଙ୍କୁ ହାର୍ଟ-ଲଙ୍ଗ ମେସିନରେ ରଖାଯାଇଥିଲା । ପ୍ରଥମେ ତାଙ୍କର ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟକୁ ବନ୍ଦ କରାଯାଇଥିଲା । ଦକ୍ଷିଣ ପଟର ଭେଂଟ୍ରିକୁଲାର ଆଉଟଫ୍ଲୋ ଟ୍ରାକକୁ ବଡ କରାଯାଇ ଏକ ଟ୍ରାଂସଆନୁଲାର ପ୍ୟାଚ୍ ଲଗାଯାଇଥିଲା । ଏହାଛଡା ଏକ ଭଲ୍ଭ ମଧ୍ୟ ଲଗାଯାଇଥିଲା ।

ରୋଗୀ ଏବେ ସୁସ୍ଥ ହେବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଡାକ୍ତର ବେହେରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.